ଦାରୁବ୍ରହ୍ମଙ୍କ ରଥରେ ବିଜେ ୩୩ କୋଟି ଦେବତା, ବିଭିନ୍ନ ଯୁଗରେ ଅବତୀର୍ଣ୍ଣ ହୋଇ କରିଛନ୍ତି ଲୀଳାଖେଳା
ପୁରୀ ୧୬/୦୭: ଦାରୁବ୍ରହ୍ମଙ୍କ ରଥରେ ବିଜେ ୩୩ କୋଟି ଦେବତା । ସମସ୍ତେ ଭଗବାନଙ୍କ ରୂପ । ବିଭିନ୍ନ ଯୁଗରେ ଅବତୀର୍ଣ୍ଣ ହୋଇ ଲୀଳାଖେଳା କରିଛନ୍ତି । ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଅସଲରେ ତିନି ଜଣ ନୁହନ୍ତି । ସେ ସ୍ୱୟଂ ଭଗବାନ । ଭିନ୍ନ ରୂପରେ ଭକ୍ତ ସମ୍ମୁଖରେ ପ୍ରତୀୟମାନ ହୁଅନ୍ତି । ପ୍ରତି ରଥରେ ୯ ଜଣ ଲେଖାଏଁ ପାର୍ଶ୍ୱ ଦେବତା ଅବସ୍ଥାନ କରନ୍ତି । ତିନି ରଥରେ ମୋଟ ୨୭ ଜଣ ପାର୍ଶ୍ୱ ଦେବଦେବୀ ଅଧିଷ୍ଠିତ । ପୁଣି ତିନି ରଥରେ ବିରାଜମାନ କରନ୍ତି ଦୁଇ ଜଣ ଲେଖାଏଁ ୬ ଜଣ ଦ୍ୱାରପାଳ । ଏହିି ୩୩ ଜଣ ହିଁ ସ୍ୱର୍ଗଲୋକର ୩୩ କୋଟି ଦେବତାଙ୍କ ସ୍ୱରୂପ । ରଥରେ ୩୩ କୋଟି ଦେବତା ଅବସ୍ଥାନ କଲେ ହିଁ ଦାରୁବ୍ରହ୍ମଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ କୁହନ୍ତି ବରିଷ୍ଠ ଚିତ୍ରକର ସେବକ ଚନ୍ଦ୍ରଶେଖର ମହାରଣା ।
ଅଧିକ ପଢ଼ନ୍ତୁ :- Rath yatra 2026: ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା, ମୟୂରପୁଚ୍ଛ ଟାହିଆରେ ଝୁଲି ଝୁଲି ଆସନ୍ତି ହଳଧର ଓ ନୀଳାଦ୍ରିନାଥ
ତିନି ଭାଇ ଭଉଣୀ ହେଉଛନ୍ତି ତ୍ରି-ତତ୍ତ୍ୱ । ସତ୍ତ୍ୱ, ରଜ ଓ ତମ । ସତ୍ତ୍ୱ ହେଉଛନ୍ତି ବଳରାମ ସ୍ୱୟଂ ବଡ଼ଠାକୁର । ରଜ ଦେବୀ ସୁଭଦ୍ରା । ତମ ହେଉଛନ୍ତି ରାଜାଧିରାଜ ପ୍ରଭୁ ଶ୍ରୀଜଗନ୍ନାଥ । ଏଣୁ ଭଗବାନଙ୍କ ତିନି ପ୍ରକାର ରୂପ। ଯେପରି ପୁରୁଷୋତ୍ତମ ଶ୍ରୀରାମଙ୍କ ଭିନ୍ନ ଭିନ୍ନ ସ୍ୱରୂପ । କେତେବେଳେ ମହାରାଜା, ବନଚାରୀ ତ ପୁଣି କେତେବେଳେ ଯୋଗୀ । ଠାକୁରଙ୍କ ଦଶାବତାର ମଧ୍ୟ ସେଇୟା । ଦଶାବତାର ହେଉଛନ୍ତି ୧୦ ପ୍ରକାର ଗୁଣ । ଦଶ ତତ୍ତ୍ୱ । କିନ୍ତୁ ବ୍ରହ୍ମ ଗୋଟିଏ । ତିନି ପ୍ରକାର କିମ୍ବା ତିନି ଭାଗରେ ବିଭକ୍ତ ନୁହେଁ ବ୍ରହ୍ମ । ଏସବୁ ତାତ୍ତ୍ୱିକ ବିଶ୍ଲେଷଣ କରେ ଭଗବାନଙ୍କ ଏହି ଅନନ୍ୟ ଲୀଳା । ମନୁଷ୍ୟ ସମାଜରେ ଏଭଳି ଧାରଣା ସୃଷ୍ଟି ପାଇଁ ଜଗନ୍ନାଥ ତତ୍ତ୍ୱରେ ରଥ ଯାତ୍ରାର ପ୍ରଚଳନ । ଏଥିରେ କୌଣସି ଭେଦଭାବ ନାହିଁ । ହିନ୍ଦୁ, ମୁସଲିମ୍, ଖ୍ରୀଷ୍ଟିଆନ୍ ସମସ୍ତେ ଏକତ୍ର ଈଶ୍ୱରଙ୍କୁ ଆରାଧନା କରନ୍ତି । ସମସ୍ତେ ମିଳିମିଶି ରଥ ଟାଣନ୍ତି । ସ୍ୱୟଂ ଶ୍ରୀଜଗନ୍ନାଥ ନୀଳକନ୍ଦରରୁ ଆସି ସମସ୍ତଙ୍କ ସଙ୍ଗେ ଏକାକାର ହୋଇଯାନ୍ତି । ‘ବସୁଧୈବ କୁଟୁମ୍ବକମ୍’ର ଅମୃତ ବାର୍ତ୍ତା ସାରା ବିଶ୍ୱରେ ବାଣ୍ଟନ୍ତି ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ଲୀଳା, ବଡ଼ଦାଣ୍ଡରେ ଔଦାର୍ଯ୍ୟ ଲୀଳା ଓ ଗୁଣ୍ଡିଚା ଘରେ ମାଧୁର୍ଯ୍ୟ ଲୀଳା ସମ୍ପନ୍ନ ହୁଏ । ରଥକୁ ଠାକୁରେ ଆସିବାର ଯଥେଷ୍ଟ ପୂର୍ବରୁ ପାଶ୍ୱର୍ ଦେବଦେବୀ ରଥରେ ଅଧିଷ୍ଠିତ ହୁଅନ୍ତି । ଛୋଟ ମନ୍ଦିର ଭଳି କାଠ ନିର୍ମିତ ଶିଖରଡମ୍ବରୁ ଭିତରେ ଦେବଦେବୀ ଅବସ୍ଥାନ କରନ୍ତି । ମହାପ୍ରଭୁଙ୍କ ନବକଳେବର ବର୍ଷ ପାଶ୍ୱର୍ଦେବତା ନୂତନ ଭାବେ ନିର୍ମିତ ହୁଅନ୍ତି । ରୂପକାର ସେବକମାନେ ଏମାନଙ୍କୁ ତିଆରିଲେ ଚିତ୍ରକର ସେବକ ରଙ୍ଗ ଦେଇ ସୁନ୍ଦର କରନ୍ତି । ପ୍ରତି ବର୍ଷ ରଙ୍ଗ ଦିଆଯାଇ ପ୍ରସ୍ତୁତ ହେଲେ ପାଶ୍ୱର୍ ଦେବଦେବୀ ରଥରେ ଅବସ୍ଥାନ କରୁଥିବା କୁହନ୍ତି ଚିତ୍ରକର ସେବକ ଚିତ୍ତରଞ୍ଜନ । ଭିନ୍ନ ଭିନ୍ନ ଯୁଗରେ ଠାକୁରେ କରିଥିବା ଲୀଳା ଆଧାରିତ ପ୍ରସଙ୍ଗକୁ ନେଇ ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦେବଦଳନ ରଥରେ ୨୭ ଦେବଦେବୀ ଅଧିଷ୍ଠିତ ହେଉଥିବା କୁହନ୍ତି ରୂପକାର ସେବକ ରାଜେନ୍ଦ୍ର ମହାପାତ୍ର, ପଞ୍ଚାନନ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ନବକଳେବର ଅବସରରେ ଠାକୁରମାନଙ୍କ ଭଳି ପାଶ୍ୱର୍ ଦେବଦେବୀଙ୍କୁ ମଧ୍ୟ କୋଇଲି ବୈକୁଣ୍ଠରେ ସମାଧି ଦେଇ ଦିଆଯାଏ । ପୁରାଣ ଶାସ୍ତ୍ରରେ ଏସବୁର ମହତ୍ତ୍ୱ ବର୍ଣ୍ଣନା ରହିଥିବା କୁହନ୍ତି ରଥ ନିର୍ମାଣକାରୀ।
ବାଇଶ ଭୁଜା ନୃସିଂହେ
ତାଳଧ୍ୱଜ ରଥରେ ଅବସ୍ଥାନ କରୁଛନ୍ତି ବାଇଶ ଭୁଜା ନୃସିଂହେ । ଠାକୁରଙ୍କ ବାଇଶ ଗୋଟି ହସ୍ତ ରହିଛି । ରଥରେ ଏଭଳି ଦେବତାଙ୍କ ପ୍ରକାଶ ସ୍ୱତନ୍ତ୍ର ଓ ଅନନ୍ୟ । ଯାହାକି ଠାକୁରଙ୍କ ବିଭିନ୍ନ ଯୁଗୀୟ ଲୀଳାକୁ ଦର୍ଶାଏ । ନୃସିଂହ ମହାପ୍ରଭୁ ଶ୍ରୀହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଣ୍ଡା, ଢାଲ, ଫାର୍ସା ଓ ଅଙ୍କୁଶ ଆଦି ୨୧ ପ୍ରକାର ଆୟୁଧ ଧାରଣ କରିଛନ୍ତି । ଅନ୍ୟ ହସ୍ତରେ ଅସୁରର ଚୁଟି ଧରି ତାକୁ ମାରୁଛନ୍ତି ଠାକୁର ।
ଅନନ୍ତ ବାସୁଦେବ
ଶ୍ରୀବଳଭଦ୍ରଙ୍କ ରଥରେ ପୂଜା ପାଉଛନ୍ତି ଅନନ୍ତ ବାସୁଦେବ । ଶ୍ରୀମନ୍ଦିରରେ ପଟିଦିଅଁ ରୂପେ ଶ୍ରୀବଳଭଦ୍ରଙ୍କ ବାଡ଼ରେ ଅନନ୍ତ ବାସୁଦେବ ବିଦ୍ୟମାନ । ସେ ହେଉଛନ୍ତି ସ୍ୱୟଂ ଶିବ ତଥା ବଳରାମଙ୍କ ଅଂଶ । ଅନନ୍ତ ବାସୁଦେବ ହାତରେ ଶଙ୍ଖ, ଚକ୍ର ଓ ହଳ ମୂଷଳ ଧାରଣ କରିଛନ୍ତି । ସପ୍ତଫେଣୀ ସର୍ପ ଉପରେ ବିଦ୍ୟମାନ ହୋଇଛନ୍ତି ।
