09 JULY 2026

Welcome!

Unlock your personalized experience.
Sign Up

ବିଚିତ୍ରାନନ୍ଦଙ୍କ ୪ ଦଶନ୍ଧିର ଅଭିଯାନ ସଫଳ, ମଦ ଛାଡ଼ିଲେ ୫ ଗାଁର ୪୦୦ ପରିବାର, ଭଗବତ ଚର୍ଚ୍ଚାରେ ବିତୁଛି ସନ୍ଧ୍ୟା

Jul 09, 2026 - 08:36
ବିଚିତ୍ରାନନ୍ଦଙ୍କ ୪ ଦଶନ୍ଧିର ଅଭିଯାନ ସଫଳ, ମଦ ଛାଡ଼ିଲେ ୫ ଗାଁର ୪୦୦ ପରିବାର, ଭଗବତ ଚର୍ଚ୍ଚାରେ ବିତୁଛି ସନ୍ଧ୍ୟା

ଜୟପୁର, ୯/୭ (ପ୍ରକାଶଚନ୍ଦ୍ର ଦାଶ) : ପ୍ରଥମେ ଜଣେ ବ୍ୟକ୍ତି । ତା ପରେ ଗୋଟିଏ ପରିବାର । ଆଉ ଏବେ ୫ ଗାଁର ୪୦୦ ପରିବାର ମଦ ଛାଡିଲେଣି । ୫ଟି ଗାଁକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ଘୋଷଣା କରାଯାଇଛି । ଅଳ୍ପଦିନ ଭିତରେ ଆଉ ୫ ଗାଁ ନିଶାମୁକ୍ତ ଘୋଷଣା ହେବାକୁ ଯାଉଛି । ୪୦ ବର୍ଷ ତଳେ ଯେଉଁ ଦୁର୍ଗମ ଅଞ୍ଚଳର ଆଦିବାସୀମାନେ ନିଶା କବଳରେ ପଡ଼ି ତଳିତଳାନ୍ତ ହେଉଥିଲେ, ଏବେ ସେମାନେ ହସଖୁସିରେ ଜୀବନ ଜିଉଁଛନ୍ତି । ଆଧ୍ୟାତ୍ମିକତା ମାର୍ଗରେ ଅଗ୍ରସର ହେଉଛନ୍ତି । ବଢିଛି ସେମାନଙ୍କ କାର୍ଯ୍ୟଦକ୍ଷତା । ଭାଗବତ ଟୁଙ୍ଗିରେ ବିତୁଛି ସନ୍ଧ୍ୟା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଏଭଳି ଅଭିଯାନର ମଙ୍ଗ ଧରିଛନ୍ତି ଜଣେ ସରଳ, ନିଷ୍ଠାପର ସମାଜ ସଂସ୍କାରକ ତଥା ସାରସ୍ୱତ ସାଧକ ବିଚିତ୍ରାନନ୍ଦ ପଣ୍ଡା । 

