IND vs ENG 4th T20I: ଟିମ୍ ଇଣ୍ଡିଆ ପାଇଁ ଅନ୍ତିମ ସୁଯୋଗ, ଆଜି ମ୍ୟାଚ୍ ହାରିଲେ ବ୍ୟାକ ଟୁ ବ୍ୟାକ୍ ସିରିଜ୍ ପରାଜୟ
ବ୍ରିଷ୍ଟଲ,୦୯/୦୭: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାର ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା । ୩ଟି ମ୍ୟାଚ ଶେଷ ହୋଇ ସାରିଛି । ଇଂଲଣ୍ଡ ୨-୦ରେ ସିରିଜ ଆଗୁଆ ରହିଛି । ଗୋଟିଏ ମ୍ୟାଚକୁ ବର୍ଷା ଧୋଇ ନେଇଛି । ଆଉ ଗୋଟିଏ ମ୍ୟାଚ ହାରିଲେ ଭାରତ କ୍ରମାନ୍ୱୟରେ ଦ୍ୱିତୀୟ ସିରିଜ ପରାଜିତ ହେବ । ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଦଳ ସିରିଜ ହାରିଥିଲା ।
ଇଂଲଣ୍ଡ ମାଟିରେ ନୂଆ କରି ଖେଳିବାର ଅଭିଜ୍ଞତା ନେଉଥିବା ଖେଳାଳିମାନଙ୍କୁ ପ୍ରଥମେ ତ୍ରୁଟି ସୁଧାରିବାକୁ ପଡ଼ିବ । ବିଶେଷ କରି ବ୍ୟାଟରମାନେ ଧୈର୍ଯ୍ୟର ସହ କ୍ରିଜରେ ଜମିବା ଜରୁରି । ଥରେ କ୍ରିଜରେ ଜମି ରହିଲେ ବିଶାଳ ସ୍କୋର ସଂଗୃହୀତ ହୋଇ ପାରିବ । ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ପ୍ରତି ବଲ୍କୁ ବାଉଣ୍ଡାରୀ ବାହାରକୁ ପଠାଇବାର ଯୋଜନା ପରିବର୍ତ୍ତନ କରିବା ନିହାତି ଆବଶ୍ୟକ ।
ବୋଲିଂ ବିଭାଗରେ ସେଭଳି ଶୃଙ୍ଖଳା ଦେଖିବାକୁ ମିଳୁନାହିଁ । ଇଂଲଣ୍ଡର ପିଚ ସହ ଏପର୍ଯ୍ୟନ୍ତ ବୋଲରମାନେ ଖାପ ଖୁଆଇ ପାରିନାହାନ୍ତି । ଇଂଲଣ୍ଡ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛି । କେବଳ ଜୋସ ବଟଲରଙ୍କ ଫର୍ମକୁ ନେଇ ସାମାନ୍ୟ ଚିନ୍ତା ରହିଛି । ବାକି ସବୁ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି । ଆଉ ଗୋଟିଏ ମ୍ୟାଚ ଜିତି ଭାରତ ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ସିରିଜ ବିଜୟ ହାସଲ କରିବାକୁ ଇଂଲଣ୍ଡ ପ୍ରୟାସ କରିବ ।
ଅଧିକ ପଢ଼ନ୍ତୁ :- କେଉଁଠି ଅଛନ୍ତି ସୌରଭ ଗାଙ୍ଗୁଲିଙ୍କ ଝିଅ, ଜନ୍ମଦିନରେ ଦାଦା କହିଲେ ବଡ଼ କଥା
ବ୍ରିଷ୍ଟଲରେ ଭାରତର ଉନ୍ନତ ରେକର୍ଡ ରହିଛି । ଏଠାରେ ଭାରତ ଖେଳିଥିବା ଶେଷ ୪ଟି ମ୍ୟାଚ୍ ଜିତିଛି । ୨୦୧୮ରେ ଶେଷ ଥର ପାଇଁ ଭାରତ ଏଠାରେ ଏକ ଟି-ଟ୍ୱେଣ୍ଟି ଖେଳିଥିଲା ଓ ୧୯୯ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ପେସ୍ ବୋଲରମାନେ ଆରମ୍ଭରୁ ନୂଆ ବଲ୍ରେ ପିଚ୍ର ଫାଇଦା ଉଠାଇ ପାରିବେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ଇଂଲଣ୍ଡ : ଫିଲ ସଲ୍ଟ, ଜୋସ ବଟଲର, ହ୍ୟାରୀ ବ୍ରୁକ୍(ଅଧିନାୟକ), ଜାକବ ବେଥେଲ, ଟମ ବାଣ୍ଟନ, ସାମ କୁରାନ, ୱିଲ ଜ୍ୟାକ୍ସ, ଲାଏମ ଡାଓସନ, ଆଦିଲ ରସିଦ, ଜୋଫ୍ରା ଆର୍ଚର, ଜୋସ ଟଙ୍ଗ ।
ଭାରତ : ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଇଶାନ କିଷନ, ଶ୍ରେୟାସ ଆୟର(ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ବରୁଣ ଚକ୍ରବର୍ତ୍ତୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।