03 AUGUST 2026

Welcome!

Unlock your personalized experience.
Sign Up

Indian Organ Donation Day :ଆଜି ଭାରତୀୟ ଅଙ୍ଗ ଦାନ ଦିବସ, ବ୍ରେନ୍‌ଡେଥ୍‌ ଘୋଷଣା ପ୍ରତି ନାହିଁ ଗୁରୁତ୍ୱ...

Aug 03, 2026 - 08:46
Indian Organ Donation Day :ଆଜି ଭାରତୀୟ ଅଙ୍ଗ ଦାନ ଦିବସ, ବ୍ରେନ୍‌ଡେଥ୍‌ ଘୋଷଣା ପ୍ରତି ନାହିଁ ଗୁରୁତ୍ୱ...

କଟକ,୦୩/୦୮: ଅଙ୍ଗଦାନ ମହାପୁଣ୍ୟ । ମାତ୍ର ଏହି ଅଙ୍ଗ ପ୍ରତିରୋପଣ ଚିକିତ୍ସା ହାର ଆମ ରାଜ୍ୟରେ ସେପରି ଆଗେଇ ପାରୁନାହିଁ । ଅଙ୍ଗ ପ୍ରତିରୋପଣ ପାଇଁ ୧୨ଟି ସଂସ୍ଥା ଅନୁମତି ପାଇଥିବା ବେଳେ ସରକାରୀ ମେଡିକାଲ କଲେଜ ସ୍ତରରେ ଏସ୍‌ସିବିକୁ ଛାଡ଼ି ଦେଲେ ଅନ୍ୟ ସରକାରୀ ମେଡିକାଲ କଲେଜରେ ଏହି ସୁବିଧା ନାହିଁ । ରାଜ୍ୟରେ କିଡ୍‌ନୀ ପ୍ରତିରୋପଣ ଊଣାଅଧିକେ ଏସ୍‌ସିବି ମେଡିକାଲ ଓ ବେସରକାରୀ ଚିକିତ୍ସାଳୟରେ ଚାଲିଥିବା ବେଳେ ଲିଭର ପ୍ରତିରୋପଣ କାଁ ଭାଁ କେଉଁଠି ହେଉଛି । ମାତ୍ର ହୃତ୍‌ପିଣ୍ଡ (ହାର୍ଟ) ଟ୍ରାନ୍ସପ୍ଲାଣ୍ଟ୍ ଚିକିତ୍ସା ରାଜ୍ୟରେ ସାତସପନ ହୋଇଛି ।

ରାଜ୍ୟରେ ୨୦୧୨ରୁ ଅଦ୍ୟାବଧି ୨୦୬୨ ଜଣ ରୋଗୀଙ୍କର କିଡ୍‌ନୀ  ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିବା ସୂଚନା ମିଳିଛି । ଏଥିରେ ଏସ୍ସିବି ମେଡିକାଲରେ ପ୍ରାୟ ୨୫୦ ରୋଗୀଙ୍କର ପ୍ରତିରୋପଣ ହୋଇଛି । ରାଜ୍ୟରେ ୨୦୨୦ରେ ଲିଭର ପ୍ରତିରୋପଣ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ୨୪ ଜଣ ରୋଗୀଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ୍ ହୋଇଛି । ଏଥିରେ ଏସ୍‌ସିବିରେ ମାତ୍ର ୨ଟି ହୋଇଥିବା ବେଳେ ଅବଶିଷ୍ଟ ୨୨ ଜଣ ରୋଗୀ ଘରୋଇ ହସ୍ପିଟାଲରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲିଭର ପ୍ରତିରୋପଣ କରାଇଛନ୍ତି ।

