02 AUGUST 2026

Welcome!

Unlock your personalized experience.
Sign Up

Companies Price Hike: ପାର୍ବଣରେ ହେବ ମହଙ୍ଗା ମାଡ଼, ଟୁଥ୍‌ପେଷ୍ଟ, ସାବୁନରୁ ପେଣ୍ଟ୍‌ ପର୍ଯ୍ୟନ୍ତ ସବୁକିଛି ଦର ବଢ଼ିବ

Aug 02, 2026 - 08:25
Companies Price Hike: ପାର୍ବଣରେ ହେବ ମହଙ୍ଗା ମାଡ଼, ଟୁଥ୍‌ପେଷ୍ଟ, ସାବୁନରୁ ପେଣ୍ଟ୍‌ ପର୍ଯ୍ୟନ୍ତ ସବୁକିଛି ଦର ବଢ଼ିବ

ନୂଆଦିଲ୍ଲୀ,୦୨/୦୮: ଏଥର ପାର୍ବଣରେ ହେବ ମହଙ୍ଗା ମାଡ଼ । ଟୁଥ୍‌ପେଷ୍ଟରୁ ପେଣ୍ଟ୍ ପର୍ଯ୍ୟନ୍ତ ଅଗଷ୍ଟରୁ ସବୁକିଛି ଦର ବଢ଼ିବ । ଦେଶର ପ୍ରମୁଖ ଏଫ୍ଏମ୍‌ସିଜି ଏବଂ ଖାଉଟି ସାମଗ୍ରୀ କମ୍ପାନିଗୁଡ଼ିକ ପୂଜାର ଠିକ୍ ପୂର୍ବରୁ ଏବଂ ଲଗାତର ଦ୍ୱିତୀୟ ତ୍ରୟମାସରେ ନିଜର ସାମଗ୍ରୀଗୁଡ଼ିକର ଦର ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଟୁଥ୍‌ପେଷ୍ଟରୁ ନେଇ ଟାୟାର, ଡିଟର୍‌ଜେଣ୍ଟ, ସାବୁନ, ଡିସ୍ୱାସିଂ ବାର୍, ଲୁଣ ଏବଂ ପେଣ୍ଟ୍ ସମେତ ନିତିଦିନ ବ୍ୟବହାର ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । ଆମ୍ ଆଦ୍‌ମୀଙ୍କ ପାଇଁ ଚଳିତ ପାର୍ବଣ ଋତୁ ବ୍ୟୟବହୁଳ ହୋଇପାରେ । ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଯୋଗୁ କଞ୍ଚାମାଲ ବାବଦ ଖର୍ଚ୍ଚ ବଢୁଛି । ଅଶୋଧିତ ତୈଳ ଦର ବଢ଼ିବା ଫଳରେ କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି । ଯୁଦ୍ଧ ବନ୍ଦ ହେବାର ନାଁ ଗନ୍ଧ ନାହିଁ । ଏଭଳି ସ୍ଥିତିରେ ଦେଶରେ ଦରଦାମ ସମସ୍ୟା ଲମ୍ବା ସମୟ ଧରି ଜାରି ରହିବ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଦେଶର ଅନ୍ୟତମ ଅଗ୍ରଣୀ ଏଫ୍ଏମ୍‌ସିଜି କମ୍ପାନି ହିନ୍ଦୁସ୍ତାନୟୁ ନିଲିବର ଲିମିଟେଡ୍(ଏଚ୍ୟୁଏଲ୍) ଆଗାମୀ ତ୍ରୟମାସରେ ଡିଟର୍‌ଜେଣ୍ଟ ଏବଂ ଡିସ୍‌ଓ୍ବାସିଂ ବାର୍ ଭଳି ହୋମ୍ କେୟାରବର୍ଗରେ ଦର ବଢ଼ାଇବ ବୋଲି ପ୍ରକାଶ କରିଛି । ଏଚ୍ୟୁଏଲ୍,ଡୋଡଲା ଡେୟରୀ ଏବଂ ଏସିଆନ ପେଣ୍ଟସ୍ ସମେତ ଅନ୍ୟୁନ୮ କମ୍ପାନି ଦାମ ବଢ଼ାଇବା ପାଇଁ ଯୋଜନା କରିସାରିଲେଣି ।ହିନ୍ଦୁସ୍ତାନ ୟୁନିଲିବରର ମୁଖ୍ୟ ବିତ୍ତ ଅଧିକାରୀ ନିରଞ୍ଜନ ଗୁପ୍ତା କହିଛନ୍ତି, ଭୂ-ରାଜନୈତିକ ଅସ୍ଥିରତା ଯୋଗୁ ଅଶୋଧିତ ତୈଳ ସହ ଜଡ଼ିତ ଡେରିଭେଟିଭ ମହଙ୍ଗା ହେଉଛି । ଏହି କାରଣରୁ କମ୍ପାନିଗୁଡ଼ିକ ହୋମ୍ କେୟାର ସେଗ୍‌ମେଣ୍ଟରେ ଦର ବଢ଼ାଉଛନ୍ତି ।

