ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ସ୍ୱାସ୍ଥ୍ୟ ଶିବିର
ଭୁବନେଶ୍ୱର, ୩୦।୭ : ସମାଜର ହିତ ସାଧନକୁ ଦୃଷ୍ଟିରେ ରଖି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, କ୍ୟାମ୍ପସ -୧ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ଗୁରୁବାର ଏକ ବିଶାଳ ନିଶୁଳ୍ପ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି ।
ଆଇଏମ୍ଏସ ଆଣ୍ଡ ସମ ହସ୍ପିଟାଲ୍ ଓ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ମିଳିତ ସହଯୋଗରେ ଆଇନଜୀବୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ବାର ଆସୋସିଏସନର ପ୍ରାୟ ୧୦୦୦ ସଦସ୍ୟ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି ବୋଲି ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୂର୍ଯ୍ୟ ନାରାୟଣ ଦାସ ସୂଚନା ଦେଇଛନ୍ତି । ଏହି ସ୍ୱାସ୍ଥ୍ୟ ଶିବିର ନିମନ୍ତେ ଶ୍ରୀ ଦାସ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ଦାସ କହିଥିଲେ ଯେ ଆଇନଜୀବୀମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନେକ ଚାପରେ ରହୁଛନ୍ତି ତେଣୁ ସେମାନଙ୍କର ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାର ଆବଶ୍ୟକତା ରହିଛି । ଏହି ଅବସରରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ମାନସ ମହାପାତ୍ର ଓ ଭୁବନେଶ୍ୱର ବାର୍ ଆସୋସିଏସନ୍ର ସମ୍ପାଦକ ସୁମନ୍ ରାଉତରାୟ ଉପସ୍ଥିତ ରହି ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ୍-୧ର ଭେଷଜ, ଅସ୍ଥିମଜ୍ଜା, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ଦନ୍ତ ଓ ଚର୍ମ ବିଭାଗର ୩୦ ଜଣ ଡାକ୍ତର ଯୋଗ ଦେଇ ଆଇନଜୀବୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଆହୁରି ପଢନ୍ତୁ : ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।