Disaster Management : ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପାଣ୍ଠିର ଅଭାବ ରହିବ ନାହିଁ : ରାଜସ୍ବ ମନ୍ତ୍ରୀ
- ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
- ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ କେନ୍ଦ୍ର ନିର୍ମାଣ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
- ଖୁବ୍ ଶୀଘ୍ର ସମ୍ବଲପୁର, ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀରେ ଡପ୍ଲର୍ ରାଡାର
ଭୁବନେଶ୍ୱର, ୨।୭ : ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ କରି ଏଥିନିମନ୍ତେ ପାଣ୍ଠି ଏବଂ ଆନୁସଙ୍ଗିକ ସୁବିଧାସୁଯୋଗ ପ୍ରଦାନ ଦିଗରେ ରାଜ୍ୟସରକାରଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (SDRF)ଅଧୀନରେ ବଜେଟ୍ ବ୍ୟୟର କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା l ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ପାଣ୍ଠି ଏବଂ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଶଦ ଭାବରେ ସମୀକ୍ଷା ହୋଇଥିଲା l SDMF/NDMF ଅଧୀନରେ ପାଣ୍ଠିର ଉପଯୋଗ ସମ୍ପର୍କିତ ବିଭିନ୍ନ କାର୍ଯ୍ୟଯୋଜନା ତ୍ଵରିତ ଭାବରେ ଆରମ୍ଭ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଏଥିସହିତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ କେନ୍ଦ୍ର (Multipurpose Flood & Cyclone Centre) ନିର୍ମାଣର ଅଗ୍ରଗତିର ସମୀକ୍ଷା କରିଥିଲେ। ଯଥାଶୀଘ୍ର ଏହି ନିର୍ମାଣ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ସେହିପରି ସମ୍ବଲପୁରରେ ଡପ୍ଲର ରାଡାର ସ୍ଥାପନ ପ୍ରାୟତଃ ସମାପ୍ତ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହାର ଉଦଘାଟନ କରାଯିବ l ଏହି ପରିପ୍ରେକ୍ଷୀରେ ବାଲେଶ୍ୱର, ଭୁବନେଶ୍ୱର ଏବଂ ପୁରୀଠାରେ ମଧ୍ଯ ପ୍ରସ୍ତାବିତ ଡପ୍ଲର ରାଡାର ସ୍ଥାପନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଏହାକୁ ଚଳିତ ବର୍ଷ ସୁଦ୍ଧା ସମାପ୍ତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଏଲନିନୋ ପ୍ରଭାବ ସମ୍ପର୍କରେ ତୀକ୍ଷଣ ନଜର ରଖାଯାଇଥିବା ବେଳେ ଜଳସମ୍ପଦ ବିଭାଗ ସହ ସମନ୍ଵୟ ରଖି କୃଷି କ୍ଷେତ୍ରରେ ଜଳସେଚନ ନିମନ୍ତେ ବିଭିନ୍ନ ଜଳାଶୟ, ଜଳସେଚନ ପ୍ରକଳ୍ପ ତଥା ଜଳଭଣ୍ଡାରର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ବୈଠକରେ କୁହାଯାଇଛି l ଏହା ସହିତ ଆଗାମୀ ଗ୍ରୀଷ୍ମଋତୁ ପୂର୍ବରୁ ବିଭିନ୍ନ ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରସ୍ତାବିତ ହିଟ୍ ୱେଭ୍ ସେଣ୍ଟର୍ ନିର୍ମାଣ କାର୍ଯ୍ୟ ସାରି ସେଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ମଧ୍ଯ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସ୍ଵତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଯାମିନୀ ଷଡଙ୍ଗୀ, ଆଇଏମଡି ଭୁବନେଶ୍ୱର କେନ୍ଦ୍ର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l
ଆହୁରି ପଢନ୍ତୁ : ବିଇଓଙ୍କୁ କଡ଼ା ନିର୍ଦ୍ଦେଶ, ୭ ଦିନ ଭିତରେ ବିଦ୍ୟାଳୟର ବିଦ୍ୟୁତ ବକେୟା ପୈଠ ନ ହେଲେ କାର୍ଯ୍ୟାନୁଷ୍ଠାନ