30 JULY 2026

Welcome!

Unlock your personalized experience.
Sign Up

Mosquito: ରାଜଧାନୀ​‌ରେ ମଶା ଭଣ ଭଣ, ଲାଗୁଛି ବିଏମ୍‌ସି କରୁଛି ଚାଷ, ନ୍ୟୁଇସେନ୍ସ ମଶା ସାନ୍ଧ୍ରତା ବୃଦ୍ଧି

Jul 30, 2026 - 08:12
Mosquito: ରାଜଧାନୀ​‌ରେ ମଶା ଭଣ ଭଣ, ଲାଗୁଛି ବିଏମ୍‌ସି କରୁଛି ଚାଷ, ନ୍ୟୁଇସେନ୍ସ ମଶା ସାନ୍ଧ୍ରତା ବୃଦ୍ଧି

ଭୁବନେଶ୍ୱର ୩୦/୦୭: ମାଷ୍ଟରକ୍ୟାଣ୍ଟିନ୍‌  ବସ୍‌ଷ୍ଟାଣ୍ଡ ଆଗରେ ପାଣି ଜମିଛି । ଗୋଳି ପାଣିରେ  ମଶା ଅଣ୍ଡା ଦେଲେଣି । ସନ୍ଧ୍ୟା ହେଲେ ଭଣ ଭଣ  ମଶା ଉଡୁଛନ୍ତି । ବସାଇ ଦେଉନାହାନ୍ତି । ୟୁନିଟ୍‌-୩ ମାଳିସାହିରେ ସମାନ ଅବସ୍ଥା । ବର୍ଷା  ପାଣି ନିଷ୍କାସନ ହେଉନି । ୟୁନିଟ୍‌-୧ ମାର୍କେଟ ଅବସ୍ଥା  ନ କହିଲେ ଭଲ । ସାମ୍ନାରେ ପଚାସଢ଼ା ପରିବା ପଡ଼ିଛି । ବର୍ଷା ପାଣି ଜମିବା ପରେ ମଶା ଜନ୍ମ ହେଲେଣି । ପଇଡ଼, ଟାୟାର ଭିତରେ ପାଣି ଜମିଛି । ବିଏମ୍‌ସି  ମଶା ତଡ଼ିବ କ’ଣ, ଲାଗୁଛି ଚାଷ କରୁଛି । ସହରରେ ବର୍ଷା ଆରମ୍ଭରୁ ସ୍ଥିତି ସଙ୍ଗୀନ ଅବସ୍ଥାକୁ  ଗଲାଣି । ଚାରି ଆଡ଼େ ମଶା ଉପଦ୍ରବ୍ୟ ବୃଦ୍ଧି ପାଇଛି । ସାନ୍ଧ୍ରତା ୫୫ ପାର ହେଲାଣି । ଏନେଇ ଗତ ସପ୍ତାହେ  ହେବ ୩ ଜୋନ୍‌ରେ ସାନ୍ଧ୍ରତା ମପା ହୋଇଥିଲା । ଏଥିରୁ  ମଶା ସଂଖ୍ୟା ପ୍ରବଳ ବଢ଼ିଛି ।  

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଭାବେ  ଡେଙ୍ଗୁ ସଂଖ୍ୟା ଏବେ ୧୩ରେ ରହିଛି । ବେସରକାରୀ  ଭାବେ ଏହାର ସଂଖ୍ୟା ୩୦ ପାର ହେଲାଣି । ବିଭିନ୍ନ  ଘରୋଇ ହସ୍ପିଟାଲରେ ରୋଗୀ ଚିକତ୍ସିତ ହେଉଛନ୍ତି ।  ଯଦିଓ ପୂର୍ବ ୨ ବର୍ଷର ଏହି ସମୟ ତୁଳନାରେ ସଂଖ୍ୟା  କମ୍‌ ରହିଛି କିନ୍ତୁ ନ୍ୟୁଇସେନ୍ସ ମଶା ସଂଖ୍ୟା ଢ଼େର  ବଢ଼ିଛି । ଘର କବାଟ ଖୋଲିବା ମାତ୍ରେ ପଶି ଯାଉଛନ୍ତି ।  ପାର୍କରେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି ।

​​​​​​​ଅଧିକ ପଢ଼ନ୍ତୁ :- Weather Forecast: ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, ଶୁକ୍ରବାରଠୁ କମିବ, ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି​​​​​​​

