Donald Trump Threats: ବିଶ୍ୱବ୍ୟାପୀ 'ଟ୍ରେଡ୍ ୱାର୍'ର ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ '୧୦୦% ଟ୍ୟାରିଫ୍ ଲଗାଇବୁ, ସବୁ ବ୍ୟାପାର ଡିଲ୍ ହେବ କ୍ୟାନସେଲ୍'
ନୂଆଦିଲ୍ଲୀ, ୨୭।୬: ଡିଜିଟାଲ୍ ସର୍ଭିସ୍ ଟ୍ୟାକ୍ସ (DST) କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବିଶ୍ୱର ଅନେକ ଦେଶକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ଦେଶ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଉପରେ ଏହି ଟ୍ୟାକ୍ସ ଲଗାଇବ, ତାକୁ ଆମେରିକାକୁ କରାଯାଉଥିବା ରପ୍ତାନି ଉପରେ ୧୦୦ ପ୍ରତିଶତ ଟ୍ୟାରିଫ୍ ର ସାମ୍ନା କରିବାକୁ ପଡ଼ିବ । ଏପରିକି ଏହି ଟ୍ୟାକ୍ସ ଯୋଗୁଁ ବର୍ତ୍ତମାନର ସମସ୍ତ ବାଣିଜ୍ୟିକ ଚୁକ୍ତି ମଧ୍ୟ ଶେଷ ହୋଇଯିବ ବୋଲି ଟ୍ରମ୍ପ କହିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଆମେରିକୀୟ କମ୍ପାନୀଗୁଡ଼ିକୁ ଟାର୍ଗେଟ୍ କରୁଥିବା ଦେଶଗୁଡ଼ିକୁ କଡ଼ା ଜବାବ ଦିଆଯିବ ଏବଂ ଆବଶ୍ୟକ ପଡ଼ିଲେ ଚାଲିଥିବା ସମସ୍ତ ବ୍ୟାପାର ଚୁକ୍ତିକୁ ରଦ୍ଦ କରାଯିବ ।
କ’ଣ ଏହି ଡିଜିଟାଲ୍ ସର୍ଭିସ୍ ଟ୍ୟାକ୍ସ ?
ସୂଚନାଯୋଗ୍ୟ ଯେ, ଡିଜିଟାଲ୍ ସର୍ଭିସେସ୍ ଟ୍ୟାକ୍ସ ହେଉଛି ସେହି ବଡ଼ ବଡ଼ ଡିଜିଟାଲ୍ କମ୍ପାନୀଗୁଡ଼ିକର ରୋଜଗାର ଉପରେ ଲାଗୁ ହେଉଥିବା ଟ୍ୟାକ୍ସ, ଯେଉଁମାନେ ଅନଲାଇନ୍ ବିଜ୍ଞାପନ, ଡିଜିଟାଲ୍ ମାର୍କେଟପ୍ଲେସ୍ ଏବଂ ୟୁଜର୍ସଙ୍କ ଡାଟା ବ୍ୟବହାର କରି କୋଟି କୋଟି ଟଙ୍କା କମାଉଛନ୍ତି । ଅନେକ ୟୁରୋପୀୟ ଦେଶ ଏହି ଟ୍ୟାକ୍ସ ଲାଗୁ କରିସାରିଛନ୍ତି କିମ୍ବା ଲାଗୁ କରିବାକୁ ପ୍ରସ୍ତାବ ରଖିଛନ୍ତି । ସେମାନଙ୍କର ଯୁକ୍ତି ହେଉଛି ଯେ, ବହୁରାଷ୍ଟ୍ରୀୟ ଟେକ୍ କମ୍ପାନୀଗୁଡ଼ିକ ଯେଉଁ ଦେଶରୁ ରୋଜଗାର କରୁଛନ୍ତି, ସେହି ଦେଶକୁ ହିଁ ଅଧିକ ଟ୍ୟାକ୍ସ ଦେବା ଉଚିତ୍ । ତେବେ ଆମେରିକା ଦୀର୍ଘ ସମୟ ଧରି ଏହାକୁ ବିରୋଧ କରିଆସୁଛି । ଆମେରିକାର ଅଭିଯୋଗ ଯେ, ଡିଜିଟାଲ୍ ସର୍ଭିସ୍ ଟ୍ୟାକ୍ସ ବାହାନାରେ ବିଶେଷ କରି ଗୁଗଲ୍, ଆପଲ୍, ମେଟା, ଆମାଜନ୍ ଏବଂ ମାଇକ୍ରୋସଫ୍ଟ ଭଳି ଆମେରିକୀୟ କମ୍ପାନୀଗୁଡ଼ିକୁ ଟାର୍ଗେଟ୍ କରାଯାଉଛି ।
ଏହା ବି ପଢ଼ନ୍ତୁ... Venezuela Earthquake: ଭେନେଜୁଏଲାରେ ପ୍ରକୃତିର ତାଣ୍ଡବ: ମାଟି ତଳୁ ଆତ୍ମୀୟଙ୍କୁ ଖୋଜୁଛନ୍ତି ଲୋକେ; ସହାୟତାର ହାତ ବଢ଼ାଇଲା ଭାରତ
ଚଳିତ ବର୍ଷ ଆରମ୍ଭରେ ଏକ ବଡ଼ ବାଣିଜ୍ୟିକ ଚୁକ୍ତି ଉପରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ ୱାଶିଂଟନ ଏବଂ ୟୁରୋପୀୟ ଦେଶଗୁଡ଼ିକର ସରକାର ଏହି ଡିଜିଟାଲ୍ ଟ୍ୟାକ୍ସକୁ ନେଇ ଏକମତ ହୋଇପାରି ନାହାନ୍ତି । ଟ୍ରମ୍ପ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଯିଏ ଏହି ନିୟମ ଭାଙ୍ଗିବ ସେ ବର୍ତ୍ତମାନର ହେଉ ବା ଭବିଷ୍ୟତର, ସବୁ ବାଣିଜ୍ୟ ଚୁକ୍ତି ହରାଇବ ଏବଂ ୧୦୦% ଟ୍ୟାରିଫ୍ ଗଣିବ । ଏହା ପ୍ରଥମ ଥର ନୁହେଁ, ଟ୍ରମ୍ପ ବାରମ୍ବାର ଏହି ଦେଶଗୁଡ଼ିକୁ ଧମକ ଦେଇ ଆସୁଛନ୍ତି । ଚଳିତ ବର୍ଷ ଆରମ୍ଭରେ ସେ ବ୍ରିଟେନକୁ ଚେତାବନୀ ଦେଇ କହିଥିଲେ ଯେ ଯଦି ସେମାନେ ଆମେରିକୀୟ କମ୍ପାନୀ ଉପରେ ୨ ପ୍ରତିଶତ ଡିଜିଟାଲ ଟ୍ୟାକ୍ସ ଲଗାନ୍ତି, ତେବେ ପରିଣାମ ଭୋଗିବାକୁ ପଡ଼ିବ । ସେହିପରି ଫ୍ରାନ୍ସ ଯଦି ନିଜର ଡିଜିଟାଲ୍ ଟ୍ୟାକ୍ସ ପ୍ରତ୍ୟାହାର ନକରେ, ତେବେ ଫ୍ରାନ୍ସରୁ ଆସୁଥିବା ଉପରେ ୧୦୦ ପ୍ରତିଶତ ଟ୍ୟାରିଫ୍ ଲଗାଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।