27 JUNE 2026

Welcome!

Unlock your personalized experience.
Sign Up

ରାଜଧାନୀରେ ଲଜା: ହୋଟେଲ ରୁମ୍‌ରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ହୋଟେଲ ମ୍ୟାନେଜରକୁ ବାନ୍ଧିଲା ପୁଲିସ

Jun 27, 2026 - 12:38
ରାଜଧାନୀରେ ଲଜା: ହୋଟେଲ ରୁମ୍‌ରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ହୋଟେଲ ମ୍ୟାନେଜରକୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର,୨୭/୦୬: ରାଜଧାନୀର ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ହୋଟେଲରେ ଜଣେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଅସୁସ୍ଥତାର ସୁଯୋଗ ନେଇ ହୋଟେଲ ମ୍ୟାନେଜର ଏଭଳି ଅମାନବୀୟ କାଣ୍ଡ ଭିଆଇଛି । ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତ ହୋଟେଲ ମ୍ୟାନେଜରକୁ ଗିରଫ କରିଛି । ତା’ ନାମ ଜୟନ୍ତ ନାୟକ(୩୮) । ଘର ବାଲେଶ୍ୱର ସୋର ।

ପୁଲିସ ସୂଚନା ଅନୁଯାୟୀ, ବଙ୍ଗୀୟ ମହିଳା ଜଣଙ୍କ ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲ୍‌ ରୁମ୍ ବୁକ୍ କରି ପ୍ରାୟ ମାସେ ହେଲା ରହୁଥିଲେ । ତାଙ୍କ ସ୍ୱାମୀ ବାହାରେ ଏକ କମ୍ପାନୀରେ ଚାକିରି କରିଛନ୍ତି । ମଝିରେ ମଝିରେ ସ୍ୱାମୀ ଆସି ଦିନେ ଦୁଇଦିନ ରହି କମ୍ପାନୀକୁ ପଳାନ୍ତି । ସ୍ୱାମୀ ଯିବା ପରେ ବଙ୍ଗୀୟ ମହିଳା ଜଣଙ୍କ ହୋଟେଲରେ ଏକାକୀ ରହୁଥିଲେ । ଗତକାଲି ସନ୍ଧ୍ୟାରେ ମହିଳା ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ଏନେଇ ସ୍ୱାମୀଙ୍କୁ ଫୋନ୍ କରି ଜଣାଇଥିଲେ । ସ୍ୱାମୀ ଆସି ନପାରି ହୋଟେଲ ମ୍ୟାନେଜର ଜୟନ୍ତକୁ ଫୋନ୍ କରି ତାଙ୍କ ପତ୍ନୀଙ୍କ ଦେହ ଖରାପ ଏବଂ ଟିକେ ବୁଝାବୁଝି କରିବା ପାଇଁ କହିଥିଲେ ।

ଅଧିକ ପଢ଼ନ୍ତୁ :-  ସ୍ୱାମୀ-ସ୍ତ୍ରୀ କଳହରୁ ରକ୍ତାକ୍ତ ପରିଣତି: ପଡ଼ୋଶୀ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ​​​​​​​

ଜୟନ୍ତ ବଙ୍ଗୀୟ ମହିଳାଙ୍କ ରୁମ୍‌କୁ ଯାଇ କବାଟ ବାଡ଼େଇଥିଲା । ମହିଳା କବାଟ ଖୋଲିବା ପରେ ଜୟନ୍ତ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ସହ ମହିଳାଙ୍କର ଅସହାୟତାର ସୁଯୋଗ ନେଇ ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପରେ ମହିଳା ଜଣକ ଏନେଇ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ମହିଳାଙ୍କ ସ୍ୱାମୀ ଶୁକ୍ରବାର ଆସି ପହଞ୍ଚିବା ପରେ ସ୍ତ୍ରୀଙ୍କୁ ଧରି ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରିବା ସହ ମହିଳାଙ୍କ ବୟାନ ରେକର୍ଡ କରିଥିଲା । ହୋଟେଲର ସିସିଟିଭି ଫୁଟେଜ ପୁଲିସ ଜବତ କରିବା ସହ ଜୟନ୍ତକୁ ଉଠାଇ ନେଇଥିଲା । ଉଭୟଙ୍କର ଡାକ୍ତରୀ ମାଇନା କରିବା ପରେ ଅପରାହ୍ଣରେ ଜୟନ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।