Ketan Agarwal Murder: ବିବାହ ପାଇଁ ବୁକ୍ ହୋଇଥିଲା ୧୭ କୋଟିର ମହଲ, କାନ୍ଦି କାନ୍ଦି ବାପା କହିଲେ- 'ମନା କରିଦେଇଥାନ୍ତୁ, ମୋ ପୁଅକୁ କାହିଁକି ମାରିଲୁ ?'
ପୁଣେ, ୨୪।୬: ଇନ୍ଦୋରର ସୋନମ ରଘୁବଂଶୀଙ୍କ ଦ୍ୱାରା ରାଜା ରଘୁବଂଶୀଙ୍କ ହତ୍ୟା ମାମଲାକୁ ଲୋକେ ଏ ପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଏବେ ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏକ ସେହିଭଳି ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ତେବେ ଏହି ଦୁଇଟି ମାମଲାରେ ପାର୍ଥକ୍ୟ କେବଳ ଏତିକି ଯେ, ସୋନମ ବିବାହ ପରେ ନିଜ ସ୍ୱାମୀକୁ ମାରିଥିଲେ, କିନ୍ତୁ ପୁଣେ ମାମଲାରେ ବିବାହ ପୂର୍ବରୁ ଭାବି ସ୍ୱାମୀଙ୍କୁ ଜୀବନରୁ ମାରି ଦିଆଯାଇଛି । ପ୍ରାରମ୍ଭରେ ଜଣାପଡ଼ିଥିଲା ଯେ, ପୁଣେର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ୨୬ ବର୍ଷୀୟ ପୁଅ କେତନ ଅଗ୍ରୱାଲଙ୍କର ଲୋହଗଡ଼ ଦୁର୍ଗରେ ଟ୍ରେକିଂ କରିବା ସମୟରେ ଖସିପଡ଼ି ମୃତ୍ୟୁ ହୋଇଛି । ପ୍ରଥମେ ଏହା ଏକ ଦୁଃଖଦ ଦୁର୍ଘଟଣା ପରି ମନେହେଉଥିଲା, କିନ୍ତୁ ପୁଲିସର ତଦନ୍ତ ଯେତିକି ଆଗକୁ ବଢ଼ିଲା, କାହାଣୀ ସେତିକି ବଦଳିବାକୁ ଲାଗିଲା । ଏହି ମାମଲାରେ ସାମ୍ନାକୁ ଆସିଛି ଯେ, କେତନଙ୍କ ଭାବି ପତ୍ନୀ ସିଆ ଗୋୟଲ ନିଜ ପ୍ରେମିକ ସହ ମିଶି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚିଥିଲେ ।
ବିବାହ ପାଇଁ ବୁକ୍ ହୋଇଥିଲା ୧୭ କୋଟିର ରାଜମହଲ:
କେତନ ଏବଂ ସିଆଙ୍କର ନିର୍ବନ୍ଧ ସରିଯାଇଥିଲା ଏବଂ ଚଳିତ ବର୍ଷ ହିଁ ଦୁହିଁଙ୍କର ବିବାହ ହେବାର ଥିଲା । ଏଥିପାଇଁ ପରିବାର ପକ୍ଷରୁ ରାଜସ୍ଥାନର ଜୟପୁରରେ ଏକ ବିଳାସପୂର୍ଣ୍ଣ ମହଲକୁ ୧୭ କୋଟି ଟଙ୍କାରେ ବୁକ୍ କରାଯାଇଥିଲା । ବିବାହ ପୂର୍ବରୁ କେତନ ଏବଂ ସିଆ ପ୍ରି-ୱେଡିଂ ଫଟୋସୁଟ୍ ପାଇଁ ବାଲି ଯିବାର ଯୋଜନା କରିଥିଲେ । କିନ୍ତୁ, ଶେଷ ମୁହୂର୍ତ୍ତରେ କେତନଙ୍କ ପାସପୋର୍ଟ ହଠାତ୍ ଗାୟବ ହୋଇଯିବା ଯୋଗୁଁ ଏହି ଟ୍ରିପ୍ ବାତିଲ ହୋଇଯାଇଥିଲା । ଏହାପରେ ଜୁନ୍ ୧୮ ତାରିଖରେ କେତନ ନିଜ ଭାବି ପତ୍ନୀ ସିଆଙ୍କ ସହ ପୁଣେ ନିକଟସ୍ଥ ଐତିହାସିକ ଲୋହଗଡ଼ ଦୁର୍ଗକୁ ଟ୍ରେକିଂ ପାଇଁ ଯାଇଥିଲେ । ସେଠାରେ ସିଆ ଏକ ଯୋଜନାବଦ୍ଧ ଭାବେ କେତନଙ୍କୁ ଗଭୀର ଖାଇକୁ ଠେଲି ଦେଇଥିଲେ ।
ଏହା ବି ପଢ଼ନ୍ତୁ... Pune Incident: ଟ୍ରାକିଂ ବାହାନାରେ ମୃତ୍ୟୁ ଝଟକା, ଭାବି ସ୍ୱାମୀଙ୍କ ଫଟୋ ଉଠାଉ ଉଠାଉ ଖାଇକୁ ଠେଲିଦେଲେ
ଫଟୋ ଉଠାଇବା ବେଳେ ଗୋଡ଼ ଖସିଯାଇଥିବା ନେଇ ରଚିଥିଲେ ନାଟକ:
ହତ୍ୟା କରିବା ପରେ ସିଆ ପୁଲିସକୁ କହିଥିଲେ ଯେ ଫଟୋ ଉଠାଇବା ସମୟରେ କେତନଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଖାଇରେ ପଡ଼ିଯାଇଥିଲେ । ଏହି ଘଟଣା ପରେ ଲୋକମାନେ ସିଆଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଥିଲେ, କାରଣ ବିବାହର ମାତ୍ର କିଛି ଦିନ ପୂର୍ବରୁ ତାଙ୍କ ଭାବି ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ଏପରିକି ସିଆ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମଧ୍ୟ ସେୟାର କରିଥିଲେ । ପୁଣେ ଗ୍ରାମୀଣ ପୁଲିସ ଏସପି ସନ୍ଦୀପ ସିଂ ଗିଲ୍ଙ୍କ ସୂଚନା ଅନୁଯାୟୀ, ତଦନ୍ତରୁ ଜଣାପଡ଼ିଛି ଯେ ସିଆ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ ମିଶି କେତନଙ୍କୁ ଠେଲି ହତ୍ୟା କରିଛନ୍ତି ଏବଂ ଏହାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛନ୍ତି । ପୁଲିସ ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ଆହୁରି ମଧ୍ୟ କହିଛି ଯେ ସିଆ ପୂର୍ବରୁ ମଧ୍ୟ କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । ସେ ପ୍ରଥମେ ମେ ୩୧ ରେ ଏବଂ ପରେ ଜୁନ୍ ୧୪ ରେ କେତନଙ୍କୁ ସେହି ଲୋହଗଡ଼ ଦୁର୍ଗକୁ ନେଇଯାଇଥିଲେ । ସେତେବେଳେ ମଧ୍ୟ ସେ ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଆଶ୍ଚର୍ଯ୍ୟର କଥା, ଏହି ସମୟ ମଧ୍ୟରେ କେତନଙ୍କ ମନରେ ସିଆଙ୍କ ପ୍ରତି କୌଣସି ସନ୍ଦେହ ଆସିନଥିଲା ।