ED-Raid: ଟେରର ଫଣ୍ଡିଂ ଓ ବେଆଇନ ଅନୁପ୍ରବେଶ ଲିଙ୍କ୍, ୪ ରାଜ୍ୟର ୧୩ ସ୍ଥାନରେ EDର ମେଗା ରେଡ୍ !
ଲକ୍ଷ୍ନୌ, ୧୬।୭: ଆତଙ୍କବାଦୀ ଫଣ୍ଡିଂ ଏବଂ ବେଆଇନ ଅନୁପ୍ରବେଶ ନେଟୱର୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ମନି ଲଣ୍ଡରିଂ ପ୍ରତିରୋଧ ଆଇନ (PMLA), ୨୦୦୨ ଅଧୀନରେ EDର ଲକ୍ଷ୍ନୌ ଜୋନାଲ ଅଫିସ୍ ଗୁରୁବାର ଦିନ ଦେଶର ୪ଟି ରାଜ୍ୟର ପ୍ରାୟ ୧୩ଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବେଆଇନ ନେଟୱର୍କ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶ ATSର FIRକୁ ଆଧାର କରି ଇଡି ଏହି ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ପୁଲିସର ସହାୟତାରେ ED ଟିମ୍ ଦିଲ୍ଲୀ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚଳାଇଛି ।
ନୂଆଦିଲ୍ଲୀର ବାଟଲା ହାଉସ୍ ଏବଂ ମଦନପୁର ଖାଦର, ଉତ୍ତର ପ୍ରଦେଶର ସହାରନପୁର, ମହାରାଷ୍ଟ୍ରର ରାୟଗଢ଼, ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ୨୪ ପ୍ରଗଣା, କୋଲକାତା ଏବଂ ମୁର୍ଶିଦାବାଦ ଆଦି ସ୍ଥାନରେ ଚଢ଼ାଉ ଇଡି ରେଡ୍ ଜାରି ରଖିଛି । ସୂଚନା ଅନୁଯାୟୀ, ୨୦୨୪ ମସିହାରେ ଉତ୍ତର ପ୍ରଦେଶ ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍ ଦ୍ୱାରା ଏକ ସଂଗଠିତ ଗ୍ୟାଙ୍ଗ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ଗ୍ୟାଙ୍ଗ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ନାଗରିକମାନଙ୍କୁ ବେଆଇନ ଭାବେ ଭାରତ ମଧ୍ୟକୁ ଅନୁପ୍ରବେଶ କରାଉଥିଲା । କେବଳ ସେତିକି ନୁହେଁ, ସେମାନଙ୍କ ପାଇଁ ଜାଲ୍ ଭାରତୀୟ ପରିଚୟପତ୍ର ପ୍ରସ୍ତୁତ କରି ଦେଶର ବିଭିନ୍ନ ପ୍ରାନ୍ତରେ ସେମାନଙ୍କୁ ବେଆଇନ ଭାବେ ଥଇଥାନ କରିବାରେ ମଧ୍ୟ ଏହି ଗ୍ୟାଙ୍ଗ ସହଯୋଗ କରୁଥିଲା ।
ଏହା ବି ପଢ଼ନ୍ତୁ...
ଇଡିର ପ୍ରାଥମିକ ତଦନ୍ତରୁ ଏକ ବଡ଼ ଧରଣର ଆର୍ଥିକ ନେଟୱର୍କର ସନ୍ଧାନ ମିଳିଛି । କିଛି ଚାରିଟେବୁଲ୍ ଟ୍ରଷ୍ଟ ଏବଂ ସଂସ୍ଥା ଜରିଆରେ ବିପୁଳ ପରିମାଣର ବିଦେଶୀ ପାଣ୍ଠି ହାସଲ କରାଯାଇଥିବା ସନ୍ଦେହ କରାଯାଉଛି । ପରେ ଏହି ଅର୍ଥକୁ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ମ୍ୟୁଲ୍ ଆକାଉଣ୍ଟ ଏବଂ ଲେୟାରିଂ ଟ୍ରାଞ୍ଜାକସନ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପଠାଯାଇଛି । ଏହା ସହିତ ବହୁ ପରିମାଣର ନଗଦ ଟଙ୍କା ଉଠାଣ ଏବଂ ଛୋଟ ଛୋଟ ଆକାରରେ ଅର୍ଥ କାରବାର ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି । ବର୍ତ୍ତମାନ ଇଡି ଏହି ସମଗ୍ର ଆର୍ଥିକ ନେଟୱର୍କ, ପାଣ୍ଠିର ଉତ୍ସ ଏବଂ ଏହା ସହ ଜଡ଼ିତ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଭୂମିକା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି । ଚଢ଼ାଉ ସମୟରେ ଜବତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଏବଂ ଡିଜିଟାଲ ପ୍ରମାଣ ଆଧାରରେ ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।