Lionel Messi Special: କେଉଁ ଗ୍ରହରୁ ଆସିଛନ୍ତି ଫୁଟବଲ ଯାଦୁଗର ଲିଓନେଲ୍ ମେସି ? ବ୍ୟକ୍ତିଗତ ରେକର୍ଡରୁ ନେଇ ଟ୍ରଫି ତାଲିକା ଉପରେ ପକାନ୍ତୁ ନଜର
ନୂଆଦିଲ୍ଲୀ,୨୫/୦୬; ବିଶ୍ୱର ମହାନ ଫୁଟବଲ୍ ଖେଳାଳିମାନଙ୍କ ମଧ୍ୟରେ ଅନ୍ୟତମ ଲିଓନେଲ ମେସି ୩୯ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଆର୍ଜେଣ୍ଟିନା ପକ୍ଷରୁ ଖେଳୁଛନ୍ତି ରେକର୍ଡ ଷଷ୍ଠ ବିଶ୍ୱକପ୍ । ପ୍ରଥମ ୨ଟି ଲିଗ୍ ମ୍ୟାଚରେ ୫ଟି ଗୋଲ୍ କରି ସେ ଅନେକ ରେକର୍ଡ ଭାଙ୍ଗି ସାରିଛନ୍ତି । ଆହୁରି ଅନେକ ରେକର୍ଡ ତାଙ୍କ ପାଇଁ ଅପେକ୍ଷା କରି ରହିଛି । ବୟସ ୩୯ରେ ପହଞ୍ଚିଥିଲେ ହେଁ ତାଙ୍କ ପ୍ରଦର୍ଶନ କୌଣସି ଯୁବ ଖେଳାଳିଙ୍କ ଠାରୁ ମଧ୍ୟ ବେଶ୍ ଉନ୍ନତ ରହିଛି । ସୋମବାର ଅନୁଷ୍ଠିତ ଅଷ୍ଟ୍ରିୟା ବିପକ୍ଷ ମ୍ୟାଚରେ ଦ୍ୱିତୀୟ ଗୋଲ୍ ମେସିଙ୍କ ଫିଟ୍ନେସ୍ର ଅସଲ ପ୍ରମାଣ ବହନ କରୁଛି ।
ବିକ୍ତିଗତ ପୁରସ୍କାର- ବିଶ୍ୱର ସମସ୍ତ ବଡ଼ ପୁରସ୍କାର ଜିତି ସାରିଛନ୍ତି ମେସି । ବିଶ୍ୱକପ୍ରେ ସେ ୨ଥର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଗୋଲଡେନ ବଲ୍ ପୁରସ୍କାର ହାସଲ କରିଛନ୍ତି । ୨୦୧୪ ବ୍ରାଜିଲ୍ ବିଶ୍ୱକପ୍ରେ ଆର୍ଜେଣ୍ଟିନା ରନର୍ସ ଅପ୍ ହୋଇଥିଲେ ହେଁ ମେସି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ୨୦୨୨ କତାର ବିଶ୍ୱକପ୍ରେ ସେ ଦଳକୁ ଚାମ୍ପିଅନ୍ କରାଇବା ସହ ଗୋଲ୍ଡେନ ବଲ୍ ପୁରସ୍କାର ଜିତିଥିଲେ । କ୍ୟାରିୟର ମଧ୍ୟରେ ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ରେକର୍ଡ ୮ଥର ବାଲନ ଡୋ’ର ଟ୍ରଫି ହାସଲ କରିଛନ୍ତି । ୨୦୦୯ରେ ମେସି ପ୍ରଥମ କରି ବାଲନ ଡୋ’ର ପୁରସ୍କାର ଜିତିଥିଲେ । ଏହାପରେ ୨୦୧୦, ୨୦୧୧, ୨୦୧୨, ୨୦୧୫, ୨୦୧୯, ୨୦୨୧ ଓ ୨୦୨୩ରେ ମଧ୍ୟ ବିଶ୍ୱର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଏହି ସମ୍ମାନଜନକ ଟ୍ରଫି ହାସଲ କରିଥିଲେ । ଉଭୟ ଶ୍ରେଷ୍ଠ ପୁରସ୍କାର ବ୍ୟତୀତ ସେ ୟୁରୋପର ଶ୍ରେଷ୍ଠ ଗୋଲ୍ ସ୍କୋରର ଭାବେ ୬ଥର ଗୋଲଡେନ ସୁ’ ପୁରସ୍କାର ହାସଲ କରିଛନ୍ତି । ଫିଫା ପକ୍ଷରୁ ମଧ୍ୟ ସେ ୪ଥର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଆର୍ଜେଣ୍ଟିନା ପକ୍ଷରୁ ୬ ଟ୍ରଫି- ମେସିଙ୍କ ପ୍ରଦର୍ଶନ ଆଗରେ ବୟସ ହାର୍ ମାନିଛି । ପେସାଦାର ଫୁଟବଲ୍ରେ ପାଦ ଦେବା ଦିନଠୁ ସେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି । ଅଟକିବାର ନାଁ ଧରୁ ନାହାନ୍ତି । ଫୁଟବଲ ଖେଳର ପ୍ରାୟତଃ ସମସ୍ତ ବଡ଼ ଟୁର୍ଣ୍ଣାମେଣ୍ଟର ଟ୍ରଫି ମେସିଙ୍କ ଟ୍ରଫି କ୍ୟାବିନେଟ୍ ରହିଛି । ସେ କ୍ୟାରିୟର ମଧ୍ୟରେ ୪୮ଟି ଟ୍ରଫି ଜିତି ସାରିଛନ୍ତି । ଦେଶ ପାଇଁ ଖେଳିବା ଦିନଠୁ ମେସି ସମସ୍ତ ବଡ଼ ଟୁର୍ଣ୍ଣାମେଣ୍ଟ ଜିତି ସାରିଛନ୍ତି । ୨୦୨୨ରେ ସେ ଆର୍ଜେଣ୍ଟିନାକୁ ବିଶ୍ୱକପ ଚାମ୍ପିଅନ୍ କରାଇଥିଲେ । ୨୦୨୧ ଓ ୨୦୨୪ରେ ମେସି କୋପା ଆମେରିକା କପ୍ ଚାମ୍ପିଅନ ହୋଇଥିଲେ । ୨୦୨୨ରେ ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଦଳ ଫିନାଲେସିମା ଟାଇଟଲ ହାସଲ କରିଥିଲା । ୨୦୦୮ ବେଜିଂ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ସେ ଉକ୍ତ ଦଳର ସଦସ୍ୟ ରହିଥିଲେ । ୨୦୦୫ରେ ମେସିଙ୍କ ଆର୍ଜେଣ୍ଟିନା ଦଳ ୨୦ବର୍ଷରୁ କମ୍ ବିଶ୍ୱକପ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା ।
ବ୍ୟକ୍ତିଗତ ରେକର୍ଡ- ଦୁଇ ଦିନ ତଳେ ସେ ବିଶ୍ୱକପ୍ର ସର୍ବାଧିକ ଗୋଲ୍ ସ୍କୋରର (୧୮ଗୋଲ୍) ରେକର୍ଡ ସ୍ଥାପନ କରିଛନ୍ତି । ଫ୍ରାନ୍ସର କିଲିଆନ ଏମବାପେ (୧୬ ଗୋଲ୍) ତାଙ୍କ ନିକଟତର ହୋଇଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଗୋଲ୍ ସ୍କୋର କରିବାରେ ରେକର୍ଡ ମେସିଙ୍କ ନାମରେ ରହିଛି । ସେ ୨୦୧୨ରେ ମୋଟ୍ ୯୧ଟି ଗୋଲ୍ କରିଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ କ୍ଲବ୍ରୁ ସର୍ବାଧିକ ଗୋଲ୍ କରିବାରେ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ସେ ଏଫସି ବାର୍ସେଲୋନା ପକ୍ଷରୁ ୬୭୨ଟି ଗୋଲ କରିଛନ୍ତି । ବିଶ୍ୱକପ୍ ଇତିହାସରେ ସେ ଦ୍ୱିତୀୟ ଖେଳାଳି ଭାବେ ଗୋଟିଏ ସଂସ୍କରଣର ପ୍ରଥମ ୨ଟି ମ୍ୟାଚରେ ପ୍ରଥମ ୫ଟି ଗୋଲ୍ ସ୍କୋର କରିଛନ୍ତି । ତାଙ୍କ ପୂର୍ବରୁ କେବଳ ରୁଷିଆର ଓଲେଗ ସାଲେଙ୍କୋ ଏହି ସଫଳତା ଅର୍ଜନ କରିଥିଲେ । ସେ ୧୯୯୪ ବିଶ୍ୱକପ୍ରେ ନିଜ ଦଳ ପକ୍ଷରୁ ପ୍ରଥମ ୫ଟି ଗୋଲ୍ କରିଥିଲେ ।
