Car Bazar : ମେ’ ମାସରେ ଭାରତର ଅଟୋମୋବାଇଲ ଶିଳ୍ପର ସାନ୍ଦାର ପ୍ରଦର୍ଶନ, ୨୭% ବଢିଲା ଗାଡି ବିକ୍ରି
ନୂଆଦିଲ୍ଲୀ, ୨୫/୦୬ : ଚଳିତବର୍ଷ ମେ’ ମାସରେ ଭାରତର ଅଟୋମୋବାଇଲ ଶିଳ୍ପ ସାନ୍ଦାର ପ୍ରଦର୍ଶନ କରିଛି । ଅଭିବୃଦ୍ଧିରେ ବଡ଼ ଯୋଗଦାନ ଦେଇଛନ୍ତି ପାସେଞ୍ଜର ଭେଇକିଲ ବା ଯାତ୍ରୀବାହୀ ଯାନ ଏବଂ ଇଲେକ୍ଟ୍ରିକ୍ ଯାନ(ଇଭି) । ମାରୁତି ସୁଜୁକି ଇଣ୍ଡିଆ ଏବଂ କିଆ ଇଣ୍ଡିଆ ମେ’ ମାସରେ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି । ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଏବଂ ଟୟୋଟା କିର୍ଲୋସ୍କାର ମୋଟରର ବିକ୍ରିରେ ବି ଭଲ ଅଭିବୃଦ୍ଧି ଘଟିଛି । ନୋମୁରା ଏବଂ ଏଚ୍ଏସ୍ବିସି ପକ୍ଷରୁ ପ୍ରକାଶିତ ବ୍ରୋକରେଜ ରିପୋର୍ଟ ଅନୁସାରେ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଯୋଗୁ ଇଭି ପ୍ରତି ଉପଭୋକ୍ତାଙ୍କ ଚାହିଦା ବଢୁଛି । ବିକଳ୍ପ ଇନ୍ଧନ ପ୍ରଯୁକ୍ତି ଆଡ଼କୁ ଶିଳ୍ପ ସ୍ଥାନାନ୍ତର ହେଉଛି । ଘରୋଇ ବଜାରରେ ଦେଶର ୬ ବୃହତ୍ କାର ନିର୍ମାତାଙ୍କ ମିଳିତ ପିଭି ବିକ୍ରି ୨୭.୧% ବୃଦ୍ଧି ପାଇଛି ।
ଚଳିତବର୍ଷ ମେ’ ମାସରେ ଏହି ଅଟୋ ନିର୍ମାତାମାନେ ମିଳିତ ଭାବେ ୪୧୩,୪୪୫ ୟୁନିଟ୍ ଯାତ୍ରୀବାହୀ ଯାନ ବିକ୍ରି କରିଛନ୍ତି, ଯାହାକି ପୂର୍ବ ବର୍ଷ ସମାନ ସମୟରେ ଥିଲା ୩୨୫,୪୦୬ ୟୁନିଟ୍ । ଏଥିସହିତ ଏସ୍ୟୁଭି, ଇଭି ଏବଂ ହାଇବ୍ରିଡ୍ ଗାଡ଼ିଗୁଡ଼ିକ ଉପରେ ଗ୍ରାହକଙ୍କ ନିରନ୍ତର ଚାହିଦା ପ୍ରତିଫଳିତ ହେଉଛି । ଆଲୋଚ୍ୟ ମାସରେ ଘରୋଇ ବଜାରରେ ସବୁଠୁ ଅଧିକ ଗାଡ଼ି ବିକ୍ରି କରିଛି ମାରୁତି ସୁଜୁକି । କମ୍ପାନି ପୂର୍ବବର୍ଷ ମେ’ରେ ୧,୩୮,୬୯୦ ୟୁନିଟ୍ ଗାଡ଼ି ବିକ୍ରି