11 JULY 2026

Welcome!

Unlock your personalized experience.
Sign Up

Anti-Goonda Laws: ପଶ୍ଚିମବଙ୍ଗରେ ‘ଆଣ୍ଟି ଗୁଣ୍ଡା ଆଇନ୍’କୁ ମଞ୍ଜୁରୀ, ବିନା ବିଚାରରେ ବର୍ଷେ ଯାଏଁ ଜେଲ୍‌ରେ ରହିବେ ଅଭିଯୁକ୍ତ

Jul 11, 2026 - 18:41
Anti-Goonda Laws: ପଶ୍ଚିମବଙ୍ଗରେ ‘ଆଣ୍ଟି ଗୁଣ୍ଡା ଆଇନ୍’କୁ ମଞ୍ଜୁରୀ, ବିନା ବିଚାରରେ ବର୍ଷେ ଯାଏଁ ଜେଲ୍‌ରେ ରହିବେ ଅଭିଯୁକ୍ତ

କୋଲକାତା,୧୧।୭:  ପଶ୍ଚିମବଙ୍ଗର ଆଇନ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି ଯେ, ବିଧାନସଭାରେ ଗତ ମାସ ପାସ୍ ହୋଇଥିବା ୨ ନୂଆ ଆଇନ୍ ସୋମବାର ପୁରା ରାଜ୍ୟରେ ଲାଗୁ ହୋଇଯିବ। ମୁର୍ସିଦାବାଦର ବହରାମପୁରରେ ପ୍ରଶାସନିକ ସମୀକ୍ଷା ବୈଠକ ପରେ ସେ କହିଛନ୍ତି, ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ପଶ୍ଚିମବଙ୍ଗ ଲୋକ ସୁରକ୍ଷା ଏବଂ ଅସମାଜିକ ଗତିବିଧି ଉପରେ ନିୟନ୍ତ୍ରଣ ଅଧିନିୟମ ୨୦୨୬ ଏବେ ଲାଗୁ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଆଇନର ଉଦେଶ୍ୟ ରାଜ୍ୟରେ ଗୁଣ୍ଡାଗର୍ଦ୍ଦି, ହିଂସା ଓ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଁଞ୍ଚାଇବା ଭଳି ଘଟଣା ଉପରେ ପ୍ରଭାବଶାଳୀ ନିୟନ୍ତ୍ରଣ ସ୍ଥାପନ କରିବା। ସରକାର ଆଇନ ବ୍ୟବସ୍ଥା ସହିତ କୌଣସି ପ୍ରକାର ବୁଝାମଣା କରିବାକୁ ଚାହାନ୍ତି ନାହିଁ ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯିବ।

ନୂଆ ଆଇନ ଅନୁସାରେ, ଏଭଳି ଲୋକଙ୍କ ପରିଚୟ କରାଯିବ, ଯେଉଁମାନେ ଗୁଣ୍ଡା କିମ୍ବା ସମାଜ ବିରୋଧି ଗତିବିଧିରେ ସାମିଲ ବୋଲି ମନେକରାଯିବେ। ଏଭଳି ଅଭିଯୁକ୍ତଙ୍କୁ ବିନା ମାମଲାରେ ସର୍ବାଧିକ ୧୨ ମାସ ପର୍ଯ୍ୟନ୍ତ କଷ୍ଟଡିରେ ରଖିହେବ। ଗମ୍ଭୀର ମାମଳାରେ ଅଭିଯୁକ୍ତଙ୍କୁ ନିଜର ପସନ୍ଦଯୋଗ୍ୟ ଓକିଲ ରଖିବାର ମଧ୍ୟ ଅନୁମତି ମିଳିବନି। ତାଙ୍କୁ କେବଳ ସରକାରଙ୍କ ଆଇନଗତ ସହାୟତା ସେବା ମାଧ୍ୟମରେ ମିଳିପାରିବ। ସେଭଳି ଅନ୍ୟ ଆଇନ ଅନୁସାରେ, ସାର୍ବଜନୀନ କିମ୍ବା ବ୍ୟକ୍ତିଗତ ସମ୍ପତ୍ତିକୁ କ୍ଷତି ପହଁଞ୍ଚାଇଥିବା ଲୋକଠାରୁ ଆଦାୟ କରାଯିବ। ଏଥିପାଇଁ ଏକ ବିଶେଷ ଦାବି କମିଶନ୍ ତିଆରି କରାଯିବ, ଯାହାକି କ୍ଷତିର ଆକଳନ କରି କ୍ଷତିପୂରଣ ରାଶି ଧାର୍ଯ୍ୟ କରିବେ।

କାହିଁକି ଆଣିବାକୁ ପଡିଲା ନୂଆ ଆଇନ ?

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଙ୍ଗା, ହିଂସା ପ୍ରଦର୍ଶନ ଓ ବେଆଇନ କାର୍ଯ୍ୟାକଳାପ ଦ୍ବାରା ଆଇନ ବ୍ୟବସ୍ଥା ଖରାପ ହେବାକରେ ଲାଗିଛି। ଏହି ଘଟଣା ବେଳେ ସରକାରୀ ଓ ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ। ତେଣୁ ଏଭଳି ଏକ ଆଇନର ଆବଶ୍ୟକତା ପଡିଥିଲା। ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଆଇନ ବ୍ୟବସ୍ଥା ସହ ଜଡିତ ମାମଲାରେ କୌଣସି ରାଜନୈତିକ ନେତାଙ୍କ ନିର୍ଦେଶକୁ ଅପେକ୍ଷା କରାନଯାଉ। ଯଦି ସମସେରଗଞ୍ଜ, ବେଲାଡାଙ୍ଗ, ରେଜିନଗର କିମ୍ବା ଶକ୍ତିପୁର ଭଳି ଘଟଣା ପୁଣିଥରେ ଘଟୋ ତେବେ ପୋଳିସ ସିଧା ଭାରତୀୟ ନ୍ୟାୟ ସଂହିତାର ନିୟମ ଅନୁସାରେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ପୋଲିସକୁ ସମ୍ପୂର୍ଣ ସ୍ବାଧୀନତା ଦିଆଯାଇଛି। ସେ ନିଜର ପ୍ରଶିକ୍ଷଣ ଓ ଆଇନ ଆଧାରରେ ତୁରନ୍ତ ନିଷ୍ପତ୍ତି ନେଇପାରିବ। ସେଭଳି ମହିଳା ଏବଂ ନାବାଳିକାଙ୍କ ବିରୋଧରେ ଅତ୍ୟାଚାରର ସବୁ ପୁରୁଣା ମାମଲା ପୁଣିଥରେ ଖୋଲିବାକୁ ନିର୍ଦେଶ ଦିଆଯାଇଛି। ଯେଉଁ ଦୋଷୀଙ୍କୁ ସଜା ମିଳିନି ତାଙ୍କର ସମୀକ୍ଷା କରାଯିବ। ଦରକାର ପଡିଲେ ଅଭିଯୁକ୍ତଙ୍କୁ ଆଇନ ପରିସରକୁ ଅଣାଯିବ। ପୋଲିସ ଉପରେ ଆକ୍ରମଣ, ସରକାରୀ ବସ୍ ଜାଳିବା କିମ୍ବା ଟ୍ରେନ୍ ଟ୍ରାକ୍କୁ ଉଡାଇବା ଭଳି ଘଟଣା ପୁଣିଥରେ ଦେଖିବାକୁ ମିଳିବନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।