ଆର୍ଜେଣ୍ଟିନା ପକ୍ଷରୁ ବିଶ୍ୱକପ୍ରେ ହୋଇଥିବା ଶେଷ ୧୨ଟି ଗୋଲ ମଧ୍ୟରୁ ମେସି ୯ଟି ଗୋଲ କରିଛନ୍ତି । ବାକି ୩ଟି ଗୋଲ ମଧ୍ୟରୁ ଜୁଲିଆନ ଆଲଭାରେଜ ୨ଟି ଓ ଆଞ୍ଜେଲ ଡି ମାରିଆ ଗୋଟିଏ ଗୋଲ୍ କରିଛନ୍ତି । ୧୯୬୬ରୁ ଇତି ମଧ୍ୟରେ ରଖା ଯାଇଥିବା ବିଶ୍ୱକପ୍ ରେକର୍ଡ ମଧ୍ୟରେ ମେସି ସର୍ବାଧିକ ଗୋଲ ସୁଯୋଗ ସୃଷ୍ଟି କରିଛନ୍ତି । ସେ ୭୬ଟି ଗୋଲ୍ ସୁଯୋଗ ସୃଷ୍ଟି କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଡିଏଗୋ ମାରାଡୋନାଙ୍କ ନାମରେ ରହିଥିଲା । ସେ ବିଶ୍ୱକପ୍ରେ ମୋଟ୍ ୭୧ଟି ସୁଯୋଗ ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜର୍ମାନୀର ଉଲ୍ଫଗାଙ୍ଗ ଓଭରାଥ ୬୨ଟି, ଲୋଥର ମାଥ୍ୟୁସ ୫୪ଟି, ଫ୍ରାନ୍ସର ଆଲେନ ଗରିଜ ୫୧ଟି ଗୋଲ୍ ସୁଯୋଗ ସୃଷ୍ଟି କରିବାର ରେକର୍ଡ ରହିଛି ।
ଏହା ବି ପଢନ୍ତୁ...Lionel Messi: ମେସି ମ୍ୟାଜିକ୍; ବିଶ୍ୱକପ ଇତିହାସରେ ସର୍ବାଧକ୍ ଗୋଲ୍ ସ୍କୋର କଲେ, କ୍ଲୋଜଙ୍କ ରେକର୍ଡ ଭାଙ୍ଗିଲେ
ମେସି ଅନ୍ୟ ଏକ ଗ୍ରହରୁ ଆସିଛନ୍ତି: ପାଞ୍ଚ ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲର ଷ୍ଟାର ଫରୱାର୍ଡ ନେୟମାରଙ୍କୁ ନେଇ ଦଳ ବେଶ ଆଶାବାଦୀ । କିନ୍ତୁ ସେ ଏ ପର୍ଯ୍ୟନ୍ତ ଫିଟ ନଥିବାରୁ ଚଳିତ ବିଶ୍ୱକପ୍ରେ ଖେଳି ନାହାନ୍ତି । ଶେଷ ଥର ପାଇଁ ବ୍ରାଜିଲ ୨୦୦୨ରେ ବିଶ୍ୱ ଚାମ୍ପିଅନ ହୋଇଥିଲା । ଇତି ମଧ୍ୟରେ ବହୁ ବର୍ଷ ବିତି ଗଲାଣି । ଲିଓନେଲ ମେସିଙ୍କ ଜନ୍ମ ଦିନ ଅବସରରେ ନେୟମାର କିଛି ବର୍ଷ ପୂର୍ବରୁ କହିଥିବା କଥା ମନେ ପଡ଼େ । ସେ କହିଥିଲେ, ‘ସବୁ ଦିଗକୁ ଦୃଷ୍ଟି ଦିଆଗଲେ ବିଶ୍ୱରେ ଏବେ ମୁଁ ଶ୍ରେଷ୍ଠ ଖେଳାଳି । କିନ୍ତୁ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋ ଏ ଦୁଇ ଶ୍ରେଷ୍ଠ ତାରକା ଅନ୍ୟ ଏକ ଗ୍ରହରୁ ଆସିଛନ୍ତି । ଏହି ଦୁଇ ଶ୍ରେଷ୍ଠ ଖେଳାଳିଙ୍କ ପଛକୁ ତୃତୀୟ ସ୍ଥାନରେ ମୋର ସ୍ଥାନ ।’