କରିଥିବାବେଳେ ଏ ବର୍ଷ ମେ’ରେ ୧,୯୩,୫୩୫ ୟୁନିଟ୍ ଗାଡ଼ି ବିକ୍ରି କରିଛି । କମ୍ପାନିର ପିଭି ବିକ୍ରି ୧୯୦,୩୩୭ ୟୁନିଟ୍କୁ ବୃଦ୍ଧି ପାଇଛି, ଯାହାକି ଗତବର୍ଷ ମେ’ରେ ୧,୩୫,୯୬୨ ୟୁନିଟ୍ ଥିଲା । ପ୍ରାରମ୍ଭିକ ମଡେଲ ଅଲ୍ଟୋ ଏବଂ ଏସ୍-ପ୍ରେସୋର ବିକ୍ରି ଦୁଇ ଗୁଣାରୁ ଅଧିକ ବଢ଼ିଛି । ପୂର୍ବବର୍ଷ ମେ’ରେ ଏହା ୬,୭୭୬ ୟୁନିଟ୍ ଥିବାବେଳେ ଚଳିତବର୍ଷ ୧୬,୨୭୫ ୟୁନିଟ୍କୁ ବୃଦ୍ଧି ପାଇଛି । ବାଲେନୋ, ସ୍ୱିଫ୍ଟ, ୱାଗନ୍ଆର୍, ଡିଜାୟାର ଏବଂ ସିଲେରିଓ ମଧ୍ୟ ମଜଭୂତ ଅଭିବୃଦ୍ଧି ହାସଲ କରିଛି । ଏହି ଗାଡ଼ିଗୁଡ଼ିକର ବିକ୍ରି ପୂର୍ବବର୍ଷ ମେ’ ମାସର ୬୧,୯୬୦ ୟୁନିଟ୍ ତୁଳନାରେ ବୃଦ୍ଧି ପାଇ ୮୧,୫୫୫ ୟୁନିଟ୍ରେ ପହଞ୍ଚିଛି । ମାରୁତି ସୁଜୁକିର ମାର୍କେଟିଂ ଏବଂ ସେଲ୍ସ ବିଭାଗର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥୋ ବାନାର୍ଜୀ କହିଛନ୍ତି ଯେ, ଇନ୍ଧନ ଦର ଅଧିକ ଥିଲେ କ୍ଷୁଦ୍ର କାର ଚାହିଦା ପ୍ରଭାବିତ ହୋଇଥାଏ । ଏହା ସତ୍ତ୍ଵେ କମ୍ପାନି ଭଲ ଅଭିବୃଦ୍ଧି ହାସଲ କରିଛି । ପିଭି ବିକ୍ରିରେ ଏହା ୪୨% ଅଭିବୃଦ୍ଧି ହାସଲ କରିଛି । ଟାଟା ମୋଟର୍ସ ଇଭି ବିକ୍ରିରେ ମଜଭୂତ ଅଭିବୃଦ୍ଧି ହାସଲ କରିଛି ।
କମ୍ପାନି ଚଳିତ ବର୍ଷ ମେ’ରେ ୫୯,୦୯୦ ୟୁନିଟ୍ ପିଭି ବିକ୍ରି କରିଛି, ଯାହାକି ଗତବର୍ଷ ମେ’ରେ ୪୧,୫୫୭ ୟୁନିଟ୍ ଥିଲା । କମ୍ପାନିର ଇଭି କାରବାର ଆକର୍ଷଣୀୟ ରହିଛି । ଘରୋଇ ବଜାର ବିକ୍ରି ଏବଂ ରପ୍ତାନିକୁ ମିଶାଇଲେ କମ୍ପାନି ମେ’ ମାସରେ ୧୦,୫୧୭ ୟୁନିଟ୍ ଇଭି ବିକ୍ରି କରିଛି । ଏସ୍ୟୁଭି ବିକ୍ରିରେ ସର୍ବୋତ୍ତମ ପ୍ରଦର୍ଶନ କରିଛି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା । ଆଲୋଚ୍ୟ ମାସରେ କମ୍ପାନି ଘରୋଇ ବଜାରରେ ୫୮,୦୨୧ ୟୁଟିଲିଟି ଯାନ ବିକ୍ରି କରିଛି । ଏହା ପୂର୍ବବର୍ଷ ମେ’ ତୁଳନାରେ ୧୧% ଅଭିବୃଦ୍ଧି । ରପ୍ତାନି ସହିତ ମୋଟ ୟୁଟିଲିଟି ଯାନ ବିକ୍ରି ପରିମାଣ ରହିଛି ୫୯,୫୭୩ ୟୁନିଟ୍ । ବାଣିଜ୍ୟିକ ଯାନ(ସିଭି) ଏବଂ ରପ୍ତାନିକୁ ମିଶାଇ କମ୍ପାନିର ହାରାହାରି ଅଟୋମୋବାଇଲ ବିକ୍ରି ୨୦% ବଢ଼ି ୯୯,୬୩୬ ୟୁନିଟ୍ ରହିଛି । ଏମ୍ ଆଣ୍ଡ୍ ଏମ୍ର ଅଟୋମୋଟିଭ୍ ଡିଭିଜନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନଳିନୀକାନ୍ତ ଗୋଲାଗୁଣ୍ଟ କହିଛନ୍ତି ଯେ, ବିଭିନ୍ନ ଆହ୍ୱାନ ସତ୍ତେ୍ୱ ଗ୍ରାହକ ଚାହିଦା ଭଲ ରହିଛି ।
୩-୫% ବଢ଼ିବ ଦୁଇଚକିଆ ଶିଳ୍ପ
ଚଳିତ ଆର୍ଥିକବର୍ଷରେ ଭାରତର ଦୁଇଚକିଆ ଶିଳ୍ପ ୩ରୁ୫% ଅଭିବୃଦ୍ଧି ନେଇ ବଢ଼ିବ । ଏଲ୍ନିନୋ ଯୋଗୁ ସମ୍ଭାବ୍ୟ ଦୁର୍ବଳ ମୌସୁମୀର ପ୍ରଭାବ ଏବଂ ମୁଦ୍ରାସ୍ଫୀତିଜନିତ ଯାନ ଦର ବୃଦ୍ଧି କାରଣରୁ ଶିଳ୍ପ କିଛିଟା ଆହ୍ୱାନମୂଳକ ପରିସ୍ଥିତିର ସାମ୍ନା କରିପାରେ ବୋଲି ରେଟିଂ ଏଜେନ୍ସି ଇକ୍ରା ପ୍ରକାଶ କରିଛି । ଇକ୍ରା ଅନୁସାରେ, ଶିଳ୍ପରେ ସ୍ଥିରତା ବଜାୟ ରହିପାରେ । ଏହାର କାରଣ ହେଉଛି ଉନ୍ନତ ଘରୋଇ ଚାହିଦା, ମଜଭୁତ ରିଟେଲ ବଜାର ଏବଂ ନିରନ୍ତର ରପ୍ତାନି ଅଭିବୃଦ୍ଧି । ଘରୋଇ ଚାହିଦା ଭଲ ରହିଲେ ବି ମଧ୍ୟପ୍ରାଚ୍ୟରେ ଭୂ-ରାଜନୈତିକ ଅସ୍ଥିରତା ଉପରେ ନଜର ରଖିବାକୁ ପଡ଼ିବ । କାରଣ ଏହା ଦ୍ୱାରା ଯୋଗାଣ ଶୃଙ୍ଖଳଜନିତ ରିସ୍କ ରହିବ । ଶିଳ୍ପର ଖର୍ଚ୍ଚ ବଢ଼ିବା ଦ୍ୱାରା ଗାଡ଼ି ଦର ମହଙ୍ଗା ହେବ ।
ଆହୁରି ପଢନ୍ତୁ- ମହଙ୍ଗା ପଡ଼ିଲା ସ୍ମାର୍ଟ ସିଟିରୁ ଆଲୁମିନିୟମ ଷ୍ଟ୍ରିଟ ଲାଇଟ୍ ଚୋରି, ୨ ଅଭିଯୁକ୍ତଙ୍କ ଘରେ ବୁଲିଲା ବୁଲଡୋଜର