29 JUNE 2026

Welcome!

Unlock your personalized experience.
Sign Up

Indian Army: ଚୀନ୍ ସୀମାରେ ଭାରତୀୟ ସେନାର ‘ମାଷ୍ଟରପ୍ଲାନ’; ପ୍ରସ୍ତୁତ ହେଲା ୫୦୦୦ ଯବାନଙ୍କ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’

Jun 29, 2026 - 12:35
Indian Army: ଚୀନ୍ ସୀମାରେ ଭାରତୀୟ ସେନାର ‘ମାଷ୍ଟରପ୍ଲାନ’; ପ୍ରସ୍ତୁତ ହେଲା ୫୦୦୦ ଯବାନଙ୍କ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’

ନୂଆଦିଲ୍ଲୀ, ୨୯।୬: ଚୀନ୍ ସୀମାରେ ଭାରତୀୟ ସେନାର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି । ଶତ୍ରୁପକ୍ଷକୁ ସାବାଡ଼ କରିବା ପାଇଁ ଭାରତୀୟ ସେନାର ସ୍ପେଶାଲ ଫୋର୍ସ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’ (IBG) ଆସନ୍ତା ଜୁଲାଇ ୧ ତାରିଖରୁ ନିଜର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏହି ଗ୍ରୁପ୍ ଗଠନ ହେବା ଦ୍ଵାରା ଭାରତୀୟ ସେନାର ଯୁଦ୍ଧ କୌଶଳ ଓ କାର୍ଯ୍ୟଶୈଳୀରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ପାନାଗଡ଼ସ୍ଥିତ ୧୭ତମ ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋର (MSC) ରୁ ହିଁ ଏହି ପ୍ରଥମ ଆଇବିଜି ପ୍ରସ୍ତୁତ କରାଯାଇଛି । ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଶତ୍ରୁ ସେନାକୁ ସାମ୍ନା କରିବା ଏବଂ ଅତି କମ୍ ସମୟ ମଧ୍ୟରେ ଯବାନମାନଙ୍କୁ ମୁତୟନ କରିବା ଏହି ଗ୍ରୁପ୍‌ର ମୁଖ୍ୟ ଉଦ୍ଦେଶ୍ୟ ।

କାହିଁକି ଗଠନ ହେଲା 'ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍' ?  

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ସ୍ପେଶାଲ ଗ୍ରୁପ୍‌ର ସଞ୍ଚାଳନ ଆସନ୍ତା ସେପ୍ଟେମ୍ବର ମାସରେ ହେବାର ଥିଲା, ମାତ୍ର ସୀମାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସମୟ ପୂର୍ବରୁ ଅର୍ଥାତ୍ ଜୁଲାଇ ୧ରୁ କାର୍ଯ୍ୟକ୍ଷମ କରାଯାଉଛି । ୨୦୧୮ ମସିହାରେ ପ୍ରଥମ କରି ଏହି ଆଇବିଜି ଗଠନ ନେଇ ଚିନ୍ତା କରାଯାଇଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଶତ୍ରୁ ଆକ୍ରମଣର ଜବାବ ଦେବା ।

IBG ର ପ୍ରମୁଖ ବିଶେଷତ୍ୱ:

ଏହି ଗ୍ରୁପ୍‌ରେ ପ୍ରାୟ ୫,୦୦୦ ଯବାନ ସାମିଲ ରହିବେ । ସେନାବାହିନୀର ଏକ ପାରମ୍ପରିକ ବ୍ରିଗେଡ୍‌ରେ ୩ ରୁ ୫,୦୦୦ ଏବଂ ଡିଭିଜନରେ ୧୦ ରୁ ୧୨,୦୦୦ ଯବାନ ଥାଆନ୍ତି । IBG କୁ ଏହି ଦୁଇଟିର ମଝିରେ ରଖାଯାଇଛି, ଯାହା ତୁରନ୍ତ ଆକ୍ସନ ନେବାରେ ସକ୍ଷମ । ଏହି ଗ୍ରୁପ୍ ତିନୋଟି ମୁଖ୍ୟ ଆଧାର ଉପରେ କାମ କରେ - ଥ୍ରେଟ୍, ଟେରେନ୍ ଏବଂ ଟାସ୍କ । ଅନ୍ୟ ଡିଭିଜନର ସହାୟତାକୁ ଅପେକ୍ଷା ନକରି ନିଜେ ଉଭୟ ପ୍ରତିରକ୍ଷା ଏବଂ ଆକ୍ରମଣାତ୍ମକ ପଦକ୍ଷେପ ନେଇପାରିବେ । ଏମାନେ ପାହାଡ଼ଠାରୁ ଆରମ୍ଭ କରି ମରୁଭୂମି ପର୍ଯ୍ୟନ୍ତ ସବୁ ପରିସ୍ଥିତିରେ ଯୁଦ୍ଧ କରିବାକୁ ସକ୍ଷମ । ସେନାର ଗୋଟିଏ ବଡ଼ କୋରରେ ପ୍ରାୟ ୧ ଲକ୍ଷ ଯବାନ ଥାଆନ୍ତି, ଯାହାଙ୍କୁ ଦୁର୍ଗମ ଅଞ୍ଚଳକୁ ତୁରନ୍ତ ପଠାଇବା ସହଜ ହୋଇନଥାଏ । କିନ୍ତୁ IBG ର ଛୋଟ ଗ୍ରୁପ୍ ଅତି ସହଜରେ ଓ ସ୍ୱଳ୍ପ ସମୟ ମଧ୍ୟରେ ଯେକୌଣସି ସ୍ଥାନରେ ପହଞ୍ଚି ପାରିବେ ।