ସଚେତନତା ଅଭାବ ଓ ସରକାରୀ ସ୍ତରରେ ଆନ୍ତରିକତା ଅଭାବରୁ ଅଙ୍ଗ ପ୍ରତିରୋପଣ ଚିକିତ୍ସା ଆଗେଇ ପାରୁନଥିବା କିଛି ବରିଷ୍ଠ ଚିକିତ୍ସକ କହିଛନ୍ତି । ବିଶେଷଜ୍ଞଙ୍କ ମତରେ ପାଶ୍ଚାତ୍ୟ ଦେଶ ସହ ଦକ୍ଷିଣ ଭାରତରେ ଲାଇଭ୍ ଡୋନର ଜୀବନ୍ତ ଲୋକର ଅଙ୍ଗ ଅପେକ୍ଷା ମସ୍ତିଷ୍କ ମୃତ୍ୟୁ (ବ୍ରେନ୍ ଡେଥ୍)ଙ୍କର ଅଙ୍ଗରେ ଅଧିକ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍ ହେଉଛି । ମାତ୍ର ଆମ ରାଜ୍ୟରେ କାଡାଭରିକ୍ ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ୍ ହାର ନଗଣ୍ୟ ରହିଛି । ବଞ୍ଚିବାର ସମ୍ଭାବନା ନ ଥିବା ରୋଗୀ ଓ ଦୁର୍ଘଟଣାଗ୍ରସ୍ତଙ୍କର ଅତି ସଙ୍କଟାପନ୍ନ ସ୍ଥିତିରେ ତଥା ଆସନ୍ନ ମୃତ୍ୟୁ ବା ମୃତ୍ୟୁର ଦ୍ୱାରଦେଶରେ ହସ୍ପିଟାଲରେ ଥିଲେ ସେମାନଙ୍କୁ ବ୍ରେନ୍ ଡେଥ୍ ଘୋଷଣା କରିବାର କ୍ଷମତା ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ର ରହିଛି । ମାତ୍ର ଏ ସମ୍ପର୍କରେ ବିଭିନ୍ନ ସରକାରୀ ମେଡିକାଲ ଏବଂ ବେସରକାରୀ ହସ୍ପିଟାଲ ସ୍ତରରେ ଲୋକଙ୍କୁ ସଚେତନ କରାଯାଉନାହିଁ ।

ଅଧିକ ପଢ଼ନ୍ତୁ :-  Rain Alert: ଆସନ୍ତା ୮ ତାରିଖ ଯାଏ ପ୍ରବଳ ବର୍ଷା, ଉପରମୁଣ୍ଡରେ ବି ପ୍ରବଳ ବର୍ଷିବ, ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍ଆରସି

ଏସ୍‌ସିବି ମେଡିକାଲରେ ଦିନକୁ ୧୫ରୁ ଅଧିକ ରୋଗୀ ଓ ଦୁର୍ଘଟଣାଗ୍ରସ୍ତଙ୍କର ମୃତ୍ୟୁ ଘଟୁଥିଲେ ହେଁ ବ୍ରେନ୍ଡେଥ୍ ଘୋଷଣା ହୋଇପାରୁନାହିଁ । ପ୍ରାୟ ୩ ବର୍ଷ ତଳେ ଜଣେ ଗୁରୁତର ରୋଗୀଙ୍କର ବ୍ରେନ୍‌ଡେଥ୍ ଘୋଷଣା ହୋଇଥିଲା । ତାହା କେବଳ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସମ୍ଭବ ହୋଇଥିଲା । ବ୍ରେନ୍‌ଡେଥ୍ ଘୋଷଣା ପ୍ରତି ଆନ୍ତରିକତା ରହିଲେ ଏସ୍ସିବି ହେଉ କିମ୍ବା ରାଜ୍ୟର ଅନ୍ୟ ୧୧ଟି ହସ୍ପିଟାଲରେ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍ ସମ୍ଭବ ହୋଇପାରନ୍ତା ବୋଲି ରୋଗୀ ସମ୍ପର୍କୀୟମାନେ କହିଛନ୍ତି ।