ଶ୍ରୀବଳରାମଙ୍କୁ ଦ୍ବାର ପ୍ରଳମ୍ବାସୁରକୁ ବଧ
ପ୍ରଳମ୍ବାସୁରକୁ ବଧ କରିବା ସ୍ଥିତିରେ ଶ୍ରୀବଳରାମ ତାଳଧ୍ୱଜ ରଥରେ ଶୋଭା ପାଉଛନ୍ତିି । ଚାରି ହସ୍ତ ଯୁକ୍ତ ଶ୍ରୀବଳରାମ । ଠାକୁରେ ମୂଷଳ, ଢାଲ, ଖଙ୍ଖ ଓ ଚକ୍ର ଆୟୁଧ ରୂପେ ଧାରଣ କରିଛନ୍ତି । କଂସ ପଠାଇଥିଲା ପ୍ରଳମ୍ବାସୁରକୁ ଶ୍ରୀକୃଷ୍ଣଙ୍କୁ ମାରିବାକୁ । ପ୍ରଳମ୍ବାସୁର ଚିହ୍ନି ନ ପାରି ବଳରାମଙ୍କୁ ମାରିବାକୁ ବସିିଲା । ଖେଳ କୌତୁକର ଆଳ କରି ବଳରାମଙ୍କୁ ଟେକି ଉଡ଼ିିଯିବା ସମୟରେ ବଳରାମ ଅସୁରକୁ ହତ୍ୟା କରିଥିଲେ।
ଶ୍ରୀଲକ୍ଷ୍ମଣ ଓ ଅଙ୍ଗଦ
ରାମ-ରାବଣ ଯୁଦ୍ଧ ସମୟରେ ଲକ୍ଷ୍ମଣଙ୍କୁ ସାହାଯ୍ୟ କରିବାକୁ ହନୁମାନ ଓ ଅଙ୍ଗଦକୁ ପଠାଇଥିଲେ ରାମଚନ୍ଦ୍ର । ରାବଣର ଜଣେ ପୁତୁରା ଥା’ନ୍ତି ଯିଏ ଅତ୍ୟନ୍ତ ବଳଶାଳୀ ଓ ଘୋର ମାୟାବୀ । ସେହି ମାୟାବୀ ରାକ୍ଷସ ଉପରକୁ ଉଠି ଲକ୍ଷ୍ମଣଙ୍କ ସହ ଯୁଦ୍ଧ କରିବାରେ ଲାଗିଲା । ଏଣୁ ଅଙ୍ଗଦଙ୍କ କାନ୍ଧରେ ବସି ଲକ୍ଷ୍ମଣ ଆକାଶ ମାର୍ଗରେ ଥାଇ ସେହି ରାକ୍ଷସକୁ ବଧ କରିଥିଲେ ।
ଷଡ଼ାନନ କାର୍ତ୍ତିକେଶ୍ୱର
ତାଳଧ୍ୱଜ ରଥରେ ବିଜେ ଷଡ଼ାନନ କାର୍ତ୍ତିକେଶ୍ୱର । ଠାକୁରେ ଛଅ ମସ୍ତକ ଧାରଣ କରିଛନ୍ତି । ୧୨ ବର୍ଷ ବୟସରେ ଠାକୁରେ ତାରକାସୁରକୁ ବଧ କରିଥିଲେ । ଶିବଙ୍କ ଅଂଶରୁ ଜନ୍ମ କାର୍ତ୍ତିକେୟ । ମହାଦେବଙ୍କ ତେଜରୁ ୬ ଜଣ ଋଷିକନ୍ୟାଙ୍କ ପୁତ୍ର ଭାବେ କାର୍ତ୍ତିକେୟ ଜନ୍ମଲାଭ କରିଥିଲେ ।
ହସ୍ତୀନା ବଳରାମ
