Welcome!

Unlock your personalized experience.
Sign Up

Boyfriend conspiracy : ସିୟା , ସୋନମ ପରେ ଏବେ ସମିତା , ପ୍ରେମିକ ପାଇଁ ସ୍ୱାମୀଙ୍କୁ ଚଳନ୍ତା ଟ୍ରେନରେ କରାଇଲା ହତ୍ୟା

Jul 16, 2026 - 20:26
Boyfriend conspiracy : ସିୟା , ସୋନମ ପରେ ଏବେ ସମିତା , ପ୍ରେମିକ ପାଇଁ ସ୍ୱାମୀଙ୍କୁ ଚଳନ୍ତା ଟ୍ରେନରେ କରାଇଲା ହତ୍ୟା

ନୂଆଦିଲ୍ଲୀ – ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ଜୀବନ ସାଥୀ ହେବାର ପ୍ରତିଶ୍ରୁତି ଦେଇ ଥିଲେ , ସେ ହିଁ ତାଙ୍କର ହତ୍ୟା ଷଡ଼ଯନ୍ତ୍ର ରଚି ଥିଲା। ସମ୍ପ୍ରତି, ପ୍ରେମ ସମ୍ପର୍କର ଅନେକ ହାଇପ୍ରୋଫାଇଲ୍ ମାମଲା ସାରା ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି। ହନିମୁନ୍ ସମୟରେ , ସ୍ୱାମୀ ରାଜା ରଘୁବଂଶୀଙ୍କୁ ତାଙ୍କ ପତ୍ନୀ ସୋନମ ଓ ତା ପ୍ରେମିକଙ୍କ ଦ୍ୱାରା ହତ୍ୟା ହେଉ, କିମ୍ବା ଭାବୀ ସ୍ୱାମୀ କେତନ ଅଗ୍ରୱାଲଙ୍କୁ ସିଆ ଗୋୟଲ ଦ୍ୱାରା ପାହାଡ଼ରୁ ଠେଲି ମାରିବା ଘଟଣା ହେଉ, ଏବେ ବିହାରର କଟିହାରରୁ ଏପରି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି। ସମିତା ନାମକ ଜଣେ ମହିଳା ତାଙ୍କ ପ୍ରେମିକ ଅଜିତ ସହ ମିଶି ତାଙ୍କ ସ୍ୱାମୀ ଦେବକୁମାର ଗୁଞ୍ଜନଙ୍କୁ ଚଳନ୍ତା ଟ୍ରେନ୍‌ରେ ହତ୍ୟା କରି ଥିଲେ। ପୁଲିସର କହିବାନୁସାରେ, ସ୍ୱାମୀଙ୍କୁ ହତ୍ୟା କରିବାର ଯୋଜନା ଖୁବ୍ ସୁଚିନ୍ତିତ ଥିଲା, ହେଲେ ଅଭିଯୁକ୍ତଙ୍କ ତିନୋଟି ବଡ଼ ଭୁଲ୍ ମାସକ ମଧ୍ୟରେ ସବୁ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରି ଦେଇ ଥିଲା।

 

ଜମୁଇ ଜିଲ୍ଲାରେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁ ଥିଲେ ଦେବ କୁମାର ଗୁଞ୍ଜନ। ସେ ଜୁନ ୧୧ ତାରିଖରେ ତାଙ୍କ ପତ୍ନୀ ସମିତା କୁମାରୀଙ୍କୁ ପାଖକୁ ସୁପୌଲ ଆସୁଥିଲେ। ଜନସାଧାରଣ ଏକ୍ସପ୍ରେସ୍‌ ଟ୍ରେନ୍‌ ରେ ବସିଥିବା ଦେବଙ୍କୁ ଖଗଡିଆ ଜିଲ୍ଲାର ମାନସିରେ ବଦଲାଘାଟ ଷ୍ଟେସନ ନିକଟରେ ସୁଟର ଗୁଳି କରି ହତ୍ୟା କରିଦେଇ ଥିଲେ। ଏହି ମାମଲାରେ ପୁଲିସ ଦେବକୁମାରଙ୍କ ପତ୍ନୀ ସମିତା , ତାର ପ୍ରେମୀ ଅଜିତ କୁମାର ଓ ସୁପାରୀ କିଲର ସୁଟର ରାଜୁକୁ ରେଲୱେ ପୁଲିସ ଗିରଫ କରି ଥିଲା।