ସାଦାସିଧା ମଣିଷଟିଏ ହେଉଛନ୍ତି ବିଚିତ୍ରାନନ୍ଦ ବାବୁ, ବୟସ ୭୨ । ୧୯୮୪ ମସିହାରେ ପେଟପାଟଣା ଅନ୍ୱେଷଣରେ ଯାଜପୁର ଜିଲ୍ଲାରୁ ଚାଲି ଆସିଥିଲେ କୋରାପୁଟ । ଅନେକ କଷ୍ଟ ସ୍ୱୀକାର କରିବା ପରେ ନନ୍ଦପୁର ବ୍ଲକର ପାଡୁଆ ଅଞ୍ଚଳକୁ ନିଜ କର୍ମଭୂମି ଭାବେ ବାଛି ନେଇଥିଲେ । ଖୁବ୍‌ ପାଖରୁ ଦେଖିଥିଲେ ବଣପାହାଡ଼ଘେରରେ ରହୁଥିବା ଆଦିବାସୀଙ୍କୁ । ସେମାନଙ୍କ ଜୀବନଚର୍ଯ୍ୟାକୁ । ତାଙ୍କ କହିବାକଥା, ମଦ ଛାରଖାର କରିଦେଉଥିଲା ସେମାନଙ୍କ ସୁନାର ସଂସାର । ଅଳ୍ପ ବୟସରେ ମରିଯାଉଥିଲେ ଭେଣ୍ଡିଆ ଯୁବକମାନେ । ମହିଳାମାନେ ବିଧବା ହୋଇଯାଉଥିଲେ । ଜଳ, ଜମି, ଜଙ୍ଗଲ ସବୁକିଛି ଥାଇ ସେମାନେ ଥିଲେ ନିଃସ୍ୱ । ଏହା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା । ଚିନ୍ତା କରିଥିଲେ, କୌଣସି ପ୍ରକାରେ ସେମାନଙ୍କଠାରୁ ନିଶା ଛଡ଼ାଇବେ । ୧୯୯୦ରୁ ଆରମ୍ଭ ହୋଇଥିଲା ତାଙ୍କ ବ୍ୟକ୍ତିଗତ ଅଭିଯାନ । ପ୍ରଥମେ ଗାଁ ଗାଁକୁ ଗଲେ । ମୁଖିଆମାନଙ୍କ ସମେତ ଲୋକଙ୍କୁ ବୁଝାଇଲେ । ମଦ ପିଇଲେ କି କି କ୍ଷତି ହେଉଛି, ସେ ସଂପର୍କରେ ଜଣାଇଲେ । ପିଲାଙ୍କୁ ପାଠ ପଢାଇବା ଲାଗି ପରାମର୍ଶ ଦେଲେ । ଗୋଟିଏ ଗୋଟିଏ ପରିବାରକୁ ନିଶାମୁକ୍ତ କରିବାକୁ ଲାଗିଗଲା ଅନେକ ଦିନ । ୨୫ ବର୍ଷ ପରେ ଦେଖିଲେ ମିଳିଲାନି ଆଖିଦୃଶିଆ ସଫଳତା । ୨୦୧୬ରେ ଗଢିଲେ ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ । ତ୍ୟାଗ, ନିଷ୍ଠା, ସମାଜ ପ୍ରତି ସମର୍ପଣଭାବ ଥିବା ବଛା ବଛା ଲୋକଙ୍କୁ ସଦସ୍ୟ କଲେ । ନାଁ ରଖିଲେ ବୈଶାଖୀ ପରିବାର । ଏହି ପରିବାରର ୮୦ ଜଣଙ୍କ ସହାୟତାରେ ତ୍ୱରାନ୍ୱିତ ହେଲା ମଦମୁକ୍ତି, ନିଶାମୁକ୍ତି ଅଭିଯାନ । ଗାଁ ଗାଁରେ ବାରମ୍ବାର ବୈଠକ ଡକାଗଲା । ମୁଖିଆମାନଙ୍କ ସହାୟତାରେ ଲୋକଙ୍କୁ ଏକାଠି କରାଗଲା । ଭୋଜିଭାତର ଆୟୋଜନ ହେଲା । ନିଶା ହିଁ ସେମାନଙ୍କ ବିନାଶର କାରଣ ବୋଲି ବୁଝାଗଲା । ଆସ୍ତେ ଆସ୍ତେ ବନବାସୀମାନେ ବୁଝିଲେ । ନିଶାରୁ ଦୂରେଇଲେ । ବର୍ଷ ବର୍ଷ ଧରି ନିୟମିତ ସେମାନଙ୍କ ଉପରେ ନଜର ରଖାଗଲା । 

