06 JULY 2026

Welcome!

Unlock your personalized experience.
Sign Up

Leech farming : ରୋଗ ଭଲ କରୁଛି ଜୋକ, ବିଜ୍ଞାନଗାରରେ କରାଯାଉଛି ଚାଷ

Jul 06, 2026 - 08:50
Leech farming : ରୋଗ ଭଲ କରୁଛି ଜୋକ, ବିଜ୍ଞାନଗାରରେ କରାଯାଉଛି ଚାଷ

ଭୁବନେଶ୍ୱର, ୬/୭ : ରୋଗ ଭଲ କରୁଛି ଜୋକ । ଫାଇଲେରିଆ, ଡାଇବେଟିକ ଫୁଟ୍‌ ରୋଗୀଙ୍କ ଚିକିତ୍ସାରେ ଜୋକ ଲାଗୁଛି। ସେଥିପାଇଁ ଚାଷ ହେଉଛି ଜୋକ । ଅଜବ ଲାଗୁଥିଲେ ବି କଥାଟି ସତ । ଜୋକ ଚାଷ କେଉଁ ପୋଖରୀ ନୁହେଁ, ବିଜ୍ଞାନଗାରରେ ହେଉଛି । ଲିଚ୍‌ ଥେରାପିରେ ବୀଷହୀନ ଜୋକର ଆବଶ୍ୟକତା ରହିଛି । ସେଥିପାଇଁ ଉନ୍ନତ ଜ୍ଞାନକୌଶଳର ସହାୟତାରେ କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆରସିଫା(ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ରେସୱାଟର ଆକ୍ୱାକଲଚର୍‌) ପ୍ରଥମ ଥର ପାଇଁ ଏହି କାମ ହାତକୁ ନେଇଛି । ଏଥିପାଇଁ ସ୍ୱତନ୍ତ୍ର ବୈଜ୍ଞନିକଙ୍କୁ ଦାୟିତ୍ୱ ଦିଆଯାଇଛି । ଜୋକ ଉତ୍ପାଦନ ହେବାପରେ ତାକୁ ଚିକିତ୍ସା ପାଇଁ ସୁରକ୍ଷିତ ପ୍ଲାଷ୍ଟିକ୍‌ ଡବାରେ ରଖି ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ(ସିଏଆରଆଇ)କୁ ପଠାଯାଉଛି । ରାଜ୍ୟରେ ବ୍ୟାପକ ହେବ ଜୋକ ଚିକିତ୍ସା(ଲିଚ୍‌ ଥେରାପି) । କିଛିଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ(ଏଆଇଆଇଏ) ଗସ୍ତ ସମୟରେ ଏହି ସୂଚନା ଦେଇଥିଲେ । 

ଏପଟେ ଭୁବନେଶ୍ୱର ସିଏଆରଆଇରେ ଦୀର୍ଘ ୧ବର୍ଷରୁ ଅଧିକ ସମୟ ହେବ ଲିଚ୍‌ ଥେରାପି ଆରମ୍ଭ ହୋଇସାରିଛି । ବିଶେଷକରି ଫାଇଲେରିଆ ଓ ଡାଇବେଟିକ୍‌ ଫୁଟ୍‌(ଗୋଦରା) ରୋଗୀଙ୍କୁ ଲିଚ୍‌ ଥେରାପି ଦିଆଯାଇଛି । ଜୋକମାନେ ଉକ୍ତ ସ୍ଥାନରୁ ମୃତ ତଥା ଦୂଷିତ ରକ୍ତ ଶୋଷିନେବା ପରେ ଗୋଡ ସ୍ୱାଭାବିକ ସ୍ଥିତିକୁ ଫେରୁଛି । ଆୟୁର୍ବେଦ ଚିକିତ୍ସାର ଏକ ଅଂଶ ଭାବରେ ଦେଶରେ ଅନ୍ୟ ରାଜ୍ୟରେ ଲିଚ୍‌ ଥେରାପି ଚାଲିଥିବା ବେଳେ ଓଡ଼ିଶାରେ ଏହା ପ୍ରବେଶ କରିଛି । ଏଥିପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଜୋକ । ସାଧାରଣତଃ ପୋଖରୀ, ନାଳରେ ଯେଉଁ ଜୋକ ରୁହନ୍ତି, ସେମାନେ ବିଷାକ୍ତ ହୋଇଥିବା ବେଳେ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାନ୍ତି । ତେଣୁ ବିଷହୀନ ଜୋକ ଖୋଜିବା ସିଏଆରଆଇ ପାଇଁ ଏକ ସମସ୍ୟା ପାଲଟିଥିଲା। ପ୍ରାୟ ୨ବର୍ଷ ତଳେ ଜୋକ ଉତ୍ପାଦନ କରିବା ସିଏଆରଆଇ ଓ ସିଫା ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର କରାଯାଇଥିଲା । ସିଫା ମଧ୍ୟ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥିଲା । ହେଲେ ୩ବର୍ଷ ନୁହେଁ, ଦେଢ଼ବର୍ଷ ମଧ୍ୟରେ ହାଇଜେନିକ୍‌ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ ନଥିବା ଜୋକ ଉତ୍ପାଦନ ସମ୍ଭବ ହୋଇପାରିଛି । 

