Hydroplaning : ହାଇଡ୍ରୋପ୍ଲେନିଂ କ'ଣ ? ବର୍ଷାରେ କାହିଁକି ଖସିଯାଏ ଟାୟାର...

Jun 25, 2026 - 13:47
Hydroplaning : ହାଇଡ୍ରୋପ୍ଲେନିଂ କ'ଣ ? ବର୍ଷାରେ କାହିଁକି ଖସିଯାଏ ଟାୟାର...

ଭୁବନେଶ୍ଵର, ୨୫/୦୬ : ଅଧିକାଂଶ ଚାଳକ ଅନେକ ସମୟରେ ଅନୁଭବ କରିଥିବେ ଯେ, ପ୍ରବଳ ବର୍ଷା ହେଉଥିବା ସମୟରେ ଷ୍ଟିୟରିଂ ହ୍ୱିଲ୍‌ ଅତି ମାତ୍ରାରେ ହାଲୁକା ଜଣାପଡ଼େ । ଏଭଳି ଅନୁଭବ ହୁଏ ଯେପରି ଗାଡ଼ି ସଡ଼କରେ ଚାଲିବା ପରିବର୍ତ୍ତେ ପବନ କିମ୍ବା ପାଣି ଉପରେ ପହଁରୁଛି । ସଡ଼କ ଉପରେ ଟାୟାର୍‌ର ଗ୍ରିପ୍‌ କମିଯାଏ । ଏହି ସ୍ଥିତିକୁ କୁହାଯାଇଥାଏ ହାଇଡ୍ରୋପ୍ଲେନିଂ । ଏଭଳି ଲାଗେ ଯେପରି, ଗାଡ଼ିର ଟାୟାର୍‌ ସ୍ଲିପ୍‌ କରୁଛି । ସଡ଼କରେ ଭରି ରହିଥିବା ପାଣି ଯୋଗୁ ଏହା ହୁଏ । ଗାଡ଼ି ଚଳାଇବା ସମୟରେ ଏହା ହେଉଛି ସବୁଠୁ ଭୟଙ୍କର ପରିସ୍ଥିତି । ହାଇଡ୍ରୋପ୍ଲେନିଂ କେବଳ ରାଜପଥରେ କିମ୍ବା ଅତି ଖାଲଢିପ ସଡ଼କରେ ହୋଇ ନ ଥାଏ, କମ୍‌ ସ୍ପିଡ୍‌ରେ ବି ଟାୟାରର ସ୍ଥିତି ଏବଂ ସଡ଼କରେ ପାଣି ଯୋଗୁ ଏହା ହୋଇଥାଏ । ଟାୟାର ଅତି ପୁରୁଣା କିମ୍ବା ଘସି ହୋଇ ଯାଇଥିଲେ ଅବା ପ୍ରେଶର ନ ଥିଲେ ବି ଏଭଳି ଅନୁଭବ ହୋଇଥାଏ । ଏହା ହେଉଛି ହାଇଡ୍ରୋପ୍ଲେନିଂ । 

ପ୍ରାରମ୍ଭିକ ବର୍ଷା ଅଧିକ ବିପଦପୂର୍ଣ୍ଣ ହୋଇଥାଏ 

ହାଇଡ୍ରୋପ୍ଲେନିଂ ସେତେବେଳେ ହୋଇଥାଏ ଯେତେବେଳେ କାର୍‌ର ଟାୟାର ଏବଂ ସଡ଼କ ମଧ୍ୟରେ ପାଣିର ଏକ ପତଳା ପରସ୍ତ ଜମା ହୋଇଯାଏ । ଅଧିକାଂଶ ଲୋକ ଭାବନ୍ତି ଯେତେବେଳେ ମୁଷଳ ଧାରାରେ ବର୍ଷା ହେଉଥାଏ ସଡ଼କ ସବୁଠୁ ଭୟଙ୍କର ହୋଇଥାଏ । କିନ୍ତୁ ସତ ହେଉଛି, ବର୍ଷା ଆରମ୍ଭ ହେବାର ପ୍ରଥମ କିଛି ମିନିଟ୍‌ରେ ଗାଡ଼ି ସ୍ଲିପ୍‌ ହେବାର ଅଧିକ ସମ୍ଭାବନା ଥାଏ । ଏହା ଏଥିପାଇଁ କାରଣ ଲମ୍ବା ସମୟ ଧରି ସଡ଼କରେ ଜମା ହୋଇଥିବା ତେଲ, ଗ୍ରୀସ, ଧୂଳି ଏବଂ ରବର କଣିକା ପାଣି ସହିତ ମିଶିବା ପରେ ଏକ ଚିକ୍କଣ ପରସ୍ତ ବନାଇଦିଏ । ଏଥିପାଇଁ ହାଲୁକା ବର୍ଷାରେ ବି ଗାଡ଼ି ଅଚାନକ ଖସିଯିବାର ସମ୍ଭାବନା ଥାଏ । ହାଇଡ୍ରୋପ୍ଲେନିଂର କିଛି ଲକ୍ଷଣ ଥାଏ । ଯେପରି ଷ୍ଟିୟରିଂ ହଠାତ୍‌ ବହୁତ ହାଲୁକା ଅନୁଭବ ହେବା, ଇଞ୍ଜିନ୍‌ର ଶବ୍ଦ ବିନା କାରଣରେ ହଠାତ ବଢ଼ିଯିବା । ଏଭଳି ଅନୁଭବ ହୁଏ ଯେପରି ଗାଡ଼ି ପାଣିରେ ପହଁରୁଛି, ଷ୍ଟିୟରିଂ ମୋଡ଼ିବା ବେଳେ ଗାଡ଼ି ଏହାର ଦିଗ ବଦଳାଏ ନାହିଁ ଏବଂ ବ୍ରେକ୍‌ ଲଗାଇଲେ ଏହା ଅଚଳ ଅନୁଭବ ହୁଏ । 