୨୦୨୧ ଅକ୍ଟୋବର ୧୦ ତାରିଖରେ ପ୍ରଥମ କରି ସଂପୂର୍ଣ୍ଣ ନିଶାମୁକ୍ତ ଗାଁ ଭାବେ ଘୋଷଣା କରାଗଲା କୁଲାବୀର ପଞ୍ଚାୟତର ଡାବାସପୁଟ । ପ୍ରଶାସନିକ ଅଧିକାରୀ, ଅନ୍ୟ ଗାଁର ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ଏହି ଗାଁର ମୁଖିଆମାନଙ୍କୁ ସମ୍ବର୍ଦ୍ଧିତ କରାଗଲା । ପ୍ରବେଶ ପଥରେ ଲଗାଗଲା ସଂପୂର୍ଣ୍ଣ ନିଶାମୁକ୍ତ ଗାଁ ଫଳକ । ସେଇଠୁ ପଡ଼ିଥିଲା ନିଶାମୁକ୍ତ ଗାଁ ଗଠନର ମୂଳଦୁଆ । ଡାବାସପୁଟ ଗାଁ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଦେଖି ଅନ୍ୟ ଗାଁ ଲୋକେ ଅନୁପ୍ରାଣିତ ହେଲେ । ବୈଶାଖୀ ପରିବାର ସହ ଯୋଗାଯୋଗ କଲେ । ଅଭିଯାନର ମଙ୍ଗ ଧରି ଆଗକୁ ବଢିଚାଲିଥିଲେ ବିଚିତ୍ରାନନ୍ଦ ବାବୁ । ଗାଁରେ ବାରମ୍ବାର ବୈଠକ କରି ନିଜ ପକେଟରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ୨୦୨୨ ମାର୍ଚ୍ଚ ୧୩ ତାରିଖରେ ଦ୍ୱିତୀୟ ନିଶାମୁକ୍ତ ଗାଁ ଭାବେ ଘୋଷିତ ହେଲା ବାଲ୍‌ଡ଼ା ପଞ୍ଚାୟତର ମାଡ଼ି ଭୀମଡୋଲ । ଅନୁରୂପ ଭାବେ ୨୦୨୨ ଅକ୍ଟୋବର ୨ ତାରିଖରେ ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳୀପୁଟ, ୨୦୨୩ ଅକ୍ଟୋବର ୨ ତାରିଖରେ ବାଲ୍‌ଡା ପଞ୍ଚାୟତର ଗୋଡ଼ିପୁଟ ଓ ୨୦୨୫ ଡିସେମ୍ବର ପହିଲାରେ ବାଡେଲ୍‌ ପଞ୍ଚାୟତର କିତ୍‌ବାକୁ ସଂପୂର୍ଣ୍ଣ ନିଶାମୁକ୍ତ ଗାଁ ଘୋଷଣା କରାଗଲା । ବିଡିଓ, ଏସ୍‌ଡିପିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ହିଁ ଏହା ଘୋଷଣା ହେଉଥିଲା । ଏ ଭିତରେ ଉପରୋକ୍ତ ୫ ଗାଁର ପ୍ରାୟ ୪ ଶହ ପରିବାର ନିଶା କବଳରୁ ମୁକ୍ତ ହୋଇଛନ୍ତି । ତଥାପି ସେମାନଙ୍କ ଉପରେ ନିୟମିତ ନଜର ରଖାଯାଇଥିବା କହିଛନ୍ତି ବିଚ୍ଚିତ୍ରାନନ୍ଦ ବାବୁ । 

ଆଗକୁ ନିଶାମୁକ୍ତ ହେବାକୁ ଥିବା ଆଉ ୫ ଗାଁ ହେଉଛି ସିନ୍ଧିପୁଟ, ବୁର୍ଗିପୁଟ, ଅଁଳାଘାଟି, ବୁର୍ଜିପୁଟ, ଦେବତୀଗୁଡ଼ା ଓ ଗଙ୍ଗାଗୁଡ଼ା । ଏଥିଲାଗି ଅଭିଯାନ ଜାରି ରହିଛି । ଏଭଳି ମହତ ଅଭିଯାନରେ ବ୍ଲକ ପ୍ରଶାସନର ପୂର୍ଣ୍ଣ ସହଯୋଗ ରହିଥିବା କହିଛନ୍ତି ବିଚିତ୍ରାନନ୍ଦ ବାବୁ । ଏ ସଂପର୍କରେ ଆମେ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରାଙ୍କ ସହ ଆଲୋଚନା କରିଥିଲୁ । ନିଶାମୁକ୍ତ ହୋଇଥିବା ୫ ଗାଁ ବିଷୟରେ କହିବା ବେଳେ ସେ ବି ଖୁସିରେ ଗଦଗଦ ହୋଇଯାଇଥିଲେ । କହିଥିଲେ, ଉଦ୍ୟମ ଶତ ପ୍ରତିଶତ ସଫଳ ହୋଇଛି । ଏଥିଲାଗି ବୈଶାଖୀ ପରିବାର ସହ ଗାଁ ମହିଳାମାନଙ୍କ ଉଦ୍ୟମକୁ ଯେତେ ପ୍ରଶଂସା କଲେ କମ୍‌ ହେବ । ମହିଳାମାନେ ଘରେ ଘରେ ମଦ ପୂରାଇ ଦେଲେନି । ସ୍ୱାମୀ ଓ ପୁଅମାନଙ୍କୁ ଏଥିରୁ ଦୂରେଇ ରଖିଲେ । ନିଶାମୁକ୍ତ ଗାଁ ଭିତରକୁ କେହି ମଦ ନେଇପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ବି କଡ଼ା କଟକଣା ଜାରି କରାଗଲା । ଯେଉଁସବୁ ପରିବାର ମଦ ପାଇଁ ଛାରଖାର ହୋଇଯାଇଥିଲେ, ଏବେ ସେମାନେ ଖୁସିରେ ଜୀବନ ଜିଉଁଛନ୍ତି । ସେମାନଙ୍କର କାମ କରିବା ଦକ୍ଷତା ବଢିଛି । ଆର୍ଥିକ କ୍ଷେତ୍ରରେ ସେମାନେ ସ୍ୱାବଲମ୍ବୀ ହୋଇଛନ୍ତି । ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେଉଛନ୍ତି । ପ୍ରଶାସନ ପକ୍ଷରୁ ସେସବୁ ଗାଁରେ ଭାଗବତ ଟୁଙ୍ଗି, ଗୋଷ୍ଠୀକେନ୍ଦ୍ର, ଅଙ୍ଗନବାଡ଼ି, ସ୍କୁଲ ପ୍ରତିଷ୍ଠା କରାଯାଇଛି । ସନ୍ଧ୍ୟାହେଲେ ଗାଁ ଲୋକେ ଭାଗବତ ଟୁଙ୍ଗିରେ ପହଞ୍ଚି ଭଗବତ ଚର୍ଚ୍ଚା କରୁଛନ୍ତି । 