 

ଦେବକୁମାର ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାରେ ରହୁଥିଲେ। ସେ ବିହାରର ଜମୁଇ ଜିଲ୍ଲାରେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁ ଥିଲେ। ତାଙ୍କ ପତ୍ନୀ ସୁପୌଲରେ ମୋଟରଯାନ ନିରୀକ୍ଷକ (ଏମଭିଆଇ) ପଦରେ ନିଯୁକ୍ତ ଅଛନ୍ତି, ତାଙ୍କ ପ୍ରେମିକ ଅଜିତ ନାଳନ୍ଦାରେ ବିଦ୍ୟୁତ୍‌ ବିଭାଗର ଟେକ୍ନିସିଆନ।

 

ଦେବକୁମାର ଗୁଞ୍ଜନଙ୍କ ହତ୍ୟା ପରେ, ପୁଲିସ ତାଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରି ଥିଲା। ସେମାନେ କମିନା ନାମରେ ଏକ ନମ୍ବର ଥିବାର ପାଇ ଥିଲେ। ପୁଲିସ କିଛି ମାତ୍ରାରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା। ଯେତେବେଳେ ସେହି ନମ୍ବରର ବିସ୍ତୃତ ବିବରଣୀ ଯାଞ୍ଚ କରାଯାଇ ଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସବୁ ସାମ୍ନାକୁ ଆସି ଥିଲା। ଅଜିତର ପ୍ରାୟତଃ ଦେବକୁମାରଙ୍କ ପତ୍ନୀ ସମିତାଙ୍କ ସହିତ କଥାବାର୍ତ୍ତା ଚାଲିଥିଲା। ଏଥିରୁ ଜଣାପଡ଼େ ଯେ, ଦେବକୁମାରଙ୍କୁ ତାଙ୍କ ପତ୍ନୀଙ୍କ ବିଶ୍ୱାସଘାତକତା ବିଷୟରେ ପୂର୍ବରୁ ଜଣାଥିଲା। ପୁଲିସର କହିବାନୁସାରେ ,ସମିତା ଓ ଅଜିତଙ୍କ ମଧ୍ୟରେ ଗତ ଏକ ବର୍ଷ ମଧ୍ୟରେ ୧୮୬ଥର ଫୋନରେ ବାର୍ତ୍ତାଳାପ ହୋଇଛି। ଏହା ବ୍ୟତୀତ ହ୍ୱାଟ୍ସଆପରେ ଲମ୍ୱା ଚାଟ୍‌ ମଧ୍ୟ ହୋଇଛି। ଘଟଣା ଦିନ ମଧ୍ୟ ସକାଳ ୩ଟା ସମୟରୁ ଉଭୟ ପରସ୍ପରକୁ ହ୍ୱାଟ୍ସଆପ୍ କଲରେ ସଂପର୍କ କରୁଥିଲେ। ଏହି ଠାରୁ ପୁଲିସ ଯାଞ୍ଚର ଦିଗ ବଦଳି ଗଲା। ପୁଲିସ ସମିତାଙ୍କ ଆଶିକ୍ ଅଜିତ କୁମାରଙ୍କୁ ଉଠାଇ ନେଇଥିଲା। ପଚରାପଚରିରେ ସେ ହତ୍ୟାର ପୂରା ଷଡ଼ଯନ୍ତ୍ରଣର ଖୁଲାସା କରି ଦେଇ ଥିଲେ।

 

