Beauty Mohanty Death Mystery: ବିଉଟିଙ୍କ ଶେଷ କଥା... କେସ୍ କ୍ଲୋଜ୍ କରୁଥାଅ, ମୁଁ ଆସି ଦେଖିବି.. ଆଉ ଫେରିଲେନି
କଟକ ୦୫/୦୭: କଟକ କମିସନରେଟ୍ ପୁଲିସର ଲେଡି ସିଂହମ କୁହାଯାଉଥିବା ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର ବିଉଟି ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥାନା ଉପରେ ଥିବା ରେଷ୍ଟରୁମ୍ରୁ ଉଦ୍ଧାର କରାଯାଇଛି । ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ଏହାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା କହୁଛି । ପରିବାର କିନ୍ତୁ ସହଜରେ ଗ୍ରହଣ କରିପାରୁନି । ରାଜ୍ୟରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁ ହେବା ଘଟଣା ବିରଳ । ସମସ୍ତଙ୍କୁ ସହଯୋଗ କରୁଥିବା, ନିଜ ପେସାରେ ଦକ୍ଷ ଥିବା, ନିଜ ପରିବାର ପାଇଁ ଉତ୍ତମ ସଦସ୍ୟ ଥିବା ଜଣେ ନିର୍ଭୀକ୍ ମହିଳା ପୁଲିସ କେବେ ହେଲେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ସହର ତମାମ୍ ଚର୍ଚ୍ଚା ହେଉଛି । ତେବେ ମୃତ୍ୟୁପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଡ୍ରେସ୍ ଆଣି ରେଷ୍ଟ୍ରୁମ୍ରେ ରଖିଥିଲେ
ପ୍ରାୟ ୩ ମାସରୁ ଅଧିକ ସମୟ ହେବ ବିଉଟି ମହାନ୍ତି ଚାଉଳିଆଗଞ୍ଜ ଥାନାକୁ ଆସିଲେଣି । ପ୍ରତିଦିନ ରାତିରେ ସେ ଘରକୁ ପଳାନ୍ତି । ଘରୁ ସାଧାରଣ ଡ୍ରେସ୍ରେ ଆସି ରେଷ୍ଟରୁମ୍ରେ ୟୁନିଫର୍ମ ପିନ୍ଧି ଡ୍ୟୁଟି କରନ୍ତି । ରାତିରେ ପୁଣି ୟୁନିଫର୍ମ ବଦଳାଇ ଘର ପିନ୍ଧା ଡ୍ରେସ୍ରେ ଘରକୁ ଫେରନ୍ତି । ମାତ୍ର କିଛି ଦିନ ହେବ ଏମତି କ’ଣ ହେଲା ଯେ, ସେ କିଛି ସାଧାରଣ ଡ୍ରେସ୍ ଆଣି ଥାନାର ରେଷ୍ଟ୍ରୁମ୍ରେ ରଖିଥିଲେ । ତାଙ୍କୁ ବୋଧହୁଏ କେହି ଅଫିସର ରାତିରେ ଥାନାରେ ରହିବା ପାଇଁ ବାଧ୍ୟ କରିଥିଲା । ତେଣୁ ସେ ସାଧାରଣ ଡ୍ରେସ୍ ଆଣି ଥାନାରେ ରହିବା ଯୋଜନା କରିଥିଲେ ।
କେସ୍ କ୍ଲୋଜ୍ କରୁଥାଅ, ମୁଁ ଆସି ଦେଖିବି..
ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା । ବିଉଟି ମହାନ୍ତି ନିଜ ଚାମ୍ବରରୁ ବାହାରିଲେ । ପ୍ରଥମେ କମ୍ପ୍ୟୁଟର୍ ପିଲାକୁ ସିସିଟିଏନ୍ଏସ୍ ଡାଟା କ’ଣ ଅପ୍ଲୋଡ୍ ହେଲା ପଚାରିଲେ । ଏହା ପରେ ଅଫିସର୍ଙ୍କ ରୁମ୍କୁ ଗଲେ । ସେଠାରେ ଅତିରିକ୍ତ ଥାନା ଅଧିକାରୀ, ଏସ୍ଆଇ ଓ ମହିଳା ଏସ୍ଆଇଙ୍କୁ କେସ୍ କ୍ଲୋଜ୍ କଥା ପଚାରିଲେ । କାହାର କେତେ କେସ୍ ରହିଲା ତୁରନ୍ତ ସାରିବାକୁ ଜଣାଇଲେ । ଏମିତିକି ତୁମେ କେସ୍ ଲେଖୁଥାଏ ମୁଁ ଆସି ଦେଖିଦେଇ ଘରକୁ ଯିବି ବୋଲି ମଧ୍ୟ କହିଲେ । ଏହା ପରେ ୟୁନିଫର୍ମ ବଦଳାଇବାକୁ ଉପରେ ଥିବା ରେଷ୍ଟ ରୁମ୍କୁ ଗଲେ । ମାତ୍ର ରାତି ସାଢ଼େ ୧୧ଟା ହେଲା କିନ୍ତୁ ସେ ଫେରିଲେନି । ନିଜ ଚାମ୍ବରରେ ମଧ୍ୟ ସବୁ ଫାଇଲପତ୍ର ପଡ଼ି ରହିଛି ।
୫ ବର୍ଷରେ ୪ ଥାନାକୁ ବଦଳ
ବିଉଟି ମହାନ୍ତି ୨୦୦୫ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଲାଭ ପରେ ଏକ ଘରୋଇ କଲେଜରେ କିଛି ଦିନ ଶିକ୍ଷାଦାନ କରିଥିଲେ । ୨୦୧୦ ମସିହାରେ ରାଜ୍ୟ ପୁଲିସରେ ଏସ୍ଆଇ ଭାବେ ଚାକିରି ପାଇଲେ । ଏହା ପରେ ସେ ତାଲିମ ନେଇ ଗଞ୍ଜାମରେ ଏସ୍ଆଇ ଭାବେ ଯୋଗଦେଲେ । ସେଠାରୁ ପଦୋନ୍ନତି ପାଇ ୨୦୨୧ ମସିହାରେ ମର୍କତନଗର ଥାନାରେ ଇନ୍ସ୍ପେକ୍ଟର ଭାବେ ଯୋଗଦେଲେ । ଦୁଇ ବର୍ଷ ରହିବା ପରେ ତାଙ୍କୁ ଭୁବନେଶ୍ୱର କମିସନରେଟ୍ ପୁଲିସ ଅଧୀନ ପାହାଳ ଥାନାକୁ ବଦଳି କରାଗଲା । ୨୦୨୩ ନଭେମ୍ବର ମାସରେ ସେ ପାହାଳ ଥାନାରେ ଯୋଗଦେଲେ । ଏହା ପରେ ୨୦୨୫ ଫେବ୍ରୁଆରୀ ମାସରେ କଟକ ମହିଳା ଥାନାକୁ ବଦଳି କରାଗଲା । ଏଠାରେ ପ୍ରାୟ ବର୍ଷେ କାମ କଲା ପରେ ପୁଣି ତାଙ୍କୁ ନନ୍ଦନକାନନ ଥାନାକୁ ବଦଳି କରାଗଲା । ମାତ୍ର ସେଠାକୁ ନଯିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବଦଳି ରଦ୍ଦ ହେଲା । ମାତ୍ର ଏହାର ଦୁଇ ମାସ ପରେ ପୁଣି ତାଙ୍କୁ ଚାଉଳିଆଗଞ୍ଜ ଥାନାକୁ ବଦଳି କରିଦିଆଗଲା । ବାରମ୍ବାର ଏହି ବଦଳିକୁ ନେଇ ସେ ଖୁସି ନଥିଲେ । ସ୍ୱାମୀ ରାଜ୍ୟ ବାହାରେ ରହୁଛନ୍ତି । ଘରେ ୧୦ବର୍ଷର ପୁଅ । ତେଣୁ ପରିବାରଠାରୁ ଦୂରରେ ପୋଷ୍ଟିଂ ନଦେବାକୁ ସେ ବାରମ୍ବାର ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରୁଥିଲେ । ହେଲେ କମିସନରେଟ୍ ପୁଲିସରେ ଯୋଗଦେବାର ୫ ବର୍ଷ ଭିତରେ ତାଙ୍କୁ ୪ଟି ଥାନାରେ କାମ କରିବାକୁ ପଡ଼ିଛି । ତେବେ ଦକ୍ଷ ଅଧିକାରୀଙ୍କୁ ବାରମ୍ବାର ବଦଳି କାହିଁକି କରାଯାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ଚାପ କ’ଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ।
ନିଜ ଥାନାରେ ଅପମୃତ୍ୟୁ ମାମଲା
ଚାକିରି କାଳରେ କେତେ ଯେ, ଅପମୃତ୍ୟୁ ମାମଲା ରୁଜୁ କରି ତାର ତଦନ୍ତ କରିଛନ୍ତି । ହେଲେ ଆଜି ନିଜ ଥାନାରେ ନିଜ ନାଁରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ରାତିସୁଦ୍ଧା ପରିବାର କିମ୍ବା ସମ୍ପର୍କୀୟ କୌଣସି ଲିଖିତ ଅଭିଯୋଗ କରିନଥିବାରୁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବିଉଟି ମହାନ୍ତିଙ୍କର ବ୍ୟବଚ୍ଛେଦ କରାଯାଇଛି । ଏହି ଅପମୃତ୍ୟୁ ମାମଲାର (ଆଇଓ) ବା ତଦନ୍ତକାରୀ ଅଧିକାରୀ ଭାବେ ଅତିରିକ୍ତ ଇନ୍ସ୍ପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି ବ୍ୟବଚ୍ଛେଦ ଜଣେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରି କରାଯାଇଥିବା ସୂଚନା ମିଳିଛି ।
ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ
ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ବିଭିନ୍ନ ସ୍ଥାନରେ ଅନ୍ତିମ ଦର୍ଶନ ପରେ ବିଉଟି ମହାନ୍ତିଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଛି । ସେଠାରେ ମର୍ଯ୍ୟଦା ସହକାରେ ଶେଷକୃତ୍ୟ ସଂପନ୍ନ କରାଯାଇଛି । ଏହି ସମୟରେ ଜୋନ୍ ଏସିପି ସୁଧାଂଶୁ ଭୂଷଣ ଜେନା, ଥାନା ଅତିରିକ୍ତ ଇନ୍ସପେକ୍ଟର ସୂର୍ଯ୍ୟ ସେଠୀ, ପୁରୀ ସିଟି ଡିଏସ୍ପି ରଶ୍ମୀରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଉଟିଙ୍କର ସ୍ୱାମୀ, ଭଉଣୀ, ଭିଣୋଇ ଓ ସମ୍ପର୍କୀୟମାନେ ଅନ୍ତିମ ସତ୍କାର ବେଳେ ଉପସ୍ଥିତ ଥିଲେ ।
ଗୁଡୁକୁ କିଏ ବୁଝାଇବ..?