ବଡ଼ଠାକୁର ତଥା ସ୍ୱୟଂ ବଳରାମ ଏକ ପାଗଳ ହାତୀକୁ ଦ୍ୱାପର ଯୁଗର ଲୀଳାକ୍ରମରେ ମାରିଥିଲେ । ଯାହାକି ରାକ୍ଷସ ରାଜା କଂସ ଦ୍ୱାରା ପଠାଯାଇଥିଲା । ଠାକୁରଙ୍କ ଶ୍ରୀଅଙ୍ଗରେ ହାତୀ ଠାରୁ ମଧ୍ୟ ଆହୁରି ଅଧିକ ଗୁଣ ବଳ । କୌଣସି ଦେବତା ହାତୀଙ୍କୁ ଟେକି ଧରିବା କେହି କେବେ ଦେଖି ନ ଥିବେ । ଦୁଇ ହାତରେ ହାତୀକୁ ଟେକିଧରି ବଳରାମ (କେହି କୁହନ୍ତି ହସ୍ତୀନା ବଳରାମ) ବିଜେ ହୋଇଛନ୍ତି ତାଳଧ୍ୱଜ ରଥରେ । ବଳରାମ ଅଷ୍ଟ ଭୁଜରେ ଅଙ୍କୁଶ, ମୂଷଳ, ହଳ, ଫାର୍ସା, ଅଭୟ ଓ ବରଦାୟକ ମୁଦ୍ରାରେ ରହିଛନ୍ତି ।
ନାଟାମ୍ବର ତଥା ବାନାମ୍ବର
ତାଳଧ୍ୱଜ ରଥରେ ବିଜେ ପ୍ରଭୁ ନାଟାମ୍ବର ତଥା ବାନାମ୍ବର । ସେ ବଡ଼ଠାକୁର ତଥା ସ୍ୱୟଂ ଶିବଙ୍କ ରୂପ । ଶ୍ରୀକ୍ଷେତ୍ରରେ ବାନାମ୍ବର ଉପାସନାର ସ୍ୱତନ୍ତ୍ରତା ରହିଛି । ଠାକୁରେ ଉପର ହସ୍ତରେ ସର୍ପ ଧାରଣ କରିଛନ୍ତି । ପ୍ରଭୁ ବୃଷଭ ପିଠିରେ ନାଚିବା ଅବସ୍ଥାରେ ବିଜେ କରିଛନ୍ତି ।
ନୃତ୍ୟଗଣେଶ
ଅତି ଆନନ୍ଦରେ ନୃତ୍ୟ କରୁଛନ୍ତି ଗଜାନନ । ବଡ଼ଠାକୁରଙ୍କ ରଥରେ ବିରାଜମାନ କରି ଠାକୁରେ ବେଶ୍ ଖୁସି । ଠାକୁରେ ଅଷ୍ଟଭୁଜା ନୃତ୍ୟ ଗଣେଶ । ଉପର ଦୁଇ ହସ୍ତରେ ସର୍ପ । ଅନ୍ୟ ହସ୍ତରେ ପାଶ, ଅଙ୍କୁଶ, ମାଳି ଓ ଘଣ୍ଟି ଧାରଣ କରିଥାନ୍ତି । ଘଣ୍ଟି ହେଉଛି ଶୁଭଙ୍କର ଅର୍ଥାତ୍ ଶୁଭର ପ୍ରତୀକ । ଘଣ୍ଟି ଧ୍ୱନିରେ ନକାରାତ୍ମକ ଶକ୍ତିର ବିଲୋପ ହୋଇଥାଏ ।
ଶ୍ରୀବଳରାମ
ତାଳଧ୍ୱଜ ରଥରେ ପାଶ୍ୱ ର୍ଦେବତା ଭାବେ ଅବସ୍ଥାନ କରୁଛନ୍ତି ଶ୍ରୀବଳରାମ । ଶ୍ରୀବଳଭଦ୍ର ହେଉଛନ୍ତି ବଳରାମ । ଦୁଇ ହସ୍ତରେ ହଳ ମୂଷଳ ଧାରଣ କରିଥିବେ । ଶ୍ରୀବଳଭଦ୍ର ହେଉଛନ୍ତି ସ୍ୱୟଂ ଶିବ । ଠାକୁରେ ଶ୍ରୀବଳରାମଙ୍କ ରୂପରେ ଅବତାର ନେଇଛନ୍ତି । କଳିଯୁଗର ପ୍ରତ୍ୟକ୍ଷ ଠାକୁରେ ହେଲେ ଶ୍ରୀବଳଭଦ୍ର ।
ନନ୍ଦ