ଏହା ବି ପଢ଼ନ୍ତୁ... Ukrain Drone Attack: ୟୁକ୍ରେନର ଭୟଙ୍କର ଡ୍ରୋନ୍ ମାଡ଼; ଜଳିଗଲା ରୁଷିଆର ପ୍ରମୁଖ ତୈଳ ବିଶୋଧନାଗାର, ପ୍ରଥମ ଥର 'ଇନ୍ଧନ ସଙ୍କଟ' ସ୍ୱୀକାର କଲେ ପୁଟିନ୍ !  

ଚୀନ୍ ସୀମାରୁ ଆରମ୍ଭ ହେବ ଅପରେସନ:

ମିଳିଥିବା ସୂଚନା ମୁତାବକ, ୧୭ତମ ମାଉଣ୍ଟେନ୍ ଷ୍ଟ୍ରାଇକ୍ କୋର ଅଧୀନରେ ୪ଟି ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍ ଏବଂ ଗୋଟିଏ ଫାୟାର ସପୋର୍ଟ ଗ୍ରୁପ୍ ଗଠନ କରାଯିବ । ପ୍ରତ୍ୟେକ ଗ୍ରୁପ୍‌ର କମାଣ୍ଡ ଭାରତୀୟ ସେନାର ଜଣେ ଜଣେ ମେଜର ଜେନେରାଲ୍ ରାଙ୍କର ଅଧିକାରୀଙ୍କ ହାତରେ ରହିବ । ଏହାସହ ଜଣେ ବ୍ରିଗେଡିୟର ରାଙ୍କର ଅଧିକାରୀ ଚିଫ୍ ଅପରେସନ୍ସ ଅଫିସର ଭାବେ ମୁତୟନ ହେବେ । ପ୍ରତ୍ୟେକ ଆଇବିଜିରେ ୧୨ ରୁ ୧୩ଟି ୟୁନିଟ୍ ରହିବ । ଏଥିରେ ଇନଫେଣ୍ଟ୍ରି ବ୍ୟାଟେଲିୟନ, ଆର୍ଟିଲାରୀ ରେଜିମେଣ୍ଟ, ଇଲେକ୍ଟ୍ରୋନିକ୍ସ କୋର, ମେକାନିକାଲ ଏବଂ କମ୍ବାଟ୍ ଇଞ୍ଜିନିୟର୍ସ, ଆର୍ମି ସର୍ଭିସ କୋର ଏବଂ ଫିଲ୍ଡ ହସ୍ପିଟାଲ୍ ସାମିଲ ରହିବେ । ଆର୍ଟିଲାରୀ ପ୍ଲାଟଫର୍ମ ବିଶିଷ୍ଟ ଫାୟାର ସପୋର୍ଟ ଗ୍ରୁପ୍ ସିଧାସଳଖ ୧୭ତମ କୋର ମୁଖ୍ୟାଳୟ ଅଧୀନରେ କାମ କରିବ । ସେନାରେ ନୂତନ ଭାବେ ସାମିଲ ହୋଇଥିବା ଶକ୍ତିଶାଳୀ 'ଦିବ୍ୟାସ୍ତ୍ର ବ୍ୟାଟେରୀ' କୁ ମଧ୍ୟ ଏହି ଗ୍ରୁପ୍ ଅଧୀନରେ ରଖାଯିବାର ସମ୍ଭାବନା ରହିଛି । ଏହି ନୂତନ ସାମରିକ ବ୍ୟବସ୍ଥା ଦ୍ଵାରା ଚୀନ୍ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥା ଆହୁରି ଦେଢ଼ ଗୁଣ ମଜଭୁତ ହେବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।