ହାଇଡ୍ରୋପ୍ଲେନିଂ ବେଳେ କ’ଣ କରିବେ

ଅଧିକାଂଶ ଚାଳକ ହଡ଼ବଡ଼ ହୋଇ ଅଚାନକ ଜୋର୍‌ କରି ବ୍ରେକ୍‌ ଦବାଇ ଦିଅନ୍ତି କିମ୍ବା ଷ୍ଟିୟରିଂକୁ ଦ୍ରୁତ ବେଗରେ ବୁଲାଇ ଦିଅନ୍ତି, ଯାହାଦ୍ୱାରା ଗାଡ଼ି ଓଲଟିପାରେ କିମ୍ବା ନିୟନ୍ତ୍ରଣହୀନ ହୋଇପାରେ । ଏହା ବଦଳରେ କେତେକ ବିଷୟ ଉପରେ ଧ୍ୟାନ ଦେଇ ସ୍ଥିତିକୁ ସମ୍ଭାଳିପାରିବେ । ତାହା ହେଲା...

-ଧୀରେ ଧୀରେ ଏକ୍ସିଲେଟରରୁ ଗୋଡ଼ ହଟାଇ ଦିଅନ୍ତୁ, ଯଦ୍ଦ୍ୱାରା ଗାଡ଼ିର ସ୍ପିଡ୍‌ ଆପଣାଛାଏଁ ସ୍ୱାଭାବିକ ଭାବେ କମ୍‌ ହୋଇଯିବ ।
-ଷ୍ଟିୟରିଂ ହ୍ୱିଲ୍‌କୁ ସିଧା ରଖନ୍ତୁ ଏବଂ ହଠାତ୍‌ ମୋଡ଼ନ୍ତୁ ନାହିଁ । ଯେତେବେଳେ ଟାୟାର ପୁନଃ ସଡ଼କରେ ବସିଯିବ ସେତେବେଳେ ମୋଡ଼ି ହୋଇଯାଇଥିବା ଷ୍ଟିୟରିଂ ଗାଡ଼ିର ସନ୍ତୁଳନ ବିଗାଡ଼ିପାରେ ।
-ହଠାତ୍‌ ବ୍ରେକ୍‌ ଦବାନ୍ତୁ ନାହିଁ। ଏହା ଦ୍ୱାରା ଗାଡ଼ି ସ୍ଲିପ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
-ଏବିଏସ୍‌(ଏବିଏସ୍‌) ଟେକ୍‌ନିକ୍‌ ବି ସେତେବେଳେ କାର୍ଯ୍ୟ କରିବ, ଯେତେବେଳେ ଟାୟାରର ସଡ଼କ ସହ ସାମାନ୍ୟ ସମ୍ପର୍କ ରହିଥିବ ।
-ଗାଡ଼ିର ଗତି ଧୀର ହେବା ପରେ ଟାୟାର ନିୟନ୍ତ୍ରଣକୁ ଆସିଯିବ ଏବଂ କାର୍‌କୁ ସମ୍ଭାଳିବା ସହଜ ହୋଇଥାଏ।

ସମସ୍ୟାକୁ କିଭଳି କମ୍‌ କରିବେ ?

-ମୌସୁମୀ କିମ୍ବା ପ୍ରବଳ ବର୍ଷା ବେଳେ ସାମାନ୍ୟ ସାବଧାନତା ଦ୍ୱାରା ହାଇଡ୍ରୋପ୍ଲେନିଂ ସ୍ଥିତିରୁ ବଞ୍ଚିହେବ ।
-ଗାଡ଼ିର ଟାୟାର୍‌ ଘସି ହୋଇଯାଇଥିଲେ ତୁରନ୍ତ ବଦଳାଇ ଦିଅନ୍ତୁ ।
-ଟାୟାରରେ ପ୍ରେଶର ଠିକ୍‌ ରହିଥିବା ଦରକାର ଏବଂ ଏହା ଆବଶ୍ୟକତାଠାରୁ ଅଧିକ ହୋଇ ନ ଥିବ ।
-ପ୍ରବଳ ବର୍ଷା ସମୟରେ ଗାଡ଼ିର ବେଗକୁ କମ୍‌ କରନ୍ତୁ ।
-ଯଥାସମ୍ଭବ ସଡ଼କରେ ଜମିଥିବା ପାଣି ମଧ୍ୟରେ ଗାଡ଼ିକୁ ନିଅନ୍ତୁ ନାହିଁ ।
-ବର୍ଷା ସମୟରେ ଭିଜିବିଲିଟି ପାଇଁ ହେଡ୍‌ଲାଇଟ୍‌ସକୁ ଅନ୍‌ ରଖନ୍ତୁ ।

ଆହୁରି ପଢନ୍ତୁ- ମେ’ ମାସରେ ଅଟୋମୋବାଇଲ ଶିଳ୍ପର ସାନ୍‌ଦାର ପ୍ରଦର୍ଶନ, ୨୭% ବଢିଲା ଗାଡି ବିକ୍ରି