IDFC FIRST Bank scam : ଚଣ୍ଡିଗଡ଼-ଲୁଧିଆନାରେ CBIର ଚଢ଼ାଉ , ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ
ନୂଆଦିଲ୍ଲୀ : IDFC ଫାର୍ଷ୍ଟ ବ୍ୟାଙ୍କ ସହ ଜଡ଼ିତ କଥିତ ୬୫୭ କୋଟି ଟଙ୍କାର ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ବଡ଼ କାର୍ଯ୍ୟାନୁଷ୍ଠାନ। ତଦନ୍ତକାରୀ ସଂସ୍ଥା ଚଣ୍ଡିଗଡ଼ ଏବଂ ଲୁଧିଆନାରେ କେତେକ ସ୍ଥାନରେ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ ଦଲିଲ୍ ଏବଂ ପ୍ରମାଣ ଜବତ କରିଛି। ସିବିଆଇ ଅନୁଯାୟୀ, ଏହି ମାମଲା 'ଚଣ୍ଡୀଗଡ଼ ସ୍ମାର୍ଟ ସିଟି ଲିମିଟେଡ୍' (CSCL) ଏବଂ ଚଣ୍ଡୀଗଡ଼ ନଗର ନିଗମର ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୬୫୭ କୋଟି ଟଙ୍କାର ହେରଫେର ସହ ଜଡ଼ିତ।
ନ୍ୟୁଜ୍ ଏଜେନ୍ସି 'ଭାଷା' ଅନୁସାରେ, ତଦନ୍ତ ସମୟରେ ସିବିଆଇ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଥିଲା। ଏଥି ମଧ୍ୟରେ ସନ୍ଦିଗ୍ଧ ହିତାଧିକାରୀଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଏହି ମାମଲା ସହ ଜଡ଼ିତ ବ୍ୟକ୍ତିମାନଙ୍କର ଆଡ୍ଡା ସାମିଲ ରହିଛି। ତଦନ୍ତକାରୀ ସଂସ୍ଥା କହିଛି ଯେ, ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ଏବଂ ଅନ୍ୟାନ୍ୟ ପ୍ରମାଣ ମିଳିଛି, ଯାହା ଆଗାମୀ ତଦନ୍ତରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
କ’ଣ ଥିଲା ପୂରା ମାମଲା ?
ଏହି ମାମଲା IDFC ଫାର୍ଷ୍ଟ ବ୍ୟାଙ୍କର ଚଣ୍ଡୀଗଡ଼ ସେକ୍ଟର-୩୨ ସ୍ଥିତ ଶାଖା ସହିତ ଜଡ଼ିତ। ପ୍ରଥମେ ଏହି ମାମଲାର ତଦନ୍ତ ହରିୟାଣା ରାଜ୍ୟ ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ କରୁଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ହରିୟାଣା ସରକାରଙ୍କ ଅନୁରୋଧ କ୍ରମେ ଏହି ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇ ଥିଲା। ସିବିଆଇ ଅନୁଯାୟୀ, ଏହି କଥିତ ଦୁର୍ନୀତି ଯୋଗୁଁ ହରିୟାଣା ସରକାରଙ୍କର ପ୍ରାୟ ୫୦୪ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି। ଚଣ୍ଡଗଡ଼ ପ୍ରଶାସନର ପ୍ରାୟ ୧୫୩ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଛି। ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ପୂର୍ବରୁ ଏକାଧିକ ଚାର୍ଜସିଟ୍ ଦାଖଲ କରିସାରିଛି। ଏହା ବ୍ୟତୀତ ତଦନ୍ତ ପ୍ରକ୍ରିୟା ମଧ୍ୟରେ ୩ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଗିରଫ କରାଯାଇ ସାରିଛି। ବର୍ତ୍ତମାନ ସିବିଆଇ ଏହି ଟଙ୍କାର ଅନ୍ତିମ ହିତାଧିକାରୀ ଏବଂ ସମ୍ପୂର୍ଣ୍ଣ ନେଟୱାର୍କର ପର୍ଦ୍ଦାଫାଶ କରିବାକୁ ତଦନ୍ତ ଜାରି ରଖିଛି।
ଆହୁରି ମଧ୍ୟ ପଢନ୍ତୁ - Raja Raghuvanshi Murder Case: ରାଜା ରଘୁବଂଶୀ ହତ୍ୟାକାଣ୍ଡ; ସୋନମ୍ଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ 'ଜାମିନ୍ର ହକ୍ଦାର ନୁହଁନ୍ତି ଅଭିଯୁକ୍ତ' !
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।