ତାଳଧ୍ୱଜ ରଥର ଦ୍ୱାରପାଳ ହେଉଛନ୍ତି ନନ୍ଦ ଓ ସୁନନ୍ଦ । କୁହାଯାଏ ଏମାନେ ଦ୍ୱାପର ଯୁଗର ଲୀଳାରେ ଶ୍ରୀକୃଷ୍ଣ ବଳରାମଙ୍କ ଅତି ପ୍ରିୟ ସଖା ଥିଲେ । ଗୋପାଳମାନଙ୍କ ସହ ଲୀଳା କରିବା ସମୟରେ ଏହି ଦୁଇଜଣ ଉପସ୍ଥିତ ରହୁଥିଲେ । ସେମାନେ ଏଠାରେ ଦ୍ୱାରପାଳ ଭାବେ ପୂଜା ପାଉଛନ୍ତି । କେହି କେହି କୁହନ୍ତି ଠାକୁରଙ୍କ ହାତରେ ସେମାନଙ୍କ ଅଭିଶପ୍ତ ଜୀବନରୁ ମୁକ୍ତ ହୋଇ ଏଠାରେ ଦ୍ୱାରପାଳ ଅଛନ୍ତି ।
ସୁନନ୍ଦ
ବଡ଼ଠାକୁରଙ୍କ ସିଂହାସନ ସମ୍ମୁଖରେ ଅବସ୍ଥାନ କରି ଦ୍ୱାର ଜଗିଛନ୍ତି । ଭଗବାନଙ୍କ ଦ୍ୱାପର ଯୁଗୀୟ ଲୀଳାରେ ସୁନନ୍ଦ ବଳରାମଙ୍କ ଭାରି ଭଲ ବନ୍ଧୁ ଥିଲେ । ତାଙ୍କର ବାଲ୍ୟକାଳର ଅଧିକାଂଶ ଲୀଳାରେ ସୁନନ୍ଦଙ୍କ ସାଥିରେ ରହିଥିଲେ । ଏଣୁ ଦ୍ୱାରପାଳ ଭାବେ ତାଙ୍କର ପ୍ରିୟ ସାଥୀ ଭାବେ ରହିଛନ୍ତି । ପୁଣି କୁହାଯାଏ ଅଭିଶପ୍ତ ଜୀବନରୁ ମୁକ୍ତି ପରେ ଠାକୁରଙ୍କ ଦ୍ୱାରପାଳ ଦାୟିତ୍ୱରେ ରହିଛନ୍ତି ।
ମଧୁକଳ୍ପ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ବିଜେ ହୋଇଛନ୍ତି ମଧୁକଳ୍ପ ଅଥବା ମଧୁକୈଟଭ । ଠାକୁରେ ହେଉଛନ୍ତି ସ୍ୱୟଂ ନାରାୟଣଙ୍କ ଏକ ରୂପ । ଅସୁରକୁ ନିଧନ କରିବା ପାଇଁ ଠାକୁରେ ଏହି ରୂପ ନେଇଥିଲେ । ଠାକୁରେ ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ଓ ରାକ୍ଷସର ଚୁଟି ଧରିଥିବା ସ୍ଥିତିରେ ବିଜେ କରିଛନ୍ତି । ବଡ଼ଦେଉଳକୁ ନେଇ ଏସବୁ ଦେବ ପ୍ରତିମା ନିର୍ମିତ ।
ଶ୍ରୀରାମଚନ୍ଦ୍ର ଓ ହନୁମାନ
