29 JUNE 2026

Welcome!

Unlock your personalized experience.
Sign Up

ସମବାୟ ସମିତି ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନା ମଞ୍ଜୁର

Jun 29, 2026 - 13:39
ସମବାୟ ସମିତି ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନା ମଞ୍ଜୁର

ଭୁବନେଶ୍ଵର, ୨୯/୦୬ : ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର।  ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର। କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ଦ୍ଵାରା ଚାଷୀମାନଙ୍କୁ ସହଜ ଓ ସୁଗମ ଭାବରେ ସାର ବଣ୍ଟନ ହୋଇପାରିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ନୂତନ ଯୋଜନାର ନାମ ହେଉଛି—"ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।" ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି। ଏହି ଯୋଜନା ସମବାୟ ସମିତିଗୁଡ଼ିକର (PACS/LAMPCS) ଏକ ପ୍ରମୁଖ ଆର୍ଥିକ ସମସ୍ୟାର ସମାଧାନ କରିବ। ସାଧାରଣତଃ ଚାଷ ସମୟ ପୂର୍ବରୁ (ଅଗ୍ରୀମ ଭାବେ) ସାର ଆଣି ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ମାତ୍ରାଧିକ ସୁଦ୍ଧ ବୋଝ ପଡ଼ିଥାଏ। କ୍ୟାଶ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଦ୍ଧ ରିହାତି ପ୍ରଦାନ କରି ରାଜ୍ୟ ସରକାର ଏହି ଆର୍ଥିକ ବାଧାକୁ ଦୂର କରୁଛନ୍ତି। ଯାହାଦ୍ୱାରା ସମବାୟ ସମିତିଗୁଡ଼ିକ ପାଇଁ ସାରର ଅଗ୍ରୀମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଦ୍ଧ-ମୁକ୍ତ ହୋଇପାରିବ।

ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ:
୬୦% ବଜାର ଅଂଶଧନ ହାସଲ ଲକ୍ଷ୍ୟ: ବେସରକାରୀ ଚ୍ୟାନେଲ ଦ୍ୱାରା ହେଉଥିବା ସାରର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ, ସମବାୟ କ୍ଷେତ୍ର ମାଧ୍ୟମରେ ସାର ବଣ୍ଟନ ପରିମାଣକୁ ବର୍ତ୍ତମାନର ୨୫-୩୦% ରୁ ବୃଦ୍ଧି କରି ଖରିଫ ୨୦୨୬ ରୁ ୬୦% କୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଆର୍ଥିକ ବ୍ୟୟବରାଦ: ପାଞ୍ଚ ବର୍ଷ ଅବଧି (୨୦୨୬-୨୭ ରୁ ୨୦୩୦-୩୧) ପାଇଁ ସର୍ବମୋଟ ୪୨.୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି, ଯେଉଁଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାରମ୍ଭିକ ଭାବେ ୫.୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବ୍ୟାପକ ସାଂସ୍ଥାନିକ ପରିସର: ରାଜ୍ୟର ପ୍ରାୟ ୨,୭୦୦ ପ୍ରାଥମିକ କୃଷି ସମବାୟ ସମିତି (PACS/LAMPCS) କୁ ଏହି ଯୋଜନାରେ ସାମିଲ କରାଯିବ। ସେମାନଙ୍କର ଆବଶ୍ୟକତା ଆଧାରରେ କ୍ୟାସ୍ କ୍ରେଡିଟ୍ (CC) ସୀମା ପ୍ରଦାନ କରାଯିବ।

ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ (QR Code) ମାଧ୍ୟମରେ କାରବାର କରିବାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରାଯିବ।

ସାର କାରବାରକୁ ଆଧୁନିକୀକରଣ କରି, ଏହି ଚାଷୀ-ଅନୁକୂଳ ପଦକ୍ଷେପ ଓଡ଼ିଶାର କୃଷକମାନଙ୍କ ନିକଟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଏବଂ ସଠିକ୍ ସମୟରେ ସାର ପହଞ୍ଚାଇବା ନିଶ୍ଚିତ କରିବ।

ଆହୁରି ପଢନ୍ତୁ- ‘ପ୍ରମେୟ’, ‘ନ୍ୟୁଜ୍‌-୭’ର ‘ଗଛଟିଏ ଜୀବନଟିଏ’ ଅଭିଯାନ : ସୁନ୍ଦରପଦା ଶ୍ମଶାନରେ ଲାଗିଲା ଆମ୍ବ, ଲିମ୍ବ, ଜାମୁ

ଆଗକୁ ଆସୁଛି ବଡ଼ ବର୍ଷା ; ଜୁଲାଇ ୩ରୁ ୫ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ..​​​​​​​