‘ମେହେରମୁଣ୍ଡା’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ : ଅଭିଭୂତ ହେଲେ ମନ୍ତ୍ରୀ ଓ ବିଭାଗୀୟ ସଚିବ
ଭୁବନେଶ୍ୱର, ୪/୭ : GR Records ପ୍ରସ୍ତୁତ ‘ମେହେରମୁଣ୍ଡା’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ , ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ହସ୍ତଶିଳ୍ପ ନିର୍ଦ୍ଦେଶିକା ଡକ୍ଟର ନିବେଦିତା ପୃଷ୍ଟି, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ହୋତା, ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଓଏଫଡିସିର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ପଣ୍ଡା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅଧିକାରୀ, କର୍ମକର୍ତ୍ତା ଓ ମେହେରମୁଣ୍ଡା ଚଳଚ୍ଚିତ୍ରର କଳାକାରମାନେ ଉପସ୍ଥିତ ଥିଲେ ।
ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଚଳଚ୍ଚିତ୍ରର ପ୍ରଶଂସା କରି କହିଥିଲେ ଯେ, ‘ମେହେରମୁଣ୍ଡା’ ଚଳଚ୍ଚିତ୍ରଟି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ, କଳା, ସଂସ୍କୃତିର ଅତି ଜୀବନ୍ତ ଓ ନିଖୁଣ ପ୍ରତିଫଳନ। ସିନେମାର ସୃଜନଶୀଳ କାହାଣୀ ଏବଂ ଉଚ୍ଚକୋଟୀର ନିର୍ଦ୍ଦେଶନା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଏକ ବଡ଼ ମାଧ୍ୟମ ସାଜିବ। GR Records ପ୍ରସ୍ତୁତ ‘ମେହେରମୁଣ୍ଡା’ ହେଉଛି ଓଡ଼ିଶାର ବୁଣାକାର ଜୀବନ, ସଂଘର୍ଷ ଓ ସଫଳତାକୁ ଆଧାର କରି ନିର୍ମିତ ଏକ ଓଡ଼ିଆ ଚଳଚ୍ଚିତ୍ର । କୋଭିଡ୍–୧୯ ପରେ ଆର୍ଥିକ ସଙ୍କଟ ସତ୍ତ୍ୱେ ମଧ୍ୟ ସେମାନେ ନିଜର ପାରମ୍ପରିକ କଳା ଓ ସଂସ୍କୃତିକୁ ବଜାୟ ରଖି, ଅନଲାଇନ୍ ବ୍ୟବସାୟ ମାଧ୍ୟମରେ ନିଜ ପରିଚୟକୁ ଆହୁରି ସୁଦୃଢ଼ କରିଥିବା କାହାଣୀକୁ ଏହି ଚଳଚ୍ଚିତ୍ରରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ।
ଏହି ଅବସରରେ ଯୋଗଦେଇଥିବା ଅତିଥିମାନେ କହିଥିଲେ ଓଡ଼ିଆଙ୍କ ହୃଦୟକୁ ସ୍ପର୍ଶ କରିବା ସହ ଓଡିଶା ବାସୀଙ୍କଚିନ୍ତାଧାରାକୁ ସୁଦୃଢ କରିବାରେ ସକ୍ଷମ ହୋଇ ପାରିଛି । ଆଜିର ଏହି ଚଳଚ୍ଚିତ୍ର ବୁଣାକାର ଭାଇ ଓ ଭଉଣୀମାନଙ୍କୁ ସମର୍ପିତ। ଏପରିକି ଏହି ଚଳଚ୍ଚିତ୍ର ଓଡ଼ିଆ ଅସ୍ମିତାର ପରିଚୟ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡିଶାର ହସ୍ତତନ୍ତ ଐତିହ୍ୟ, ବୁଣାକାର ସମୁଦାୟଙ୍କ ସଂଘର୍ଷ ଓ ସେମାନଙ୍କ ଅବଦାନକୁ ସମାଜ ସମ୍ମୁଖରେ ଆଣିବା ସହ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ହସ୍ତତନ୍ତ ପରମ୍ପରାକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଏକ ସଫଳ ପ୍ରୟାସ କରାଯାଇଛି ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ରାକେଶ କୁମାର ପାଢ଼ୀ କହିଛନ୍ତି । ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ସମୟରେ ଓଡିଶାର କଳା, ସଂସ୍କୃତି, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ପ୍ରୋତ୍ସାହନ ନିମନ୍ତେ ଉତ୍କଳିକା, ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟର ଷ୍ଟଲ ଲାଗିଥିଲା ଯାହାକୁ ଅତିଥିମାନେ ବୁଲି ଦେଖିବା ସହ ଓଡିଶାର ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପର ପ୍ରଶଂସା କରିଥିଲେ ।ଏହି ଚଳଚ୍ଚିତ୍ରରେ ଜ୍ୟୋତି ରଞ୍ଜନ ନାୟକ, ରାକେଶ କୁମାର ପାଢ଼ୀ, ସୁଶାନ୍ତ ଦାସ ମହାପାତ୍ର ଏବଂ ଆର୍ଲିନ୍ ଅଙ୍କିତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଚଳଚ୍ଚିତ୍ରଟିର ସାମାଜିକ ବାର୍ତ୍ତା ଓ ନିର୍ମାଣ ଗୁଣବତ୍ତା ପାଇଁ ୩ଟି ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛି। ଏହା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତତନ୍ତ ପରମ୍ପରା ପ୍ରତି ସଚେତନତା ସୃଷ୍ଟି ପାଇଁ ଚଳଚ୍ଚିତ୍ରଟିର ସ୍କ୍ରିନିଂ ଆୟୋଜନ କରାଯାଇଛି। ଓଡ଼ିଶାର ହସ୍ତତନ୍ତ ଐତିହ୍ୟର ପ୍ରଚାର ଓ ସଂରକ୍ଷଣରେ ଚଳଚ୍ଚିତ୍ରଟିର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ୯ ଜୁନ୍ ୨୦୨୬ରେ ଓଡ଼ିଶା ସରକାର ‘ମେହେରମୁଣ୍ଡା’କୁ କରମୁକ୍ତ (Tax Free) ଘୋଷଣା କରିଛନ୍ତି। ଏହା ପୂର୍ବରୁ ୮ ଅଗଷ୍ଟ ୨୦୨୫ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରାୟ ୧,୫୦୦ ଜଣ ବୁଣାକାରଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚଳଚ୍ଚିତ୍ରର ଟ୍ରେଲର ଉନ୍ମୋଚନ କରାଯାଇଥିଲା।