HumanTrafficking: ହାଇଦ୍ରାବାଦରେ ଯୁବତୀ ବିକ୍ରି ମାମଲା : ଗଜପତିର ୭ ଆଦିବାସୀ ଝିଅ ଉଦ୍ଧାର,୨ ଦଲାଲକୁ ବାନ୍ଧିଲା ପୁଲିସ
ମୋହନା,୦୨/୦୭: ଗଜପତିର ୭ ଆଦିବାସୀ ଝିଅଙ୍କୁ ହାଇଦ୍ରାବାଦରେ ବିକ୍ରି କରାଯାଇଛି । ୭ ଝିଅଙ୍କୁ ୭୦ ହଜାର ଟଙ୍କା ଡିଲ୍ ହୋଇଥିଲା । ଗଜପତି ଜିଲ୍ଲା ଅଡ଼ବା ପୁଲିସ ଚଢ଼ଉ କରି ହାଇଦ୍ରାବାଦର ଗୋଟିଏ ସ୍ଥାନରୁ ସମସ୍ତ ଝିଅଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ଅଡ଼ବା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରା.ଉଦୟଗିରି ଏସ୍ଡିପିଓ ରାକେଶ ସାହୁ ସୂଚନା ଦେଇଛନ୍ତି । ଏହି ଘଟଣାରେ ୨ ଦଲାଲ ହାଇଦ୍ରାବାଦର ସରିତା ଜୈନ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଗୁମକୁଡି ଗାଁର ଈଶ୍ୱର କୁସିଲିଆଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସ୍ଡିପିଓ କହିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୧ ତାରିଖ ଦିନ ଡାଳିମ୍ବପୁର ଗାଁର ରିମ୍ପି ମଣ୍ଡଳ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଭଉଣୀ କୁଆଡେ ଚାଲିଯାଇଛି । ଏହାପରେ ଗତ ୨୪ ତାରିଖରେ ନିରୁଦ୍ଧିଷ୍ଟ ଥିବା ତାଙ୍କ ଭଉଣୀ ପରିବାର ଲୋକଙ୍କୁ ଫୋନ କରି କହିଥିଲେ ଯେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅଞ୍ଚଳର ଈଶ୍ୱର ଚାକିରି ଦେବା ନାଁରେ ତାଙ୍କୁ ଓ ତାଙ୍କର ଜଣେ ସାଙ୍ଗକୁ ହାଇଦ୍ରାବାଦ ନେଇଯାଇଛନ୍ତି । ସେଠାରେ ଗୋଟିଏ ଘରେ ରଖି ସେମାନଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଉଛନ୍ତି ।
ଅଧିକ ପଢ଼ନ୍ତୁ :- Jan Seva Kendra Fraud: ଜନସେବା କେନ୍ଦ୍ର ମାଲିକଙ୍କ ଦ୍ବାରା ବଡ଼ ଜାଲିଆତି; ମୃତ ଶ୍ରମିକଙ୍କ ଟଙ୍କା ହଡ଼ପ କରି ଚମ୍ପଟ
ଏନେଇ ପୁଲିସ ତଦନ୍ତ କରିବା ସହ ମହିଳା ସବ୍ଇନ୍ସପେକ୍ଟର ନଳିନୀ କଅଁରଙ୍କ ନେତୃତ୍ୱରେ ପୁଲିସ ଟିମ ହାଇଦ୍ରାବାଦ ଯାଇଥିଲେ । ସେଠାରେ ହାଇଦ୍ରାବାଦ ପୁଲିସ ସହାୟତାରେ ସରିତା ଜୈନଙ୍କ ଘରେ ଚଢ଼ଉ କରିଥିଲେ । ତାଙ୍କ ଘରୁ ୭ ଆଦିବାସୀ ଝିଅଙ୍କୁ ଉଦ୍ଧାର କରିଥିଲା ପୁଲିସ । ସେମାନଙ୍କ ମଧ୍ୟରେ ୬ ନାବାଳିକା ଅଛନ୍ତି । ତଦନ୍ତରୁ ଜଣା ପଡିଥିଲା ଯେ ଦଲାଲ ଈଶ୍ୱର ସେମାନଙ୍କୁ ନେଇ ୭୦ ହଜାର ଟଙ୍କାରେ ସରିତାଙ୍କ ପାଖରେ ବିକ୍ରି କରିଦେଇଥିଲେ । ସେଠାରେ ଝିଅ ମାନଙ୍କୁ ବିଭିନ୍ନ କାମ କରିବା ଆଳରେ ନିର୍ଯାତନା ଦିଆଯାଉଥିଲା ବୋଲି ଏସ୍ଡିପିଓ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଡବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଉପସ୍ଥିତ ଥିଲେ ।