FIFA World Cup 2026: ଘାନାର ବାବାଙ୍କ ଦାବି, ପଡ଼ିଆରେ କେନଙ୍କୁ ମୁଁ ଅଟକାଇଥିଲି, ଗୋଲ କରିବାରେ ହେଲେ ବିଫଳ
ମାସାଚୁସେଟ,୨୫/୦୬: ଘାନା ସହ ପଏଣ୍ଟ ଭାଗ କରି ଇଂଲଣ୍ଡ ଗ୍ରୁପ୍-ଏଲ’ର ଶୀର୍ଷ ସ୍ଥାନରେ ରହିଥିଲେ ବି ନକ୍ଆଉଟ୍ ସ୍ଥାନ ପକ୍କା କରିପାରି ନାହିଁ । ପ୍ରଥମ ମ୍ୟାଚରେ ଦଳ ୪-୨ ଗୋଲରେ କ୍ରୋଏସିଆକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚରେ ଘାନାକୁ ହରାଇ ଥିଲେ ଇଂଲଣ୍ଡ ନକଆଉଟ୍ରେ ପ୍ରବେଶ କରିଥାନ୍ତା । କିନ୍ତୁ ଘାନା ଏ ସୁଯୋଗ ଦେଇ ନଥିଲା । ମ୍ୟାଚ ଗୋଲ ଶୂନ୍ୟ ଭାବେ ଡ୍ର’ ରହିଥିଲା । ଏହି ମ୍ୟାଚ ଗୋଲ ଶୂନ୍ୟ ରହିବା ପଛରେ ଘାନାର ଜଣେ ତାନ୍ତ୍ରିକ ବାବାଙ୍କ ଭୂମିକା ରହିଛି । ଏ ବିଷୟ ନିଜେ ବାବା ଦାବି କରିଛନ୍ତି।
ଘାନା ବିପକ୍ଷରେ ଇଂଲଣ୍ଡ ଅଧିନାୟକ ହ୍ୟାରୀ କେନ ଏକ ନିଶ୍ଚିତ ଗୋଲ ହାତଛଡ଼ା କରିଥିଲେ । ଘାନା ଗୋଲପୋଷ୍ଟ ଉପରକୁ ଯେତେବେଳେ ଆକ୍ରମଣ ହୋଇଥିଲା, ରୀସ ଜେମ୍ସଙ୍କ ଠାରୁ ପାସ ପାଇ ନିକୋ ଓ’ରେଲି ଏକ ଚମତ୍କାର ହେଡର ସହାୟତାରେ ବଲକୁ ଗୋଲପୋଷ୍ଟ ଭିତରେ ପୂରାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ବଲ ଗୋଲପୋଷ୍ଟ କ୍ରସ୍ବାରରେ ବାଜି ପୁଣି ଫେରି ଆସିଥିଲା । ଅଧିନାୟକ କେନଙ୍କ ପାଖରେ ବଲକୁ ପୋଷ୍ଟରେ ପୂରାଇବାର ନିଶ୍ଚିତ ସୁଯୋଗ ଥିଲା । ମାତ୍ର ସେ ଏତେ ଜୋରରେ ଷ୍ଟ୍ରାଇକ କରିଥିଲେ ଯେ ବଲ ପୋଷ୍ଟ ଉପର ଦେଇ ଉଡ଼ିଯାଇଥିଲା । ଇଂଲଣ୍ଡର ଏହି ବିଫଳତା ହିଁ ମ୍ୟାଚକୁ ଗୋଲ ଶୂନ୍ୟ ରହିଥିଲା ।
ଅଧିକ ପଢ଼ନ୍ତୁ :- Lionel Messi Special: କେଉଁ ଗ୍ରହରୁ ଆସିଛନ୍ତି ଫୁଟବଲ ଯାଦୁଗର ଲିଓନେଲ୍ ମେସି ? ବ୍ୟକ୍ତିଗତ ରେକର୍ଡରୁ ନେଇ ଟ୍ରଫି ତାଲିକା ଉପରେ ପକାନ୍ତୁ ନଜର
ମ୍ୟାଚ ଶେଷ ହେବା ପରେ ଘାନାର ବାବା ନାନା ୱାକୁ ବୋନସାମ କହିଛନ୍ତି, ‘ପଡ଼ିଆରେ କେନଙ୍କୁ ମୁଁ ଅଟକାଇଥିଲି । ତେଣୁ ସେ ଗୋଲ କରିପାରି ନଥିଲେ । ପରବର୍ତ୍ତୀ ମ୍ୟାଚରେ ସେ ଗୋଲ କରିବେ । ତାଙ୍କୁ ମୁଁ ଭେଟିବି । ଆମେ ଦୁହେଁ ବନ୍ଧୁ ।’ ଗ୍ରୁପର ୨ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଏବେବି ଇଂଲଣ୍ଡ, ଘାନା ଓ କ୍ରୋଏସିଆ ନକଆଉଟ୍ ଦୌଡ଼ରେ ରହିଛନ୍ତି । ନକଆଉଟ୍କୁ ଉନ୍ନୀତ ହେବାକୁ ହେଲେ ଇଂଲଣ୍ଡକୁ ଅନ୍ତିମ ମ୍ୟାଚରେ ପାନାମାକୁ ହରାଇବାକୁ ହେବ ।