Welcome!

Unlock your personalized experience.
Sign Up

E20 ପେଟ୍ରୋଲ ଯୋଗୁଁ ମାଇଲେଜ୍ କମୁଛି, ହେଲେ ଇଞ୍ଜିନ୍ ଖରାପ ହେବାର କୌଣସି ପ୍ରମାଣ ମିଳିନାହିଁ : ନୀତିନ ଗଡକରୀ

Jul 30, 2026 - 22:17
E20 ପେଟ୍ରୋଲ ଯୋଗୁଁ ମାଇଲେଜ୍ କମୁଛି, ହେଲେ ଇଞ୍ଜିନ୍ ଖରାପ ହେବାର କୌଣସି ପ୍ରମାଣ ମିଳିନାହିଁ : ନୀତିନ ଗଡକରୀ

ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ମୁହଁ ଖୋଲିଲେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ। ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ କରିବା ଦ୍ୱାରା ଯାନବାହନର ମାଇଲେଜ୍ ୨ ରୁ ୬ ପ୍ରତିଶତ ହ୍ରାସ ପାଇପାରେ। ଆଜି (ଗୁରୁବାର) ଲୋକସଭାରେ ଏକ ଲିଖିତ ଉତ୍ତରରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଯାନବାହନ ବର୍ଗ ଏବଂ ବୟସ ଉପରେ ନିର୍ଭର କରି ଇନ୍ଧନ ଦକ୍ଷତାରେ ସାମାନ୍ୟ ହ୍ରାସ ହୋଇପାରେ। ତଥାପି, E20 ପେଟ୍ରୋଲ ଯୋଗୁଁ ଇଞ୍ଜିନ୍ ଖରାପ ହେବାର କୌଣସି ପ୍ରମାଣ ମିଳିନାହିଁ।

ଗଡ଼କରୀ କହିଛନ୍ତି ଯେ, ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ, ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକଚର୍ସ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା କରାଯାଇଥିବା ପରୀକ୍ଷାରେ E20 ଇନ୍ଧନର ପ୍ରଭାବ ମୂଲ୍ୟାଙ୍କନ କରାଯାଇଥିଲା। ଏହି ଅଧ୍ୟୟନ ଗୁଡ଼ିକରେ BS-III, BS-IV, ଏବଂ BS-VI ମାନଦଣ୍ଡ ଅନୁଯାୟୀ ପେଟ୍ରୋଲ ଦୁଇଚକିଆ ଏବଂ ଚାରିଚକିଆ ଯାନ ଅନ୍ତର୍ଭୁକ୍ତ ଥିଲା।

'କୌଣସି ଇଞ୍ଜିନ୍ ବିଫଳତା କିମ୍ବା ପ୍ରମୁଖ ଯାନ୍ତ୍ରିକ ସମସ୍ୟା ମିଳିଲା ନାହିଁ'…

ମନ୍ତ୍ରୀ କହିଛନ୍ତି ଯେ E20 ଇନ୍ଧନ ମାଇଲେଜ୍ରେ ସାମାନ୍ୟ ହ୍ରାସ ପାଇପାରେ। ତଥାପି, ଏହା E10 ପେଟ୍ରୋଲ ତୁଳନାରେ ଉନ୍ନତ ତ୍ୱରାନ୍ୱିତ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଏବଂ ପ୍ରାୟ ୩୦ ପ୍ରତିଶତ କମ କାର୍ବନ ନିର୍ଗମନ ପ୍ରଦାନ କରୁଥିବା ଦେଖାଯାଇଛି। ସେ କହିଛନ୍ତି ଯେ ଇଞ୍ଜିନ କାର୍ଯ୍ୟଦକ୍ଷତା ଯାଞ୍ଚ କରିବା ପାଇଁ ଡାଇନାମୋମିଟର ପରୀକ୍ଷା ଏବଂ ରାସ୍ତାରେ ଯାନବାହାନ ପରୀକ୍ଷଣ କରାଯାଇଥିଲା। ଏହି ଫଳାଫଳ ଗୁଡ଼ିକ E20 ଯୋଗୁଁ କୌଣସି ଇଞ୍ଜିନ ବିଫଳତା କିମ୍ବା ପ୍ରମୁଖ ବୈଷୟିକ ସମସ୍ୟା ପ୍ରକାଶ କରିନାହିଁ।

