ପୋତି ହେବାକୁ ବସିଲାଣି ପ୍ରାଚୀନ ‘୧୭ ନଳା ପୋଲ’; ସୁରକ୍ଷା ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରତ୍ନତତ୍ତ୍ୱ ବିଭାଗ
ଭୁବନେଶ୍ୱର, ୦୧/୦୭: ରାଜଧାନୀ ଉପକଣ୍ଠ ପାଣ୍ଡରା ଅଞ୍ଚଳରେ ଥିବା ପ୍ରାଚୀନ ‘୧୭ ନଳା ପୋଲ’ ଏବେ ସଂରକ୍ଷଣ ଅଭାବରୁ ବିପଜ୍ଜନକ ଅବସ୍ଥାରେ ରହିଛି । ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ସେତୁର ଅସ୍ତିତ୍ୱ ଏବେ ସଙ୍କଟରେ । ପୁରୀର ପ୍ରସିଦ୍ଧ ୧୮ ନଳା ପୋଲ ଭଳି ସମସାମୟିକ ଗୌରବ ବହନ କରୁଥିବା ଏହି ୧୭ ନଳା ପୋଲଟି ଏବେ ମାଟି ଓ ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି । ଏହି ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା । ୩ ମାସ ତଳେ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀମାନେ ଏହି ସ୍ଥାନ ପରିଦର୍ଶନ କରି ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରିନାହିଁ ।
ବିଏମ୍ସିର ୧୮ ନଂ ୱାର୍ଡ ଅନ୍ତର୍ଗତ ପାଣ୍ଡରା ନିକଟରେ ମାଙ୍କଡ଼ା ପଥରରେ ନିର୍ମିତ ଏହି ୧୭ ନଳା ପୋଲ ରହିଛି । ଐତିହାସିକ ଚକ୍ରଧର ମହାପାତ୍ରଙ୍କ ଲିଖିତ ପୁସ୍ତକ ‘ରିଅଲ ବାର୍ଥ ପ୍ଲେସ ଅଫ୍ ଗୌତମବୁଦ୍ଧ’ରୁ ଜଣାପଡ଼େ ଯେ, ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ସମୟରେ ଏହା ନିର୍ମିତ ହୋଇଛି । କିମ୍ବଦନ୍ତୀ ଅନୁସାରେ, ପ୍ରାଚୀନ କାଳରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ଏବଂ ସେନାବାହିନୀର ଯାତାୟାତ ପାଇଁ ତିଆରି ହୋଇଥିବା ପୁରୁଣା ଜଗନ୍ନାଥ ସଡ଼କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । କୁହାଯାଏ ଯେ, ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଅନ୍ୟ ସାଧୁସନ୍ଥମାନେ ଉତ୍ତର ଭାରତରୁ ପୁରୀ ଯାତ୍ରା କରିବା ସମୟରେ ଏହି ୧୭ ନଳା ପୋଲ ଦେଇ ଯାଉଥିଲେ ।
ଇତିହାସ କଥାନୁସାରେ, ଓଡ଼ିଶାରେ ଗଙ୍ଗବଂଶ ଏବଂ ସୂର୍ଯ୍ୟବଂଶର ଶାସନ କାଳରେ ଯାତାୟାତ ଏବଂ ଜଳ ନିଷ୍କାସନ ପାଇଁ ଅନେକ ନଳା ଥିବା ପୋଲ ନିର୍ମାଣ କରାଯାଇଥିଲା । ଏହି ନଳା ନିକଟରେ ପୂଜା ପାଉଥିବା ପୁରାତନ ସପ୍ତସତୀ ଦେବୀଙ୍କ ମୂର୍ତ୍ତି ବର୍ତ୍ତମାନ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ନୂତନ ମନ୍ଦିରକୁ ସ୍ଥାନାନ୍ତରିତ ହୋଇଯାଇଛି । ପୂର୍ବରୁ ପ୍ରତ୍ନତତ୍ତ୍ୱ ବିଭାଗର ତତ୍ପରତା ଯୋଗୁଁ ଏହି ପୋଲ ସଂରକ୍ଷିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ପ୍ରଶାସନର ଅବହେଳା ଯୋଗୁଁ ଏହି ସ୍ଥାନଟି ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଛି । ବର୍ତ୍ତମାନ ସହରୀକରଣର କରାଳ ଗ୍ରାସରେ ପୋଲର ଦୁଇପାଖ ପୋତି ହୋଇ ଘରବାଡି ହୋଇଗଲାଣି । ପୋଲର ପଥର ସନ୍ଧିରେ ଗଛ ଉଠି କାନ୍ଥଗୁଡିକ ଦୁର୍ବଳ ହୋଇଗଲାଣି । ଯଦି ପ୍ରଶାସନ ନିରବ ରହେ ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି ପୋଲଟି ସମ୍ପୂର୍ଣ୍ଣ ଭୁଷୁଡି ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସରକାରଙ୍କ ପ୍ରତ୍ନତତ୍ତ୍ୱ ଓ ସଂସ୍କୃତି ବିଭାଗ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ଥିବା ବେଳେ କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ନଳାର ସଂରକ୍ଷଣ ପାଇଁ ସରକାରଙ୍କ ଅନୁମୋଦନ ଲାଗି ପ୍ରସ୍ତାବ ପଠାଯାଇଛି । ଅନୁମୋଦନ ମିଳିଲେ କାର୍ଯ୍ୟ ହେବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ-Vigilance : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭୀମସାର ୨ ଅଧିକାରୀ ଗିରଫ