05 JULY 2026

Welcome!

Unlock your personalized experience.
Sign Up

AI Success Story: ନା ଥିଲା MBA ଡିଗ୍ରୀ, ନା କୋଟି କୋଟି ଟଙ୍କା... ୬ ପିଲାଙ୍କ ମା’ AI ସାହାଯ୍ୟରେ ଠିଆ କରି ଦେଲେ କମ୍ପାନୀ!

Jul 04, 2026 - 23:38
AI Success Story: ନା ଥିଲା MBA ଡିଗ୍ରୀ, ନା କୋଟି କୋଟି ଟଙ୍କା... ୬ ପିଲାଙ୍କ ମା’ AI ସାହାଯ୍ୟରେ ଠିଆ କରି ଦେଲେ କମ୍ପାନୀ!

ନୂଆଦିଲ୍ଲୀ – ସେ ଏମିତି ଜଣେ ମାଆ…୬ ଜଣ ପିଲାଙ୍କ ଦାୟିତ୍ୱ ଥିଲା ତାଙ୍କ କାନ୍ଧରେ… ପାଖରେ ନଥିଲା କୌଣସି ବଡ଼ ୟୁନିଭର୍ସିଟିର ଡିଗ୍ରୀ କି ନଥିଲା MBA ପାଠପଢା ... ନଥିଲା କୋଟି କୋଟି ଟଙ୍କାର ନିବେଶ କି ବିଜନେସ ବ୍ୟାକଗ୍ରାଉଣ୍ଡ। କିନ୍ତୁ ଆଜି ସେ ଜଣେ ସଫଳ ଷ୍ଟାର୍ଟଅପର ମାଲିକାଣୀ। ଏଭଳି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଆମେରିକାର ମିଶେଲ୍ ଟର୍ନର୍। ଆଉ ତାଙ୍କର ଏହି ସଫଳତା ପଛରେ ରହିଛି AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ।

ଆମେରିକାର ଭର୍ଜିନିଆ ବିଚ୍‌ରେ ରହୁଥିବା ମିଶେଲ୍ ଟର୍ନର ଏକ ବଡ଼ ସପ୍ନ ଥିଲା। ସେ 'ଫୋଷ୍ଟର କେୟାର ସିଷ୍ଟମ'ରେ ଥିବା ଅସହାୟ ପିଲାମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚାହୁଁ ଥିଲେ। ହେଲେ ଏକ ବଡ଼ ସମସ୍ୟା ଥିଲା ଯେ, ମିଶେଲଙ୍କର କୌଣସି ବିଜନେସ ବ୍ୟାକଗ୍ରାଉଣ୍ଡ ନଥିଲା। ବିଜନେସ ପ୍ଲାନ କେମିତି ପ୍ରସ୍ତୁତ ହୁଏ, ନିବେଶକ ବା ଇନଭେଷ୍ଟରମାନଙ୍କୁ କେମିତି ପ୍ରେଜେଣ୍ଟେସନ ଦିଆଯାଏ, ସେ ବିଷୟରେ ସେ କିଛି ବି ଜାଣି ନଥିଲେ। ଯଦି ଏହା କିଛି ବର୍ଷ ପୂର୍ବର କଥା ହୋଇ ଥାନ୍ତା, ତେବେ ହୁଏତ ତାଙ୍କର ଏହି ସ୍ୱପ୍ନ ସ୍ୱପ୍ନରେ ହିଁ ରହି ଯାଇଥାନ୍ତା। କିନ୍ତୁ ମିଶେଲଙ୍କ ଜୀବନରେ ଏଣ୍ଟ୍ରି ହେଲା AI ।

ମିଶେଲ୍ ମହଙ୍ଗା ପରାମର୍ଶଦାତା କିମ୍ବା ବିଜନେସ ସ୍କୁଲ ଯିବା ବଦଳରେ AI ଟୁଲ୍ସର ସାହାଯ୍ୟ ନେଲେ। ଧିରେ ଧିରେ AI ତାଙ୍କର ଶିକ୍ଷକ ପାଲଟି ଗଲା। କେତେବେଳେ ବିଜନେସ ପ୍ଲାନ ତିଆରି କରିବା ତ କେତେବେଳେ ନିବେଶକଙ୍କ ପାଇଁ ପିଚ୍ ପ୍ରସ୍ତୁତ କରିବା, AI ତାଙ୍କୁ ସବୁ କିଛି ଶିଖାଇଲା। ମିଶେଲ୍ କୁହନ୍ତି, ଏମିତି ଲାଗୁଥିଲା ଯେମିତି ମୁଁ ପ୍ରତିଦିନ କୌଣସି ମାଷ୍ଟର୍ସ କ୍ଲାସରେ ପଢୁଛି, ତଫାତ୍ କେବଳ ଏତିକି ଥିଲା ଯେ, ମୋ ସାମ୍ନାରେ କେହି ମଣିଷ ନୁହେଁ ବରଂ AI ଥିଲା।