ରାତିରେ ମାଆ ଘରକୁ ଆସିନଥିଲେ । ମାଆକୁ ଖୋଜି ଖୋଜି ପୁଅ ଗୁଡୁ ଶୋଇପଡ଼ ିଥିଲା । ସକାଳ ହେବାରୁ ପୁଣି ମାଆକୁ ଖୋଜିଲା । ଆଉ କିଛି ସମୟ ପରେ ଯେଉଁ ଖବର ଆସିଲା ତାହା ଗୁଡ଼ ୁକୁ କିଏ କହିବ । ପରିବାର ଲୋକ କହିଲେ ମାଆ ଦେହ ଖରାପ ଅଛି ଚାଲ୍ ମେଡିକାଲ୍ ଯିବା । ଆଉ ଏସ୍ସିବି ଆସି ଦେଖିଲା ବେଳକୁ ମାଆ ତଳେ ଶୋଇଛି । ଡାକିଲାରୁ ଉଠୁନି । କେହି ଜଣେ ସମ୍ପର୍କୀୟଙ୍କୁ ଗୁଡୁ ପଚାରୁଛି ମାଆ ଦେହ କ’ଣ ହୋଇଛି । କେତେ ବେଳେ ଭଲ ହୋଇ ଆସିବ । କାନ୍ଦି କାନ୍ଦି ଏସ୍ସିବି ଶବଗୃହ ପାଖ ଘର ଭିତର ଫଟାଉଥାଏ । ଗୁଡୁର କାନ୍ଦ ଦେଖି ପରିବାର, ସମ୍ପର୍କୀୟ ଓ ପୁଲିସ କର୍ମଚାରୀ ବି ହତବାକ୍ । ବହୁ ବୁଝାସୁଝା କରି ତାକୁ ଘରକୁ ନିଆଯାଇଥିଲା ।
ପୂର୍ବରୁ ଏସ୍ଆଇ, କନ୍ଷ୍ଟେବଳ ଆତ୍ମହତ୍ୟା କରିଛନ୍ତି
ରାଜ୍ୟ ପୁଲିସ ବିଭାଗରେ ଆତ୍ମହତ୍ୟା ଘଟଣା ଏକାଧିକ ବାର ସାମ୍ନାକୁ ଆସିଛି । ୨୦୨୫ ଅଗଷ୍ଟରେ ନୂଆପଡ଼ା ଷ୍ଟେସନ୍ ପାଖରେ ଜଣେ ମହିଳା କନ୍ଷ୍ଟେବଳ ଆତ୍ମହତ୍ୟା କରିଥିଲେ । ୨୦୧୬ ମାର୍ଚ୍ଚ ୩୦ରେ କେନ୍ଦ୍ରାପଡ଼ା ରାଜକନିକାରେ ଜଣେ କନ୍ଷ୍ଟେବଳ ଆତ୍ମହତ୍ୟା କରିଥିଲେ । ୨୦୨୬ ଏପ୍ରିଲ୍ ୫ରେ ଉମରକୋଟରେ ଜଣେ କନ୍ଷ୍ଟେବଳ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ । ୨୦୨୨ ଅଗଷ୍ଟ ୨୭ରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରା ଆତ୍ମହତ୍ୟା କରିଥିଲେ । ୨୦୨୩ ମାର୍ଚ୍ଚ ୧୩ରେ କନ୍ଧମାଳର ଟିକବାଲି ପୁଲିସ ଷ୍ଟେସନ୍ର କନ୍ଷ୍ଟେବଳ ଆତ୍ମହତ୍ୟା କରିଥିଲେ।