Monsoon Session: ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ, ଅଗଷ୍ଟ ୧୩ ତାରିଖ ଯାଏ ଚାଲିବ
ନୂଆଦିଲ୍ଲୀ,୦୫/୦୭: ସଂସଦର ମୌସୁମୀ ଅଧିବେଶନ ଚଳିତମାସ ୨୦ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଏହା ଜାରି ରହିବ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ଏହି ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇ ସେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୌସୁମୀ ଅଧିବେଶନ ୨୦୨୬ ପାଇଁ ଉଭୟ ଗୃହକୁ ଆହ୍ୱାନ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ରାଷ୍ଟ୍ରର ହିତ ଲାଗି ଉଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଉପଯୁକ୍ତ ତର୍କ, ଆଲୋଚନା ଏବଂ ନିଷ୍ପତ୍ତ ନିମନ୍ତେ ଏହି ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସେପଟେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏବଂ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି)ରେ ବିଭାଜନ ପରେ ସଂସଦର ପ୍ରଥମ ଅଧିବେଶନ ବସିବାକୁ ଯାଉଛି । ଟିଏମ୍ସିର ୨୮ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୨୦ ଜଣ ଦଳୀୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଛନ୍ତି । ଶାସକ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ସମର୍ଥନ ଲାଗି ନିଷ୍ପତ୍ତି ନେଇଛନ୍ତି । ସେହିଭଳି ଶିବସେନା (ୟୁବିଟି)ର ୯ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି । ଏହି ଦୁଇଟି ବଡ଼ ଘଟଣା ନିମ୍ନ ସଦନରେ ଏନ୍ଡିଏକୁ ଶକ୍ତିଶାଳୀ କରିଛି। ତେବେ ବିଦ୍ରୋହୀ ଟିଏମ୍ସି ଏବଂ ୟୁବିଟି ସଦସ୍ୟମାନେ ପୃଥକ ଗୋଷ୍ଠୀ ଭାବେ ମାନ୍ୟତା ଦାବି କରୁଥିବା ବେଳେ ଏହା ଉପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ :- Ram Mandir Theft : ରାମ ମନ୍ଦିରରୁ ୫ କୋଟିର ସୁନାଖଚିତ ରାମଚରିତ ମାନସ ଗାଏବ, ଅଭିଯୋଗ କଲେ ପୂର୍ବତନ ଆଇଏଏସ୍
ରାଜ୍ୟସଭା କଥା କହିଲେ, ଏହି ଗୃହରେ ସଂଖ୍ୟାବଳ ଏନ୍ଡିଏ ପକ୍ଷକୁ ଢଳିଛି । ସମ୍ବିଧାନ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହୋଇ ନପାରିବା ଯୋଗୁ କେନ୍ଦ୍ର ପାଇଁ ଗତ ବଜେଟ ଅଧିବେଶନ ନିରାଶାଜନକ ଭାବେ ଶେଷ ହୋଇଥିଲା । ତେଣୁ ମୌସୁମୀ ଅଧିବେଶନ ଉଭୟ ଶାସକ ଓ ବିରୋଧୀ ମେଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବା ସମ୍ଭାବନା ରହିଛି । ସରକାର ପୁନର୍ବାର ସମ୍ବିଧାନ ସଂଶୋଧନ ବିଲ୍ ଆଣିପାରନ୍ତି । କିନ୍ତୁ ଅଦ୍ୟାବଧି ଏହା ସ୍ପଷ୍ଟ ହୋଇନାହିଁ ।