ସବୁଠୁ ବଡ଼ କଥା ହେଲା, ଗାଁ ନିଶାମୁକ୍ତ ଘୋଷଣା ଦିନ ବୈଶାଖୀ ପରିବାର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କେତେକ ଏନ୍‌ଜିଓ ବି ଯୋଗ ଦେଇଥିଲେ । ସେମାନେ ଦୁର୍ଗମରେ ଏଭଳି ଉଦ୍ୟମ ଦେଖି ବେଶ୍‌ ଖୁସି ପ୍ରକଟ କରିଥିଲେ । ଗାଁଗୁଡ଼ିକରେ ଯେଉଁମାନେ ସଂପୂର୍ଣ୍ଣ ନିଶାଡ଼ି ଥିଲେ, ସେମାନଙ୍କୁ ଭୁବନେଶ୍ୱର ନିଶା ନିବାରଣ କେନ୍ଦ୍ରକୁ ନିଆଯାଇ ସଂପୂର୍ଣ୍ଣ ସୁସ୍ଥ କରାଯାଇଥିଲା । ଆଗକୁ ବି ପ୍ରଶାସନର ପୂର୍ଣ୍ଣ ସହଯୋଗ ରହିବ । ବ୍ଲକର ପ୍ରତିଟି ଗାଁ କିଭଳି ନିଶାମୁକ୍ତ ହେବ, ତାକୁ ପ୍ରାଥମିକତା ଦିଆଯିବ । ମୋଟାମୋଟି ନନ୍ଦପୁରକୁ ଏକ ଆଦର୍ଶ ବ୍ଲକ ଭାବେ ଗଢି ତୋଳାଯିବ । ଏ କ୍ଷେତ୍ରରେ ବିଚିତ୍ରାନନ୍ଦ ବାବୁଙ୍କ ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ । ସୂଚନାଥାଉକି, ପାଡୁଆରେ ରହିଛି ବିଚିତ୍ରାନନ୍ଦଙ୍କ ଏକ ଛୋଟିଆ ଜଳଖିଆ ଦୋକାନ । ଦିନରାତି ପରିଶ୍ରମ କରି ଯାହା ରୋଜଗାର କରନ୍ତି, ସେସବୁ ଖର୍ଚ୍ଚ କରିଦିଅନ୍ତି ଏଭଳି ମହତ କାମରେ । ନନ୍ଦପୁର ଭଳି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ଶିକ୍ଷା, ସଂସ୍କୃତି ଓ ସାହିତ୍ୟର ସୁରକ୍ଷା ଲାଗି ସେ ଅହରହ ଉଦ୍ୟମ ଜାରି ରଖିଛନ୍ତି । ବର୍ଷକୁ ଏସବୁ ବାବଦରେ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଥିଲାଗି ରାଜ୍ୟର ଶତାଧିକ ଅନୁଷ୍ଠାନ ତରଫରୁ ସେ ସମ୍ବର୍ଦ୍ଧିତ ଓ ପୁରସ୍କୃତ । ଜୀବନ ଥିବା ଯାଏଁ ଏଭଳି ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ବିଚିତ୍ରାନନ୍ଦ ।

ଆହୁରି ପଢନ୍ତୁ- Smart village : ୨୦୨୯ ସୁଦ୍ଧା ୬୭୩୩ ପଞ୍ଚାୟତର ମୁଖ୍ୟ ଗାଁ ହେବ ମଡେଲ, ପାର୍କ ଓ କମ୍ୟୁନିଟି ହଲ୍‌ ସାଙ୍ଗକୁ ରହିବ ଦକ୍ଷତା କେନ୍ଦ୍ର

ପାନ ପାଇଁ ବନ୍ଧା ରହିଥିଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ!, କିଏ ବାକିରେ କାଳିଆକୁ ଦେଉଥିଲା ବିଡିଆ ପାନ ? ​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।