ଭୁବନେଶ୍ୱର ନଗର ସ୍ୱାସ୍ଥ୍ୟ ଅଧିକାରୀ ଦୀପକ  କୁମାର ବିଷୋଇଙ୍କ କହିବା କଥା । ଲଗାଣ ବର୍ଷାରେ  ପାଣି ଅସ୍ଥିର ରହୁଛି । ତେଣୁ ସଫା ପାଣିରେ ଡେଙ୍ଗୁ  ମଶା ଅଣ୍ଡା ଦେବା ସମ୍ଭବ ନୁହେଁ, ହେଲେ ନୁଇସେନ୍ସ  ମଶା ଏବେ କଲବଲ କରୁଛନ୍ତି ।  ରାଜଧାନୀରେ ଡ୍ରେନ୍‌ ଭିତରେ ମଶା ଅଣ୍ଡା  ଦେଉଛନ୍ତି । ଡ୍ରେନ୍‌ ଉପରେ ସ୍ଲାବ ପଡୁଥିବାରୁ  ସେଠାରେ ବିଏମ୍‌ସି ପକ୍ଷରୁ ମଶା ତେଳ ସିଞ୍ଚନ  କରାଯାଇ ପାରୁନି । ଫଳରେ ମଶା ବଂଶ ବୃଦ୍ଧି ପାଉଛି ।  

ବର୍ଷା ଆରମ୍ଭରୁ ରାଜଧାନୀରେ ସଫେଇକୁ  ଜୋରଦାର କରିବାକୁ ଅଣ୍ଟା ଭିଡ଼ିଲା । ହେଲେ  ଫଳ ଶୂନ । ଏକାଧିକ ୱାର୍ଡରେ ସଫେଇକୁ ଗୁରୁତ୍ୱ  ଦିଆଯାଉନି । ଦକ୍ଷିଣ-ପୂର୍ବ ଜୋନ୍‌ରେ ଏକାଧିକ  ଅଞ୍ଚଳରେ ବୁସ୍‌ କଟିଂ ହୋଇନି । ଦାୟିତ୍ୱ ନେଇଥିବା  ସଂସ୍ଥା ପାଖରେ ବୁସ୍‌ କଟିଂ ମେସିନ୍‌ ନାହିଁ । ବଣ  ଓ ବୁଦଡ୍‌ଢି ଚାଲିଥିବାରୁ ମଶା ଉପଦ୍ରବ ଯଥେଷ୍ଟ  ବଢ଼ିଛି । ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ମଶା ପାଇଁ ସଚେତନତା ଚାଲିଛି ।  ବୁସ କଟିଂ ଏବଂ ତେଲ ପକାଇବାକୁ ନିର୍ଦ୍ଦେଶ  ଦିଆଯାଇଛି । ବର୍ଷା ସରିବା ପରେ ଧୂଆଁ ଦିଆହେବ ।

କୁଆଡ଼େ ଗଲା ମଶା ଧୂଆଁ ଗାଡ଼ି?

ରାଜଧାନୀରେ ମଶା ସଂଖ୍ୟା ବୃଦ୍ଧି ପାଉଛି । ହେଲେ  ବିଏମ୍‌ସି ପକ୍ଷରୁ ଏ ପର୍ଯ୍ୟନ୍ତ ୱାର୍ଡରେ ମଶା ଧୂଆଁ  ଗାଡ଼ି ବୁଲି ପାରିଲା ନାହିଁ । ଧୂଆଁ ଗାଡି ନ ବୁଲୁ ଥିବାରୁ  ସ୍ଥିତି ଆସ୍ତେ ଆସ୍ତେ ଜଟିଳ ହୋଇପଡ଼ିଲାଣି । ବିଏମ୍‌ସି  ପକ୍ଷରୁ ମୋଟ୍‌ ୧୫ଟି ବଡ଼ ଗାଡି ଏବଂ ୧୬ଟି ହ୍ୟାଣ୍ଡ  ଟିଫା ମେସିନ ରହିଛି । ୬୭ ୱାର୍ଡ ରହିଛି । ଏହି ସବୁ  ଗାଡ଼ି ସଖ୍ୟାକୁ ଦେଖିଲେ ସମୁଦ୍ରକୁ ଶଙ୍ଖେ । ସେଥିରୁ ଭିଆଇପିଙ୍କ ସେବାରେ ୨ ଗାଡ଼ି । ସନ୍ଧ୍ୟା ହେବା କ୍ଷଣି  ମନ୍ତ୍ରୀ, ଆଇଏଏସ୍‌ ଏବଂ ଆଇପିଏସ୍‌ ବାବୁଙ୍କ କ୍ୱାର୍ଟର୍ସ  ଆଖପାଖରେ ଧୂଆଁ ଗାଡ଼ି ବୁଲୁଛି ।  ଲୋକେ କହୁଛନ୍ତି  କମିଶନରଙ୍କ କ୍ୱାର୍ଟର୍ସ ଆଖପାଖରେ ମଶା ଦେଖିବାକୁ  ମିଳୁନାହାନ୍ତି । ପୁଣି ବିଧାନସଭା ଆରମ୍ଭ ହେଲେ ସେଥିରୁ  ଗୋଟିଏ ଗାଡ଼ି ସେଠାରେ ରହିବ । ହେଲେ ବାକି ୧୨  ମଶା ଧୂଆଁ ଗାଡ଼ି ଓ ହ୍ୟାଣ୍ଡ ଟିଫା ମେସିନ୍‌କୁ କେହି  କେବେ ଦେଖିବାକୁ ପାଉନାହାନ୍ତି । ସାଧାରଣ ଲୋକଙ୍କୁ  ମଶାରେ କଲବଲ କରିବାକୁ ଛାଡ଼ି ଦେଇଛି ବିଏମ୍‌ସି ।  

