Ketan Agarwal Murder Case: ସତ ମାନିଲେ ସିୟା ଓ ପ୍ରେମୀ ଚେତନ ! ଖୋଲିଲା କେତନ ହତ୍ୟାକାଣ୍ଡର ଭୟଙ୍କର ସତ
ପୁଣେ, ୨୪।୬: ପୁଣେର ପ୍ରତିଷ୍ଠିତ ବ୍ୟବସାୟୀ କେତନ ଅଗ୍ରୱାଲ ମୃତ୍ୟୁ ମାମଲାରେ ଏକ ବଡ଼ ଟ୍ୱିଷ୍ଟ ଆସିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାଜିଥିବା କେତନଙ୍କ ଭାବି ସ୍ତ୍ରୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମୀ ଚେତନ ଚୌଧୁରୀ ନିଜର ଦୋଷ ସ୍ୱୀକାର କରିଛନ୍ତି । ଲୋନାଭାଲା ଗ୍ରାମୀଣ ପୋଲିସ ଷ୍ଟେସନର ପ୍ରଭାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ଦିନେଶ ତାୟଡେ ଗଣମାଧ୍ୟମ ସମ୍ମୁଖରେ ଏହି ଭୟଙ୍କର ଷଡ଼ଯନ୍ତ୍ରର ପୂରା ରହସ୍ୟ ଉନ୍ମୋଚନ କରିଛନ୍ତି । ତେବେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ସିୟା ଏବଂ ଚେତନଙ୍କୁ "କେତନଙ୍କ ସହ ଏମିତି କାହିଁକି କଲ୍ ?" ବୋଲି ପ୍ରଶ୍ନ କରିଥିଲେ, ଉଭୟ ଅଭିଯୁକ୍ତ ଚୁପ୍ ରହିବା ସହ ଗଣମାଧ୍ୟମ କ୍ୟାମେରାରୁ ମୁହଁ ଲୁଚାଉଥିବା ଦେଖିବାକୁ ମିଳିଥିଲା ।
ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ରଚାଯାଇଥିଲା ଚକ୍ରାନ୍ତ:
ପୁରା ଦେଶକୁ ସ୍ତବ୍ଧ କରିଦେଇଥିବା ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଏବେ ପୁଲିସ ହେପାଜତରେ ଅଛନ୍ତି । ପୁଲିସର ଜେରା ବେଳେ ସିୟା ସତ ଓଗାଳିଛି ଯେ, ସେ ଏକ ଯୋଜନାବଦ୍ଧ ସଂକଳ୍ପ ଅନୁଯାୟୀ କେତନଙ୍କୁ ଟ୍ରେକିଂ ବାହାନାରେ ଲୋହାଗଡ଼ ଦୁର୍ଗକୁ ନେଇଥିଲା । ସେଠାରେ ପୂର୍ବରୁ ହିଁ ତାର ପ୍ରେମୀ ଚେତନ ଲୁଚି ରହିଥିଲା । ସୁଯୋଗ ଦେଖି ଦୁହେଁ ମିଶି କେତନଙ୍କୁ ଗଭୀର ଖାଇ ଭିତରକୁ ଠେଲି ଦେଇଥିଲେ । ଏହାପରେ କେତନଙ୍କର ଗୋଡ଼ ଖସିଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଦୁହେଁ ନାଟକ ରଚିଥିଲେ । କିନ୍ତୁ, ପୁଲିସର ତୀକ୍ଷ୍ଣ ନଜର ଏବଂ କଠୋର ଜେରା ଆଗରେ ଏହି ମିଛ ନାଟକ ବେଶୀ ସମୟ ତିଷ୍ଠି ପାରିନଥିଲା ।
ଏହା ବି ପଢ଼ନ୍ତୁ... Ketan Agarwal Murder: ବିବାହ ପାଇଁ ବୁକ୍ ହୋଇଥିଲା ୧୭ କୋଟିର ମହଲ, କାନ୍ଦି କାନ୍ଦି ବାପା କହିଲେ- 'ମନା କରିଦେଇଥାନ୍ତୁ, ମୋ ପୁଅକୁ କାହିଁକି ମାରିଲୁ ?'
ବିବାହ ପାଇଁ ମନା ନକରି ଜୀବନ କାହିଁକି ନେଲା ସିୟା ?
ଏହି ଘଟଣା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି ସିୟା କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲା, ତେବେ ସେ ନିର୍ବନ୍ଧ ପୂର୍ବରୁ ସିଧାସଳଖ ମନା କାହିଁକି କଲାନି ? କେତନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସିୟା ବହୁତ ଜିଦ୍ଖୋର ଥିଲା ଏବଂ ସେହି ଜିଦ୍ ଯୋଗୁଁ ହିଁ ସେ କେତନଙ୍କୁ ସେଦିନ ଲୋହାଗଡ଼ ଦୁର୍ଗକୁ ନେଇଯାଇଥିଲା । ନିଜର ପ୍ରେମ ସମ୍ପର୍କ ବିଷୟରେ ସତ ନକହି ଜଣେ ନିଷ୍ପାପ ଯୁବକଙ୍କ ଜୀବନ ନେବା ପଛର ପ୍ରକୃତ କାରଣ କ’ଣ, ସେନେଇ ପୁଲିସ ଅଧିକ ଖୋଳତାଡ଼ କରୁଛି ।
ଘଟଣାସ୍ଥଳରେ ହେବ ସିନ୍ ରୀ-କ୍ରିଏସନ୍:
ତଦନ୍ତକୁ ଆହୁରି ଜୋରଦାର କରିବା ପାଇଁ ପୁଣେ ପୁଲିସ ଅଭିଯୁକ୍ତ ସିୟା ଏବଂ ଚେତନଙ୍କୁ ଧରି ଲୋହାଗଡ଼ ଦୁର୍ଗକୁ ଯାଇପାରେ । ସେଠାରେ ସେଦିନ କେମିତି ଏବଂ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟାଗଲା, ତାର 'ସିନ୍ ରୀ-କ୍ରିଏସନ୍' କରାଯିବ । ବର୍ତ୍ତମାନ ଦୁହିଁଙ୍କୁ ପୁଲିସ ଲକ୍ଅପ୍ରୁ ବାହାର କରି ଜେରା କରାଯାଉଛି ଏବଂ ଏହି ମାମଲାରେ ଆଗକୁ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି ।