ଧରାପଡିଲା ଆବାସ ଗୁମର , ଯୋଗ୍ୟଙ୍କୁ ଘର ଦେବାକୁ ବିଡିଓଙ୍କୁ ତାଗିଦ କଲେ ଯୋଗାଣ ମନ୍ତ୍ରୀ
ଢେଙ୍କାନାଳ,୧।୮ : ଢେଙ୍କାନାଳରେ ଆବାସ ଯୋଜନା ତାକୁ ନେଇ ତାତିଲେ ଯୋଗାଣ ମନ୍ତ୍ରୀ। ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଘର ପ୍ରଦାନ ପାଇଁ ଅଧିକାରୀଙ୍କୁ ତାଗିଦ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଗରିବଙ୍କୁ ଘର ଦିଅ ନହେଲେ ବଦଳି ହୁଅ ବୋଲି ବିଡ଼ିଓଙ୍କୁ ସିଧା ସିଧା ଚରମ ବାଣୀ ଶୁଣେଇଲେ ମନ୍ତ୍ରୀ। ଢେଙ୍କାନାଳ ବିଡିଓ ରାହୁଲ ମଣ୍ଡଳଙ୍କୁ ଏପରି ତାଗିଦ୍ କରିଛନ୍ତି।
ଢେଙ୍କାନାଳ ବ୍ଲକ ଗହମଖୁଣ୍ଟି ଅନ୍ତର୍ଗତ ଧଡ଼ିଆ ନାଏକଙ୍କ ଘର। ଚାଳ ଘରର ଅଧା ଛପର ଉଡ଼ିଗଲାଣି । ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ଜରି ପାଲ ପକାଇ ଦିନ କାଟୁଛନ୍ତି ପରିବାର । ହେଲେ ଏମାନଙ୍କ ମୁଣ୍ଡ ଉପରେ ଏଯାଏଁ ଛାତ ଖଣ୍ଡେ ନାହିଁ। ନିକଟରେ ପ୍ରକାଶ ପାଇଛି ଆବାସ ଯୋଜନାର ଚିଠା ତାଲିକା। ଯେଉଁଥିରେ ଅଯୋଗ୍ୟ ବ୍ୟକ୍ତଙ୍କ ନାଁ ରହିଥିବା ବେଳେ ଅନେକ ଯୋଗ୍ୟ ବାଦ୍ ପଡ଼ିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ଅନେକ ଗରିବ, ଅସହାୟ, ଅଭାବି ପରିବାର ବର୍ଷବର୍ଷ ଧରି ଆବାସକୁ ଅପେକ୍ଷା କରି ରହିଥିଲେ। ହେଲେ ଏଥର ବି ଚିଠା ତାଲିକା ଏମାନଙ୍କୁ ନିରାଶ କରିଛି।
ସରକାରୀ ତଥ୍ୟ କହୁଛି, ଜିଲ୍ଲାରେ ୧ ଲକ୍ଷ ୧୧ ହଜାର ଲୋକ ଆବାସ ପାଇଁ ଆବେଦନ କରିଥିଲେ । ସର୍ଭେ ପରେ ପ୍ରାୟ ୫୦ ହଜାର ଲୋକଙ୍କ ନାଁ ଚିଠା ତାଲିକାରେ ରହିଛି । ତାଲିକାରେ ପ୍ରକାଶ ପରେ ଏବେ ଗାଁ ଗାଁରେ ଦେଖାଦେଇଛି ପ୍ରବଳ ଅସନ୍ତୋଷ । ଅଭିଯୋଗ ପାଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ବ୍ଳକ ଗହମଖୁଣ୍ଟି ଗାଁରେ ପହଞ୍ଚିଥିଲେ । ପରଖିଥିଲେ, କେମିତି ଭଙ୍ଗା ଚାଳ ଘରେ ଲୋକ ରହୁଛନ୍ତି। ହେଲେ ସେମାନଙ୍କ ନାଁ ତାଲିକାରେ ନାହିଁ । ବୁଲି ବୁଲି ଘର ଦେଖିଥିଲେ, ଲୋକଙ୍କ ସହ କଥା ହୋଇଥିଲେ । ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ। ତୁରନ୍ତ ଯୋଗ୍ୟ ଲୋକଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କେବଳ ଯେ, ଢେଙ୍କାନାଳ ବ୍ଲକ ତା’ ନୁହେଁ । ଜିଲ୍ଲା ସାର ଏଭଳି ସ୍ଥିତି । ତାଲିକାରେ ନାଁ ନଥିବାରୁ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ ଘେରୁଛନ୍ତି ଲୋକେ। ଓଡାପଡା, କାମାକ୍ଷାନଗର, ସଦର ବ୍ଲକରେ ଅସନ୍ତୋଷ ଲୋକେ ପଞ୍ଚାୟତ କାର୍ଯ୍ୟଳୟରେ ତାଲାପକାଇ ପ୍ରତିବାଦ କରିଛନ୍ତି । କାମାକ୍ଷାନଗର ବ୍ଲକ ଭିତରେ ଜଣେ ପିଇଓଙ୍କୁ ଲୋକେ ମାଡ଼ ମଧ୍ୟ ମାରିଛନ୍ତି। ଏପରି ଅଭିଯୋଗ ଗ୍ରହଣ କରାଯାଇ ଏବେ ତଦନ୍ତ ଚାଲିଛି । ପୂର୍ଣ୍ଣାଙ୍ଗ ତାଲିକା ଖୁବ୍ ଶୀଘ୍ର ପ୍ରକାଶ ପାଇବ ବୋଲି ପ୍ରଶାସନ ପକ୍ଷରୁ ଜଣାପଡ଼ିଛି।
ଆହୁରି ପଢନ୍ତୁ : ମହାନଦୀରେ ନାହିଁ ବନ୍ୟା ଆଶଙ୍କା , ବୈତରଣୀ ସମେତ ଅନ୍ୟ ସବୁ ନଦୀରେ କମୁଛି ଜଳସ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।