ସ୍ୱାମୀଙ୍କୁ ଚଳନ୍ତା ଟ୍ରେନରେ ହତ୍ୟା କରାଇ ଥିବା ସମିତା କୁମାରୀ ଓ ତାଙ୍କର ପ୍ରେମିକ ଅଜିତ କୁମାର ଅତି ଚତୁର ଉପାୟରେ ଦେବକୁମାର ଗୁଞ୍ଜନଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚି ଥିଲେ। ହେଲେ ୩ଟି ବଡ଼ ଭୁଲରୁ ସେ ଘଟଣାର ମାସକ ପରେ ହିଁ ଧରାପଡ଼ି ଯାଇଥିଲେ। ଘଟଣା ଦିନ ସମିତା ଆଖିରୁ ଲୁହ ବୁହାଇ ପୁଲିସ ସାମ୍ନାରେ ଲୁଟପାତ ବେଳେ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବା କହିଥିଲେ। ପୁଲିସକୁ ସନ୍ଦେହ ହୋଇଥିଲା ଯେ, ଯଦି ଲୁଟପାତ ଯୋଗୁଁ ହତ୍ୟା କରାଯାଇ ଥାଏ , ତ ଟ୍ରେନରେ ବସିଥିବା ଅନ୍ୟ ଯାତ୍ରୀଙ୍କ ସହ କୌଣସି ଡକାୟତି କାହିଁକି ହୋଇ ନାହିଁ ? ସେହି ଦିନ ଜନସାଧାରଣ ଏକ୍ସପ୍ରେସରେ ବସି ଥିବା କୌଣସି ଯାତ୍ରୀଙ୍କ ଠାରୁ ଲୁଟର ଅଭିଯୋଗ ରେଲୱେ ପୁଲିସରୁ ମିଳି ନଥିଲା।

 

ଏହାପରେ ପୁଲିସ ସାମ୍ନାରେ ପ୍ରଶ୍ନ ଉଠିଛି ଯେ,କଥିତ ଲୁଟେରାମାନେ କେବଳ ଦେବକୁମାର ଗୁଞ୍ଜନଙ୍କୁ ହିଁ କାହିଁକି ଚାର୍ଗେଟ୍‌ କରିଥିଲେ। ଏହାସହ , ଯଦି ଲୁଟପାତରେ ଗୁଳି କରାଯାଇ ଥିଲା ତ ଆକ୍ରମଣକାରୀ ଦେବକୁମାରଙ୍କ କୌଣସି ଜିନିଷ କାହିଁକି ନେଇ ନଥିଲେ , ତାଙ୍କର ସବୁ ଜିନିଷ ସୁରକ୍ଷିତ ଥିଲା। ପୁଲିସ ଯାଞ୍ଚ ଆରମ୍ଭ କରିବାରୁ ସମିତା ଓ ଅଜିତଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ପୂର୍ବାପେକ୍ଷା ଅଧିକ ହେବାର ଜଣାପଡ଼ିଲା । ଏଥିରେ ସନ୍ଦେହ ଆହୁରି ବଢିଲା।

ଉଲ୍ଲେଖନୀୟ ଯେ, ସମିତା କୁମାରୀ ୯ ବର୍ଷ ପୂର୍ବେ ଯେବେ ସୀତାମଡିରେ ବିଦ୍ୟୁତ୍‌ ବିଭାଗରେ ନିଯୁକ୍ତ ଥିଲେ , ସେତେବେଳେ ତାଙ୍କର ବନ୍ଧୁତା ନିଜର ସହକର୍ମୀ ଅଜିତ କୁମାର ସହ ହୋଇ ଥିଲା। ଦୁହିଁଙ୍କର ବନ୍ଧୁତା ପ୍ରେମରେ ବଦଳି ଗଲା। ଏହି ସମୟରେ ସମିତାଙ୍କ ଘରଲୋକ ତାଙ୍କର ବିବାହ ଦେବକୁମାର ଗୁଞ୍ଜନଙ୍କ ସହ କରାଇ ଦେଲେ। ସେ ବିଦ୍ୟୁତ୍ ବିଭାଗର ଟେକ୍ନିସିଆନ ଥିଲେ। ବିବାହ କରିବା ସତ୍ତ୍ୱେ ସମିତାଙ୍କର ଅଜିତ ସହ ପ୍ରେମ ସଂପର୍କ ଜାରି ରହିଲା। ଅଜିତ ବିବାହ କଲେ ନାହିଁ। ଦେବ କୁମାରଙ୍କୁ ରାସ୍ତାରୁ ହଟେଇବାକୁ ଉଭୟେ ସ୍ଥିର କଲେ। ୩ ବର୍ଷ ପୂର୍ବେ ସମିତା ଏମଭିଆଇ ହୋଇ ସୁପୌଲ ଆସି ଥିଲେ। ସ୍ୱାମୀ ଦୂରରେ ରହି ଥିଲେ , ତ ସେ ସୁପୌଲରେ ନିଜର ପ୍ରେମିକ ସହ ନିରନ୍ତର ସଂପର୍କରେ ଥିଲା। ଏହା ପରେ ଦୁହେଁ ଶେଷରେ ଦେବଙ୍କୁ ହତ୍ୟା କରିବାକୁ ଷଡ଼ଷନ୍ତ୍ର ରଚି ଥିଲେ।

