Welcome!

Unlock your personalized experience.
Sign Up

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ଜିଲ୍ଲାସ୍ତରରେ ୮୯ ପ୍ରତିଶତ ଅଭିଯୋଗର ସମାଧାନ

Jul 27, 2026 - 17:32
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ଜିଲ୍ଲାସ୍ତରରେ ୮୯ ପ୍ରତିଶତ ଅଭିଯୋଗର ସମାଧାନ

ଭୁବନେଶ୍ବର: ଲୋକଙ୍କ ଅଭିଯୋଗ ଶୁଣିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଭିଯୋଗ ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୬ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତିଟି ଅଭିଯୋଗର ସ୍ଥିତି ଉପରେ ନିୟମିତ ନଜର ରଖାଯାଉଛି। ରାଜ୍ୟସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ତଦାରଖ କରାଯାଉଛି। ତେଣୁ, ସମାଧାନର ହାର ବୃଦ୍ଧି ପାଉଛି । ଏହାଦ୍ୱାରା ଏହି ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୮ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୪,୯୪୧ ଅଭିଯୋଗ ମଧ୍ୟରୁ ୧୪,୩୩୧ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି।

ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁନ୍ ମାସ ଶେଷ ସୁଦ୍ଧା ୨,୫୯,୨୧୩ ଅଭିଯୋଗ ଶୁଣାଣି ହୋଇ ୮୯ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଏହା ଦ୍ୱାରା ସାଧାରଣ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଆଉ ପୂର୍ବ ଭଳି ବିଶେଷ ହଇରାଣ ହରକତ ହେଉନାହାନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କ ଭିତରେ ଏକ ବଡ ପ୍ରଭାବ ପକାଇଛି ଓ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି।

ସବୁଥର ପରି ଆଜି ମୁଖ୍ୟମନ୍ତ୍ରୀ ସକାଳେ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ଦିବ୍ୟାଙ୍ଗ ଓ ଦୂରାରୋଗ୍ୟରେ ପୀଡ଼ିତ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରକୋଷ୍ଠ ଭିତରେ ପଞ୍ଜିକୃତ କରିଥିବା ଅଭିଯୋଗକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ।

ବିଭିନ୍ନ ଦୁରାରୋଗ୍ୟ ରୋଗରେ ପୀଡ଼ିତ ପ୍ରାୟ ୧୨ ଜଣଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୬.୧୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି। ଆଜି ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଜରିଆରେ ୭୦୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି। ଗଣମାଧ୍ୟମ ଆଗରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ପ୍ରଥମରୁ ହିଁ ସାଧାରଣ ଲୋକଙ୍କ ସହିତ ଯୋଡି ହୋଇରହିଛି। ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଆମେ ସର୍ବାଧିକ ଗୁରୁତ୍ୱ ଦେଇ କାମ କରୁଛୁ। ଆମ ସରକାର ପ୍ରକୃତ ଅର୍ଥରେ ହେଉଛି ସାଧାରଣ ଲୋକଙ୍କ ସରକାର ବୋଲି ସେ ଉଲ୍ଲେଖ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବଂ ଅନ୍ୟ ବିଭାଗ ଗୁଡ଼ିକର ସଚିବ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।