ରାମ ରାବଣ ଯୁଦ୍ଧ ସମୟରେ ପୁରୁଷୋତ୍ତମଙ୍କ ନିକଟରେ ରଥ ନ ଥିଲା । ମାୟାବୀ ରାକ୍ଷସ ରାବଣ ଯେବେ ଶୂନ୍ୟରେ ଉଡ଼ି ଶ୍ରୀରାମଙ୍କ ସହ ଯୁଦ୍ଧ କଲା ସେତେବେଳେ ପବନ ପୁତ୍ର ତଥା ଠାକୁରଙ୍କ ଅତି ପ୍ରିୟ ଭକ୍ତ ହନୁମାନ ଶ୍ରୀରାମଙ୍କୁ ନିଜ କାନ୍ଧରେ ବସାଇ ଉଡ଼ିଥିଲା । ଭକ୍ତ ହନୁମାନ କାନ୍ଧରେ ଶ୍ରୀରାମ ବସି ରାବଣ ସହ ଯୁଦ୍ଧ କରିଥିଲେ । ଧନୁ ତୀର ଧାରଣ କରି ଶ୍ରୀରାମଚନ୍ଦ୍ର ନନ୍ଦିଘୋଷରେ ବିଜେ ହୋଇଥାନ୍ତି ।
ପ୍ରଭୁ ହରିହର
ପ୍ରଭୁ ହରିହର ଅର୍ଦ୍ଧାଙ୍ଗ ହରି ଓ ଅର୍ଦ୍ଧାଂଶ ହରଙ୍କ ସ୍ୱରୂପ । ଶ୍ରୀକ୍ଷେତ୍ର ଶ୍ରୀବିଷ୍ଣୁଙ୍କ କ୍ଷେତ୍ର ହେଲେ ମଧ୍ୟ ମହାଦେବଙ୍କ ମହତ୍ତ୍ୱ ଆଦୌ ଊଣା ନୁହେଁ । ଜାଗର ଯାତ୍ରା ଠାରୁ ଶମ୍ଭୁ ଏକାଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହରିହର ଉପାସନା ପ୍ରଚଳିତ । ଶୈବ ଓ ବୈଷ୍ଣବଙ୍କ ମଧ୍ୟରେ ରହିଥିବା ବିବାଦରେ ଅନ୍ତ ଆଣିବା ପାଇଁ ହରିହର ଉପାସନାର ବିଶେଷ ମହତ୍ତ୍ୱ ରହିଛି । ହରିଙ୍କ ନିକଟରେ ଗରୁଡ଼ ଓ ହରଙ୍କ ପାଖେ ବୃଷଭ ରହିଥାନ୍ତି ।
ଗିରିଗୋବର୍ଦ୍ଧନଧାରୀ
ଅବିଶ୍ରାନ୍ତ ବର୍ଷାରୁ ଗୋପବାସୀଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରଭୁ ଶ୍ରୀକୃଷ୍ଣ ନିଜ କାଣି ଅଙ୍ଗୁଳିରେ ଗିରିଗୋବର୍ଦ୍ଧନ ପାହାଡ଼କୁ ଟେକି ଧରିଥିଲେ । ପାହାଡ଼ ତଳେ ଗୋପବାସୀଙ୍କ ସମେତ ଗୋବତ୍ସା ଆଦି ଆଶ୍ରୟ ନେଇଥିଲେ । ଠାକୁରେ ବଂଶୀ ଧାରଣ କରିବା ସହ ପାହାଡ଼କୁ ଟେକି ଧରିବାର ଦୃଶ୍ୟ ରହିଛି । ଅନ୍ୟମାନେ ଦଣ୍ଡ ସାହାଯ୍ୟରେ ପାହାଡ଼ ତଳୁ ଢେରା ଦେଇଥିବେ । ଅସଲରେ ଠାକୁରେ ସିନା ଟେକିଥିଲେ ଶ୍ରୀରାଧା ଠାକୁରଙ୍କ କହୁଣିକୁ ଟେକି ଧରି ବଳ ଯୋଗାଇଥିବା କୁହାଯାଏ ।
ପ୍ରଭୁ ଶ୍ରୀନୃସିଂହ