 

ପୁଲିସ ଅନୁସାରେ, ସମିତା ଓ ଅଜିତ ଦେବକୁମାରଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ କିଲର ହାୟର କଲେ। ଶୁଟରକୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଲେ। ଏଥିରୁ ୧.୬୦ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଗଲା। ବାକି ଟଙ୍କା କାମ ହୋଇ ସାରିବା ପରେ ଦେବାକୁ ସ୍ଥିର ହେଲା। ଶୁଟରକୁ ପ୍ରେମିତ ଅଜିତ ଖୋଜି ଆଣି ଥିଲା।ସେ ଦେବକୁମାରଙ୍କ ଫଟୋ ଓ ଅନ୍ୟ ଡିଟେଲ ଆକ୍ରମଣକାରୀକୁ ଦେଇଥିଲେ। ହତ୍ୟାକୁ ଲୁଟର ଘଟଣା କରିବାର ଥିଲା , ଏଥିପାଇଁ ଚଳନ୍ତା ଟ୍ରେନରେ ଗୁଳି କରିବାର ଷଡ଼ଯନ୍ତ୍ର ରଚାଗଲା। କଟିହାରର ରେଲ ଏସପି ହରିଶଙ୍କର କୁମାର କହିଛନ୍ତି ଯେ, ଗିରଫ ସୁପାରୀ କିଲର ରାଜୁ ଓରଫ ଧୀରଜ ନାଳନ୍ଦା ଜିଲ୍ଲା ନିବାସୀ। ସେ ପୂର୍ବରୁ ମଧ୍ୟ ଜହାନାବାଦର ଘୋସି ଥାନାରେ ରୁଜୁ ହତ୍ୟାକାଣ୍ଡ ମାମଲାରେ ଜେଲ ଯାଇ ସାରିଛି। ସେ ଏବେ ଜାମିନରେ ବାହାରକୁ ଆସିଥିଲା। ତା ବିରୁଦ୍ଧରେ ଆହୁରି ଅନେକ ମାମଲା ମଧ୍ୟ ରୁଜୁ ହୋଇଛି।  

 

