27 JUNE 2026

Welcome!

Unlock your personalized experience.
Sign Up

ନେଦରଲ୍ୟାଣ୍ଡରେ ୧୨ ବର୍ଷରୁ କମ୍ ଶିଶୁଙ୍କୁ ପ୍ରଥମ ଇଚ୍ଛାମୃତ୍ୟୁ ! ଡାକ୍ତରଙ୍କ ହେବ ଯାଞ୍ଚ ...

Jun 27, 2026 - 11:34
ନେଦରଲ୍ୟାଣ୍ଡରେ ୧୨ ବର୍ଷରୁ କମ୍ ଶିଶୁଙ୍କୁ ପ୍ରଥମ ଇଚ୍ଛାମୃତ୍ୟୁ ! ଡାକ୍ତରଙ୍କ ହେବ ଯାଞ୍ଚ ...

ନେଦରଲ୍ୟାଣ୍ଡ ୨୭।୦୬ ;  ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ୧୨ ବର୍ଷରୁ କମ୍ ବୟସର ଜଣେ ଶିଶୁଙ୍କୁ ଆଇନଗତ ଭାବେ ଇଚ୍ଛାମୃତ୍ୟୁ (Euthanasia) ପ୍ରଦାନ କରାଯାଇଛି। ୨୦୨୪ ମସିହାରେ ଆଇନରେ ସଂଶୋଧନ ହେବା ପରେ ଏହା ପ୍ରଥମ ଘଟଣା। ଡଚ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ସୋଫି ହର୍ମାନ୍ସ ସଂସଦରେ ବାର୍ଷିକ ରିପୋର୍ଟ ଉପସ୍ଥାପନ ସମୟରେ କହିଛନ୍ତି ଯେ, ଗତ ବର୍ଷ ଏହି ଶିଶୁଟି ଇଚ୍ଛାମୃତ୍ୟୁ ମାଧ୍ୟମରେ ପ୍ରାଣ ହରାଇଥିଲା। ତେବେ ଶିଶୁର ବୟସ, ପରିଚୟ କିମ୍ବା ରୋଗ ସମ୍ପର୍କରେ କୌଣସି ସୂଚନା ସେ ପ୍ରକାଶ କରିନାହାନ୍ତି। ମାମଲାରେ ସମସ୍ତ ଆଇନଗତ ପ୍ରକ୍ରିୟା ଠିକ୍ ଭାବେ ପାଳନ ହୋଇଛି କି ନାହିଁ, ତାହାର ଯାଞ୍ଚ ସରକାରୀ ଓକିଲଙ୍କ ଦ୍ୱାରା କରାଯିବ।

୨୦୨୪ରେ ବଦଳିଥିଲା ଆଇନ

୨୦୨୪ରେ ନେଦରଲ୍ୟାଣ୍ଡ ସରକାର ୧ରୁ ୧୨ ବର୍ଷ ବୟସର ଶିଶୁମାନଙ୍କ ପାଇଁ କଠୋର ସର୍ତ୍ତ ସହିତ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ। କେବଳ ସେହି ଶିଶୁମାନଙ୍କ କ୍ଷେତ୍ରରେ ଏହା ପ୍ରଯୋଜ୍ୟ, ଯେଉଁମାନେ ମାରାତ୍ମକ ରୋଗରେ ପୀଡ଼ିତ, ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ସୁସ୍ଥ ହେବାର କୌଣସି ଆଶା ନାହିଁ।

ଡାକ୍ତରଙ୍କ ପାଇଁ କଠୋର ନିୟମ

ଇଚ୍ଛାମୃତ୍ୟୁ ପୂର୍ବରୁ ଡାକ୍ତରଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ରୋଗୀଙ୍କ ଯନ୍ତ୍ରଣା ଅସହ୍ୟ, ଚିକିତ୍ସାର ଆଉ କୌଣସି ବିକଳ୍ପ ନାହିଁ ଏବଂ ରୋଗୀ ଓ ପରିବାରକୁ ସମସ୍ତ ସୂଚନା ଦିଆଯାଇଛି। ଏହା ସହ ଜଣେ ସ୍ୱାଧୀନ ଡାକ୍ତରଙ୍କ ମତାମତ ନେବା ମଧ୍ୟ ବାଧ୍ୟତାମୂଳକ। ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ କ୍ଷେତ୍ରରେ ପିତାମାତା କିମ୍ବା ଆଇନଗତ ଅଭିଭାବକଙ୍କ ସମ୍ମତି ଆବଶ୍ୟକ। ଯେତେବେଳେ ଏହି ଆଇନ ପ୍ରଣୟନ ହୋଇଥିଲା, ସରକାର ଆକଳନ କରିଥିଲେ ଯେ ପ୍ରତିବର୍ଷ ପ୍ରାୟ ୫ ରୁ ୧୦ ପିଲା ଏହି ନିୟମ ଦ୍ୱାରା ପ୍ରଭାବିତ ହୋଇପାରନ୍ତି।

ଆହୁରି ପଢନ୍ତୁ ... Swedish Minister Viral Video: ୩ ମାସର ପିଲାକୁ କୋଳରେ ଧରି ଭାଷଣ ଦେଲେ ସ୍ଵିଡେନ ମନ୍ତ୍ରୀ, ଭାଇରାଲ ହେଉଛି ଭିଡିଓ

ପୂର୍ବରୁ କ'ଣ ନିୟମ ଥିଲା ?

ଏହା ପୂର୍ବରୁ ନେଦରଲ୍ୟାଣ୍ଡରେ ଏକ ବର୍ଷରୁ କମ୍ ବୟସର ଶିଶୁ ଏବଂ ୧୨ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଇଚ୍ଛାମୃତ୍ୟୁର ବ୍ୟବସ୍ଥା ଥିଲା। ତଥାପି ଏହି ଅଧିକାର ୧ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ଉପଲବ୍ଧ ନଥିଲା। ୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ ଥିବାବେଳେ, ୧୬ରୁ ୧୭ ବର୍ଷ ବୟସର କିଶୋରମାନେ ନିଜେ ନିଷ୍ପତ୍ତି ନେଇପାରନ୍ତି। ଯଦିଓ ପରିବାରକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଏ। ଜଣେ ଡାକ୍ତର ଆଇନ ଉଲ୍ଲଂଘନ କରନ୍ତି ଏବଂ ଇଚ୍ଛାମୃତ୍ୟୁ ଅନୁମତି ଦିଅନ୍ତି, ତେବେ ସେମାନଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ଜରିମାନା ହୋଇପାରେ।

ଇଚ୍ଛାମୃତ୍ୟୁକୁ ଆଇନଗତ କରିଥିବା ପ୍ରଥମ ଦେଶ

୨୦୦୨ ମସିହାରେ ନେଦରଲ୍ୟାଣ୍ଡ ବିଶ୍ୱର ପ୍ରଥମ ଦେଶ ଭାବେ ଇଚ୍ଛାମୃତ୍ୟୁକୁ ଆଇନଗତ ସ୍ୱୀକୃତି ଦେଇଥିଲା। ପରେ ୨୦୧୪ରେ ବେଲଜିୟମ ସମସ୍ତ ବୟସର ଶିଶୁଙ୍କ ପାଇଁ ମଧ୍ୟ ଏହାକୁ ଆଇନଗତ କରିଥିଲା। ପ୍ରତ୍ୟେକ ମାମଲାକୁ ଏକ ଡାକ୍ତରୀ ପରୀକ୍ଷା କମିଟି ଦ୍ୱାରା ସମୀକ୍ଷା କରାଯାଏ।