ମିଳିଥିବା ସୂଚନାନୁସାରେ, ୨୦୨୦ ମସିହାରେ ରାଜ୍ୟରେ ୩ ଜଣଙ୍କର ମସ୍ତିଷ୍କ ମୃତ୍ୟୁ(ବ୍ରେନ୍‌ଡେଥ୍) ଘୋଷଣା ହୋଇଥିଲା । ୩ ଜଣଙ୍କ ଶରୀରରୁ କିଡ୍‌ନୀ ଆସି ତାହା ୬ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇଥିଲା । ସେହିପରି ୨୦୨୨ରେ ୨ ଜଣ ବ୍ରେନ୍‌ଡେଥ୍ ଘୋଷଣା ପରେ ଦୁଇ ମୃତକଙ୍କ କିଡ୍ନୀରେ ୪ ଜଣ ନୂଆ ଜୀବନ ପାଇଥିଲେ । ୨୦୨୩ରେ ୩ ଜଣ ରୋଗୀଙ୍କ ବ୍ରେନ୍‌ଡେଥ୍ ଘୋଷଣା ପରେ ୬ ଜଣ ରୋଗୀଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟ ରାଜ୍ୟକୁ ଯକୃତ(ଲିଭର) ଏବଂ ଫୁସ୍‌ଫୁସ୍ ଯାଇ ସେଠାରେ ପ୍ରତିରୋପଣ କରାଯାଇଥିଲା । ୨୦୨୪ରେ ୧୪ ଜଣ ରୋଗୀଙ୍କ ବ୍ରେନ୍‌ଡେଥ୍ ପରେ ମୃତକଙ୍କ ଶରୀରରୁ କିଡ୍‌ନୀ ସଂଗ୍ରହ କରାଯାଇ ୨୦ ଜଣଙ୍କ ରୋଗୀଙ୍କ କିଡ୍ନୀ ପ୍ରତିରୋପଣ ଓ ୫ ଜଣଙ୍କ ଶରୀରରେ ଯକୃତ ପ୍ରତିରୋପଣ କରାଯାଇଥିଲା ।

ସେହିପରି ସମ୍ପୃକ୍ତ ମୃତକଙ୍କ ଅଙ୍ଗ ଯାଇ ରାଜ୍ୟ ବାହାରେ ୨ ଜଣ ରୋଗୀଙ୍କ ଶରୀରରେ ଯକୃତ ପ୍ରତିରୋପଣ ଓ ଅନ୍ୟ ଜଣେ ରୋଗୀଙ୍କ ଶରୀରରେ ହୃତ୍‌ପିଣ୍ଡ(ହାର୍ଟ) ପ୍ରତିରୋପଣ କରାଯାଇଥିଲା । ୨୦୨୫ରେ ୧୪ ଜଣଙ୍କ ବ୍ରେନ୍‌ଡେଥ୍ ପରେ ଓଡ଼ିଶାରେ ବିଭିନ୍ନ ହସ୍ପିଟାଲରେ ୨୨ ଜଣ ରୋଗୀଙ୍କର କିଡ୍ନୀ ପ୍ରତିରୋପଣ ଓ ୮ ଜଣଙ୍କର ଯକୃତ ପ୍ରତିରୋପଣ କରାଯାଇଥିଲା । ମୃତକଙ୍କ ଶରୀରରୁ ଲିଭର ଯାଇ ରାଜ୍ୟ ବାହାରେ ଜଣେ ରୋଗୀଙ୍କ ଶରୀରରେ ତାହା ପ୍ରତିରୋପଣ କରାଯାଇଥିଲା । ୨୦୨୬ରେ ଅଦ୍ୟାବଧି ୧୧ ଜଣଙ୍କର ବ୍ରେନ୍‌ଡେଥ୍ ଘୋଷଣା ହୋଇଥିବାର ସୂଚନା ମିଳିଛି । ମୃତକଙ୍କ ଶରୀରରୁ ସଂଗୃହୀତ କିଡ୍‌ନୀରେ ୧୦ ଜଣ ରୋଗୀଙ୍କ ପ୍ରତିରୋପଣ କରାଯାଇଛି । ସେହିପରି ୯ ଜଣ ରୋଗୀଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ୍ ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।