ପ୍ରେମ ପ୍ରସଙ୍ଗ ଓ ଅବୈଧ ସଂପର୍କରେ ପ୍ରତିବନ୍ଧକ ହେଉଥିବା ସ୍ୱାମୀ ଦେବକୁମାର ଗୁଞ୍ଜନଙ୍କୁ ରାସ୍ତାରୁ ହଟେଇବା ଷଡ଼ଯନ୍ତ୍ର ରଚିବା ପୂର୍ବରୁ ସମିତା ଓ ତାର ପ୍ରେମିକ ଅନେକ ସସପେନ୍ସ-ଥ୍ରୀଲର ଫିଲ୍ମ ଦେଖି ଥିଲେ। ଅଲଗା ଅଲଗା ଫିଲ୍ମରୁ ଉପାୟ ଖୋଜିବା ପରେ ସେମାନେ ହତ୍ୟା ଷଡ଼ଯନ୍ତ୍ର  ରଚିଥିଲେ। ଏହାପରେ ଦୁହେଁ ଅନ୍ତିମ ନିଷ୍ପତ୍ତି ନେଲେ ଯେ, ଦେବଙ୍କୁ ଚଳନ୍ତା ଟ୍ରେନରେ ହତ୍ୟା କରାଇବେ। ସୁପାରୀ କିଲର ରାଜୁ କୁମାର ଓରଫ ଧୀରଜ ହତ୍ୟା କରିବା ପୂର୍ବରୁ ପ୍ରଥମେ ଦେବ ଗୁଞ୍ଜନଙ୍କର ରେକି କରିଥିଲା। ସେ ଦୁଇରୁ ତିନି ଥର ଟ୍ରେନରେ ଯାତ୍ରା କରୁଥିବା ଦେବକୁମାରଙ୍କର କାର୍ଯ୍ୟକଳାପକୁ ଦେଖି ଥିଲା। ସମିତା ଲଗାତାର ତାଙ୍କର ଲୋକେସନ ଓ ଯାତ୍ରାର ସୂଚନା ଶୁଟରକୁ ହ୍ୱାଟ୍ସଆପ କଲରେ ଦେଉଥିଲା । ଏହାପରେ ୧୧ ଜୁନରେ ହତ୍ୟା କରାଯାଇ ଥିଲା।

ଆହୁରି ମଧ୍ୟ ପଢନ୍ତୁ - Emergency wardରେ ଦୁଃଖଦ ଘଟଣା , ରୋଗୀ ଦେଖୁଥିବା ବେଳେ ହାର୍ଟ ଆଟାକରେ ଡାକ୍ତରଙ୍କ ମୃତ୍ୟୁ

ସୂଚନା ଯେ, ମହାରାଷ୍ଟ୍ରର ପୁଣେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଗତ ୧୮ ଜୁନରେ ଲୋହାଗଡ ଦୁର୍ଗରୁ ଖସି ପଡ଼ିବାରୁ ମୃତ୍ୟୁ ହୋଇଥିଲା। ପ୍ରାରମ୍ଭିକ ଭାବେ ଏହାକୁ ଏକ ଦୁର୍ଘଟଣା କୁହାଯାଇ ଥିଲା, କନ୍ତୁ ଯାଞ୍ଚରେ ପୁଲିସ ଖୁଲାସା କରିଥିଲା ଯେ, ତାଙ୍କର ଭାବୀ ପତ୍ନୀ ସିଆ ଗୋୟଲ ଓ ତାର ପ୍ରେମିକ ଚେତନ ଚୌଧୁରୀ ଷଡ଼ଯନ୍ତ୍ର କରି ଦୁର୍ଗର ଖାଇକୁ ଠେଲି ଦେଇଥିଲେ। ଏହାପୂର୍ବରୁ ମଧ୍ୟ ପ୍ରଦେଶର ଇନ୍ଦୋରରେ ରହୁଥିବା ବ୍ୟବସାୟୀ ରାଜା ରଘୁବଂଶୀଙ୍କର ମେ ମାସ ୨୦୨୫ରେ ମେଘାଳୟରେ ହନିମୁନ ବେଳେ ହତ୍ୟା କରିଦିଆ ଯାଇଥିଲା। ଆରମ୍ଭରେ ଦମ୍ପତି ନିଖୋଜ ହେବା ଓ ପରେ ରାଜାର ଶବ ଖାଇରୁ ମିଳିବା ମାମଲା ରହସ୍ୟପୂର୍ଣ୍ଣ ହୋଇଥିଲା। ଯାଞ୍ଚରେ ମେଘାଳୟ ପୁଲିସ ଖୁଲାସା କରିଥିଲା ଯେ, ତାଙ୍କର ପତ୍ନୀ ସୋନମ ରଘୁବଂଶୀ ପ୍ରେମିକ ରାଜ କୁଶୱାହା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ମିଳି ହତ୍ୟା କରାଇ ଥିଲା।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।