ବାବୁଙ୍କ ବାଡ଼ି ପଛ ଅବଢ଼ା ହାଣ୍ଡିରୁ ମଶାଙ୍କ ଉତ୍ପତି

ଡେଙ୍ଗୁ ମଶା ସଚେତନତା ପାଇଁ ବିଏମ୍‌ସି ପକ୍ଷରୁ  ପ୍ରତ୍ୟେକ ଦିନ ଅଳିଆ ଗାଡ଼ି ବୁହା ଗାଡ଼ିରେ ବାର୍ତ୍ତା  ଦିଆଯାଉଛି । ସେହିପରି ବସ୍ତି ବସ୍ତି ବୁଲି ସଚେତନତା  କରାଯାଉଛି । ହେଲେ ଅସଲି ମଶା ବଡ଼ ବଡ଼ିଆ  ସରକାରୀ ବାବୁଙ୍କ ବାଡ଼ି ପଛରେ । ଅବଢ଼ା ଖାଇ ଘର  ପଛରେ ପିଙ୍ଗିଲେ ଅବଢ଼ା ହାଣ୍ଡିକୁ । ଅବଢ଼ା ହାଣିରେ  ବର୍ଷା ପାଣି ଜମି ସେଠାରେ ମଶା ଅଣ୍ଡା ଦେଲେଣି ।  ସର୍ବାଧିକ ଡେଙ୍ଗୁ ମଶାର ଲାର୍ଭା ନେତା, ବିଧାୟକ,  ସରକାରୀ ବାବୁଙ୍କ ବାଡ଼ି ପଟୁ ବାହାରୁଛି ବୋଲି ଜଣେ ବିଏମ୍‌ସି କର୍ମଚାରୀ ଅଭିଯୋଗ କରିଛନ୍ତି ।  

ସଫା ହେଲାନି  କନ୍‌ଜରଭେନ୍ସି ଲେନ୍‌

ରାଜଧାନୀର ବିଭିନ୍ନ କନଜରଭେନ୍ସି ଲେନ୍‌ ମଶାଙ୍କ ହବ  ପାଲଟିଛି । ବିଏମ୍‌ସି ପକ୍ଷରୁ କନଜରଭେନ୍ସି ଲେନ୍‌  ସଫା କରାଯାଉନି । ସେଠାରେ ବଣ, ବୁଦା ହୋଇ ମଶା  ଅଣ୍ଡା ଦେଉଛନ୍ତି । ୟୁନିଟ୍‌-୨, ୟୁନିଟ-୧, ୟୁନିଟ୍‌-୬  ସରକାରୀ କ୍ୱାର୍ଟର୍ସ ମଝିରେ ଥିବା କନଜରଭେନ୍ସି ଲେନ୍‌  ଅବସ୍ଥା ଏମିତି । ଦାୟିତ୍ୱ ନେଇଥିବା ସଂସ୍ଥା ସଫା ନ  କରିବାରୁ ଏପରି ପରିସ୍ଥିତି ଉପୁଜୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।