ମିଶେଲଙ୍କର ଏହି ପରିଶ୍ରମର ଫଳ ତାଙ୍କୁ ଖୁବ୍ ଶୀଘ୍ର ମିଳି ଥିଲା। ନିବେଶକମାନେ ତାଙ୍କ ଆଇଡିଆକୁ ଖୁବ୍ ପସନ୍ଦ କଲେ ଏବଂ ଫଣ୍ଡିଂ ଦେଲେ। ଜାନୁଆରୀ ୨୦୨୫ ରେ ମିଶେଲ୍ ଆରମ୍ଭ କଲେ ନିଜର ଷ୍ଟାର୍ଟଅପ୍ 'Here Now Health'। ଆଜି ମାତ୍ର କିଛି ମାସ ଭିତରେ ଏହି କମ୍ପାନୀରେ ୧୬ ଜଣ କର୍ମଚାରୀ କାମ କରୁଛନ୍ତି। ଏତିକି ନୁହେଁ, ଆମେରିକାର ୩ଟି ରାଜ୍ୟରେ ଏହି କମ୍ପାନୀକୁ ମେଡିକେଡ୍ ଅଧୀନରେ ପିଲାମାନଙ୍କୁ ମେଣ୍ଟାଲ ହେଲଥ୍ କାଉନସେଲିଂ ଦେବା ପାଇଁ ସରକାରୀ ମଞ୍ଜୁରୀ ମଧ୍ୟ ମିଳି ସାରିଛି।

ମିଶେଲଙ୍କ ଏହି କାହାଣୀ କେବଳ ଜଣେ ମହିଳାଙ୍କର ନୁହେଁ, ବରଂ ଏହା ଆମେରିକା ଅର୍ଥନୀତିରେ ଆସୁ ଥିବା ଏକ ବଡ଼ ବିପ୍ଳବର ପ୍ରତିଫଳନ। ଏବେ AI କେବଳ ଚାଟ୍ କରିବା କିମ୍ବା ଫଟୋ ତିଆରି କରିବାରେ ସୀମିତ ନାହିଁ, ବରଂ ଏହା ନୂଆ ନୂଆ ବ୍ୟବସାୟ ଓ ଚାକିରି ସୃଷ୍ଟି କରୁଛି। ଏହି କାରଣରୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ 'ଫେଡେରାଲ ରିଜର୍ଭ'ର ନୂତନ ଚେୟାରମ୍ୟାନ କେଭିନ୍ ୱାର୍ଶ AI ର ପ୍ରଭାବକୁ ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରିଛନ୍ତି।

ଅବଶ୍ୟ AI କୁ କିଛି ଲୋକ ଭାବୁଛନ୍ତି ଏହା ଚାକିରି ନେଇ ଯିବ, ଅର୍ଥନୀତିଜ୍ଞଙ୍କ ମତରେ AI ବ୍ୟବସାୟ ଆରମ୍ଭ କରିବା ସହଜ ଓ ଶସ୍ତା କରି ଦେଇଛି, ଯାହା ଦ୍ୱାରା ଆଗକୁ ଆହୁରି ଅଧିକ ଚାକିରି ସୃଷ୍ଟି ହେବ। ମିଶେଲ୍ ଟର୍ନରଙ୍କ କାହାଣୀ ଏକ ଉତ୍ତମ ବାର୍ତ୍ତା ପ୍ରଦାନ କରିଛି ଯେ, ନିଜ ଜୀବନ ବଦଳାଇବା ପାଇଁ କୋଟି କୋଟି ଟଙ୍କା କିମ୍ବା ବଡ଼ ଡିଗ୍ରୀର ଆବଶ୍ୟକତା ନାହିଁ; କେବଳ ଏକ ଭଲ ଆଇଡିଆ, କଠିନ ପରିଶ୍ରମ ଏବଂ AI ର ସଠିକ୍ ବ୍ୟବହାର ହିଁ ଯଥେଷ୍ଟ।

ଆହୁରି ମଧ୍ୟ ପଢନ୍ତୁ -E20 ପେଟ୍ରୋଲକୁ ନେଇ ବଡ଼଼ ଦାବି , ପୁରୁଣା ଗାଡ଼ିରେ ମଧ୍ୟ କୌଣସି ସମସ୍ୟା ନାହିଁ: ମାରୁତି