ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ, ପୁତରା ଗୁରୁତର
ଭଞ୍ଜନଗର, ୭।୧ : ପାରିବାରିକ କଳହରୁ ଚାଲିଗଲା ମହିଳାଙ୍କ ଜୀବନ। ଦିଅରର ଟାଙ୍ଗିଆ ଚୋଟରେ ଗଲା ଭାଉଜର ଜୀବନ। ଗୁରୁତର ହେଲା ପୁତୁରା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ପାଲକଷଣ୍ଢ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ଗୌରାଙ୍ଗ ପ୍ରଧାନଙ୍କ ପତ୍ନୀ ଭାସି ପ୍ରଧାନ। ଗୁରୁତର ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ଭାସିଙ୍କର ନିଜ ଦିଅର ମୁରଲୀ ପ୍ରଧାନଙ୍କ ପରିବାର ସହ ବଚସା ହୋଇଥିଲା। ବୁଧବାର ଭାସି ପ୍ରଧାନ ପାଲକଷଣ୍ଢା ଗ୍ରାମର ମନ୍ଦିର ନିକଟରେ ଥିବା ଜମିରେ ଛେଳି ଚରାଉ ଥିଲେ। ଛେଳି ପଲ ମୁରଲୀଙ୍କ ରାଶି କ୍ଷେତରେ ପଶିଯାଇଥିଲା। ଏହାକୁ କେନ୍ଦ୍ର କରି ମୁରଲୀଙ୍କ ପରିବାର ଏବଂ ଭାସି ମଧ୍ୟରେ ପୁଣି ବଚସା ହୋଇଥିଲା। ମୁରଲୀଙ୍କ ଟାଙ୍ଗିଆ ଚୋଟରେ ଭାସିଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଭାସିଙ୍କ ପୁଅ ଆକ୍ରମଣରେ ଗୁରୁତର ହୋଇଥବାରୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏବଂ ଏସଡିପିଓ ଡ. ଦୀପକ କୁମାର ମିଶ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ବେଳେ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।
ଆହୁରି ପଢନ୍ତୁ : ଘାଟିରେ ଓଲଟିଲା ବରଯାତ୍ରୀ ବସ୍ : ଜଣେ ମୃତ, ୧୦ରୁ ଅଧିକ ଗୁରୁତର