ସିଫାର ନିର୍ଦ୍ଦେଶକ ଡ. ପ୍ରମୋଦ କୁମାର ସାହୁଙ୍କ ସୂଚନା ଅନୁସାରେ, ଜୋକ ଉତ୍ପାଦନ ଗୋଟେ ଚ୍ୟାଲେଞ୍ଜ ଥିଲା । ପୂର୍ବରୁ ଆମେ ସିଫା ଆଖପାଖରେ ଥିବା ଜଳାଶୟରେ ଜୋକ ମାରୁଥିଲୁ। ହେଲେ ଏବେ ଜୋକ ଉତ୍ପାଦନ କରୁଛୁ । ଏଥିପାଇଁ ପ୍ରଶିକ୍ଷିତ ବୈଜ୍ଞାନିକମାନଙ୍କ ସହାୟତା ନିଆଯାଉଛି । ବିଜ୍ଞାନଗାରରେ ପ୍ରଥମେ ଛୋଟ ଜୋକକୁ ରଖି ତାକୁ ବଡ଼ କରାଗଲା । ମଲିକୁଲାର ଟେକନିକ୍‌ ସହାୟତାରେ ଜୋକର ଡିଏନଏକୁ ପରୀକ୍ଷା କରାଯାଇଥିଲା । ଯେଉଁ ଜୋକ ମାରାତ୍ମକ ନୁହନ୍ତି, ସେମାନଙ୍କୁ ଚିହ୍ନଟ କରାଯାଇ ବ୍ରିଡିଂ କରାଗଲା। କାରଣ କିଛି ଜୋକ ଥାଆନ୍ତି, ଯାହାର ବିଷ ନଥାଏ । ସେହିଭଳି ଜୋକକୁ ଅଲଗା ରଖାଯାଉଛି । ପ୍ରଥମ ପର୍ଯ୍ୟାୟରେ ଆମେ ପାଖାପାଖି ୧୦୦ଟା ଜୋକ ଉତ୍ପାଦନ କରି ଆୟୁର୍ବେଦ ପ୍ରତିଷ୍ଠାନକୁ ଦେଇଥିଲୁ। ପୁଣି ଯଦି ଆବଶ୍ୟକ ହୁଏ, ଆଉ ଥରେ ଉତ୍ପାଦନ ହେବ । ଆଗକୁ ଆମେ ଜୋକ ଉପରେ ଅଧିକ ଗବେଷଣା କରିବୁ । ଜୋକ ଶରୀରରେ ଏମିତି କଣ ଅଛି, ଯଦ୍ୱାରା ସେ ରୋଗୀକୁ ଭଲ କରୁଛି? ଅପରପକ୍ଷେ, ଲିଚ୍‌ ଥେରାପି ପାଇଁ ସିଏଆରଆଇରେ ରୋଗୀଙ୍କ ଭିଡ଼ ଜମୁଛି । ଦୈନିକ ୮ରୁ ୯ଜଣ ରୋଗୀଙ୍କ ଜୋକ ଚିକିତ୍ସା ହେଉଛନ୍ତି । ଏହାଦ୍ୱାରା ରୋଗୀ ସୁସ୍ଥ ବି ହେଉଛନ୍ତି ବୋଲି ଅନୁଷ୍ଠାନ ପକ୍ଷରୁ ସହାୟକ ନିର୍ଦ୍ଦେଶିକା ଡା. ସାରଦା ଓତା ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ- ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା, ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା

‘ଏ ରିକ୍ସାବାଲା ରହିଯା, ମୋତେ ଟିକିଏ ନେଇଯା’ | ଏବେ ଶୁଭୁନି, ହୁଏତ ଆଉ କେବେ ଶୁଭିବନି ଏ ଡାକ