ଅଧିକ ପଢ଼ନ୍ତୁ :-  ATF Price Hike: ଏୟାରଲାଇନ୍ସ ଉପରେ ମହଙ୍ଗା ଭାର ! ବଢ଼ିଲା ATF ମୂଲ୍ୟ, ଟିକେଟ୍ ଦର ଉପରେ ପଡ଼ିପାରେ ପ୍ରଭାବ

ଇରାନ ଯୁଦ୍ଧ ଯୋଗୁ ଶକ୍ତି ଦର ଉଚ୍ଚା ରହିଛି । ଏଥିରେ ତତ୍କାଳ ହ୍ରାସ ସମ୍ଭାବନା ଦେଖାଯାଉନାହିଁ । ଯୁଦ୍ଧ ଥମିବାର ନାଁ ଗନ୍ଧ ନ ଥିବାରୁ କମ୍ପାନି ଗୁଡ଼ିକ ହୋମ୍ ଆପ୍ଲାଏନ୍ସେସ୍‌ରୁ ନେଇ କିଚେନ୍ ସାମଗ୍ରୀ ପର୍ଯ୍ୟନ୍ତ ଉତ୍ପାଦ ମୂଲ୍ୟରେ ପୁନଃବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ହାଭେଲ୍ସ ଇଣ୍ଡିଆଏହାର ପ୍ରଡକ୍ଟ ଗୁଡ଼ିକ ଦାମ ୮% ପର୍ଯ୍ୟନ୍ତ ବଢ଼ାଇ ସାରିଛି ।ସେହିଭଳି ଟାଟା ସଲ୍ଟ ଦର ପ୍ରାୟ ୭% ବଢ଼ିଯାଇଛି ।

ଏହି ଦରବୃଦ୍ଧି ପାର୍ବଣ ସହିତ ହେଉଛି । ଦେଶରେ ପୂଜା ଋତୁ ସାଧାରଣତଃ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଚାଲିଥାଏ । ଏ ଅବସରରେ ବିଶେଷକରି ଦୀପାବଳି ସମୟରେ ଖାଉଟି ବଡ଼ ମାତ୍ରାରେ କିଣାକିଣି କରିଥାନ୍ତି । କେତେକ କମ୍ପାନି ଗୁଡ଼ିକର ମୋଟ ବାର୍ଷିକ ବିକ୍ରିର ଏକ ତୃତୀୟାଂଶ ଏହି ସମୟରେ ହୋଇଥାଏ । ମଜଭୁତ ଚାହିଦା କାରଣରୁ କମ୍ପାନି ଗୁଡ଼ିକ ନିଜର ବର୍ଦ୍ଧିତ ଖର୍ଚ୍ଚର ବୋଝ ଗ୍ରାହକଙ୍କ ଉପରେ ପକାଇବେ । ଫଳରେ ପୂଜାରେ ଘରୋଇ ଖର୍ଚ୍ଚ ବଢ଼ିବ ।

ସୂଚନାଯୋଗ୍ୟ, ଜୁନ୍ ମାସରେ ଦେଶରେ ଖାଦ୍ୟ ପାନୀୟଏବଂ ଇନ୍ଧନ ଖର୍ଚ୍ଚ ବୃଦ୍ଧି କାରଣରୁ ଖାଉଟି ମୂଲ୍ୟ ଭିତ୍ତିକ ଖୁଚୁରାମୁଦ୍ରାସ୍ଫୀତି ହାର ପ୍ରାୟ ବର୍ଷକରେ ପ୍ରଥମ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୪% ସୀମା ପାର କରିଯାଇଛି । ଯଦିଓ ଏହି ଅଙ୍କ ଆର୍‌ବିଆଇର ୨%ରୁ ୬%ର ସହନୀୟସ୍ତର ବା ଟଲରାନ୍ସ ବ୍ୟାଣ୍ଡ୍ ମଧ୍ୟରେ ରହିଛି । ଆଗାମୀ ଦିନରେ କମ୍ପାନିଗୁଡ଼ିକ ଦ୍ୱାରା ଦର ବୃଦ୍ଧି ଏବଂ ଦୁର୍ବଳ ମୌସୁମୀ କାରଣରୁ ଖାଦ୍ୟ ପଦାର୍ଥ ମହଙ୍ଗା ହେବା ଫଳରେ ମୁଦ୍ରାସ୍ଫୀତି ଚାପ ଆହୁରି ବଢ଼ିପାରେ । ଆର୍‌ବିଆଇର ଅନୁମାନ ଯେ, ଚଳିତ ଆର୍ଥିକ ବର୍ଷ ହାରାହାରି ମୁଦ୍ରାସ୍ଫୀତି ହାର ୫.୧% ରହିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।