ପୁରୁଣା ଯାନ ଉପରେ ଚିନ୍ତା ମଧ୍ୟରେ ସରକାରଙ୍କ ପ୍ରତିଶ୍ରୁତି…

E20 ପେଟ୍ରୋଲ ସମ୍ପର୍କରେ,ବିରୋଧୀ ଏବଂ ଅନେକ ଗ୍ରାହକ ସଂଗଠନ ପୁରୁଣା ଯାନ ଗୁଡ଼ିକରେ ଏହାର ବ୍ୟବହାର ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯେଉଁଥିରେ ହ୍ରାସ ହୋଇଥିବା ମାଇଲେଜ୍, ବର୍ଦ୍ଧିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଇଞ୍ଜିନ କିମ୍ବା ଇନ୍ଧନ ସିଷ୍ଟମ କ୍ଷତି ଅନ୍ତର୍ଭୁକ୍ତ। ତଥାପି, ସରକାର କହିଛନ୍ତି ଯେ E20 ଧୀରେ ଧୀରେ କାର୍ଯ୍ୟକାରୀ ହୋଇଛି ଏବଂ ବୈଜ୍ଞାନିକ ପରୀକ୍ଷଣ ପରେ ହିଁ ଏହାକୁ ଅନୁମୋଦନ କରାଯାଇଛି। ଗଡକରୀ ବ୍ୟାଖ୍ୟା କରିଥିଲେ ଯେ ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମ NITI ଆୟୋଗ, ତୈଳ କମ୍ପାନୀ, ଯାନବାହନ ନିର୍ମାତା, ARAI, SIAM ଏବଂ ଭାରତୀୟ ପେଟ୍ରୋଲିୟମ ସଂସ୍ଥାନ ସମେତ ଅନେକ ବୈଷୟିକ ପ୍ରତିଷ୍ଠାନର ସହଯୋଗରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଥିଲା।

E20 ରେ ୨୦ କୋଟିରୁ ଅଧିକ ଦୁଇଚକିଆ ଯାନ ଚାଲୁଛି…

କେନ୍ଦ୍ର ମନ୍ତ୍ରୀଙ୍କ ଅନୁଯାୟୀ, ଭାରତରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ୨୦୦୧ ରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା। E5 ପେଟ୍ରୋଲ ୨୦୦୬ ରେ ପ୍ରଚଳନ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ E15+ ପେଟ୍ରୋଲ ସାଢ଼େ ତିନି ବର୍ଷରୁ ଅଧିକ ସମୟ ଧରି ବ୍ୟବହାର ହେଉଛି, ଯେତେବେଳେ E19-E20 ଇନ୍ଧନ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ବ୍ୟବହାର ହେଉଛି। ଦେଶରେ ୨୦ କୋଟିରୁ ଅଧିକ ଦୁଇଚକିଆ ଯାନ ଏବଂ ୩ କୋଟିରୁ ଅଧିକ ପେଟ୍ରୋଲ କାର ଇଥାନଲ୍ ମିଶ୍ରିତ ଇନ୍ଧନରେ ଚାଲୁଛି ଏବଂ ଏପର୍ଯ୍ୟନ୍ତ ବଡ଼ ଧରଣର ଇଞ୍ଜିନ୍ ବିଫଳତାର କୌଣସି ନିଶ୍ଚିତତା ମିଳିନାହିଁ ।

ଏହା ସହ ପଢନ୍ତୁ : ବୈଶ୍ବିକ ଅସ୍ଥିରତା ଭିତରେ ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଲା CCS ବୈଠକ, ଏହି ସବୁ ପ୍ରସଙ୍ଗରେ ହେଲା ଆଲୋଚନା…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।