ସୁପ୍ରିମକୋର୍ଟ ସହ ଦେଶର ସବୁ ଅଦାଲତରେ ଗଡ଼ୁଛି ୫.୬୪ କୋଟି ମାମଲା
ଭୁବନେଶ୍ବର (ପ୍ରମେୟ ଡିଜିଟାଲ): ଅଦାଲଳତଗୁଡ଼ିକରେ ମାମଲା ବିଚାରରେ ବହୁ ବିଳମ୍ବ ହେଉଛି । ବର୍ଷ ବର୍ଷ ଧରି ମାମଲା ପଡ଼ି ରହୁଥିବାରୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଛି । ସୁପ୍ରିମ କୋର୍ଟ ସହ ଅନ୍ୟ ସମସ୍ତ ଅଦାଲତରେ ୫.୬୪ କୋଟିରୁ ଅଧିକ ମାମଲା ଗଡ଼ୁଛି । ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟଙ୍କ ଏ ସଂପର୍କିତ ପ୍ରଶ୍ନର ଏ ଉତ୍ତର ରଖିଛି କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ରାଜ୍ୟସଭାରେ ଦେଶର ବିଭିନ୍ନ ଅଦାଲତରେ ବୃଦ୍ଧି ପାଉଥିବା ବିଚାରାଧୀନ ମାମଲା ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ । ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଏବଂ ଅଧସ୍ତନ ଅଦାଲତ ଗୁଡ଼ିକରେ ରାଜ୍ୟଭିତ୍ତିକ ବିଚାରାଧୀନ ମାମଲାର ସଂଖ୍ୟା କେତେ ଏବଂ ବର୍ଷକରୁ ଆରମ୍ଭ କରି ୩୦ ବର୍ଷରୁ ଅଧିକ ସମୟ ଧରି କେତେ ମାମଲା ପଡ଼ି ରହିଛି ଶ୍ରୀ ରାୟ ତା’ର ବିବରଣୀ ମାଗିଥିଲେ ।
ଏହାର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୧୬ ଜୁଲାଇ ୨୦୨୬ ସୁଦ୍ଧା ଦେଶରେ ସୁପ୍ରିମକୋର୍ଟରେ ୯୬,୦୨୪ଟି, ବିଭିନ୍ନ ହାଇକୋର୍ଟରେ ୬୪.୭୨ ଲକ୍ଷ ଏବଂ ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୪.୯୮ କୋଟି ମାମଲା ବିଚାରାଧୀନ ରହିଛି । ମୋଟ ଭାବେ ଦେଶର ଅଦାଲତଗୁଡ଼ିକରେ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି । ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧,୬୯,୩୨୦ଟି ମାମଲା ଏବଂ ରାଜ୍ୟର ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୧୮,୬୮,୩୨୩ଟି ମାମଲା ବିଚାରାଧୀନ ରହିଛି ।
ସରକାର ଉତ୍ତର ଦେଇଛନ୍ତି ଯେ, ମାମଲାର ନିଷ୍ପତ୍ତି ନ୍ୟାୟପାଳିକା ଅଧୀନରେ ଥିଲେ ମଧ୍ୟ ବିଚାରାଧୀନ ମାମଲା କମାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଇ-କୋର୍ଟ ଫେଜ-୩ ପ୍ରକଳ୍ପର କାର୍ଯ୍ୟକାରିତା, ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ସ୍ଥାପନ, ଏରିୟର୍ସ କମିଟି ଗଠନ ଏବଂ ଲୋକ ଅଦାଲତ ସମେତ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥାକୁ ପ୍ରୋତ୍ସାହନ ଭଳି ପଦକ୍ଷେପ ନିଆଯାଇଛି ।
ସାଂସଦ ଶ୍ରୀ ରାୟ କହିଛନ୍ତି, ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଅତୁଟ ରଖିବା ପାଇଁ ସମୟୋପଯୋଗୀ ନ୍ୟାୟ ପ୍ରଦାନ ଅତ୍ୟନ୍ତ ଜରୁରୀ । ସେ ଆଶା ପ୍ରକାଶ କରିଛନ୍ତି ଯେ, ସରକାର ଓ ନ୍ୟାୟପାଳିକାଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଫଳରେ ବିଚାରାଧୀନ ମାମଲାର ଭାର ହ୍ରାସ ପାଇବ ଏବଂ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇପାରିବେ ।
ଏହାସହ ପଢ଼ନ୍ତୁ: ୬୫ ବର୍ଷୀୟ ଡାକ୍ତରଙ୍କୁ ବ୍ଲାକମେଲ୍ କରି ୨ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିବା ନର୍ସ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।