ନନ୍ଦିଘୋଷ ରଥରେ ବିଜେ ହୋଇଛନ୍ତି ପ୍ରଭୁ ଶ୍ରୀନୃସିଂହ । ଠାକୁରଙ୍କ ନିକଟରେ ପ୍ରହଲ୍ଲାଦ ଯୋଡ଼ ହସ୍ତ ହୋଇ ଦଣ୍ଡାୟମାନ । ପ୍ରହଲ୍ଲାଦ ହେଉଛନ୍ତି ମହାପ୍ରଭୁଙ୍କ ବଡ଼ ଭକ୍ତ । ଠାକୁରଙ୍କ ପ୍ରତି ଭାବଭକ୍ତିର ମାନ ରକ୍ଷା କରିବାକୁ ପ୍ରଭୁ ନୃସିଂହ ରାକ୍ଷସ ହିରଣ୍ୟକଶିପୁକୁ ମାରିଥିଲେ । ଶ୍ରୀନୃସିଂହ ମହାପ୍ରଭୁ ଖମ୍ବରୁ ଆବିର୍ଭାବ ହେବା ସମୟରେ ସିଂହ ମୁଖ ଓ ଚାରି ହାତ ରହିଥିଲା । ଠାକୁରଙ୍କ ତୃତୀୟ ନେତ୍ର ମଧ୍ୟ ରହିଛି ।
ରାବଣର ଛତ୍ରଭଙ୍ଗ
ସୀତାଦେବୀଙ୍କ ହରଣ ପରେ ବିଭୀଷଣ ରାଜା ରାବଣଙ୍କୁ ବୁଝାଇଥିଲା ଦେବୀଙ୍କୁ ଛାଡ଼ିଦେବାକୁ । ଏଥିରେ ଉତ୍କ୍ଷିପ୍ତ ହୋଇ ରାବଣ କୋପ କରିବାରେ ବିଭୀଷଣ ଆସି ଶ୍ରୀରାମଙ୍କ ଶରଣ ପଶିଥିଲେ । ଏହି ଦୃଶ୍ୟକୁ ରାବଣ ବାଦଲ ଭିତରୁ ଲୁଚି ଦେଖୁଥିବା ସ୍ଥଳେ ଶ୍ରୀଲକ୍ଷ୍ମଣଙ୍କ ନଜର ରାବଣ ଉପରେ ପଡ଼ିଥିଲା । ଏଥିରେ ରାଗି ଯାଇ ଶ୍ରୀଲକ୍ଷ୍ମଣ ଗୋଟିଏ ତୀର ମାରି ରାବଣର ଛତ୍ରଭଙ୍ଗ କରିଥିଲେ ।
ସ୍ବୟଂ ନାରାୟଣ
ଶ୍ରୀଜଗନ୍ନାଥଙ୍କ ରଥରେ ପାଶ୍ୱ ର୍ ଦେବତାଭାବେ ବିଜେ ହୋଇଛନ୍ତି ପ୍ରଭୁ ଶ୍ରୀନାରାୟଣ । ଠାକୁରେ ଚତୁ ର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଛନ୍ତି । ମହାପ୍ରଭୁଙ୍କ ଅନବସର ଗୁପ୍ତ ପୂଜା ଅବସରରେ ପଟିଦିଅଁ ରୂପେ ମହାପ୍ରଭୁଙ୍କ ବାଡ଼ରେ ପ୍ରଭୁ ନାରାୟଣ ଜଗମୋହନରେ ଅଧିଷ୍ଠିତ ହୋଇ ପୂଜା ପାଇଥାନ୍ତି ।
ଚିନ୍ତାମଣି ଶ୍ରୀକୃଷ୍ଣ
ନନ୍ଦିଘୋଷରେ ବିଜେ ଚିନ୍ତାମଣି ଶ୍ରୀକୃଷ୍ଣ । ଠାକୁରଙ୍କ ଅନ୍ୟନାମ ମକୁନ୍ଦ ବା ମୁକୁନ୍ଦ ଶ୍ରୀକୃଷ୍ଣ । ଠାକୁରେ ଅଷ୍ଟଭୁଜା । ଉପର ହସ୍ତରେ ଶଙ୍ଖ ଓ ଚକ୍ର । ନିମ୍ନ ହସ୍ତରେ ରହିଛି ଗଦା, ପଦ୍ମ ଓ ଧନୁ, ଶର । ଅନ୍ୟ ଦୁଇ ହାତରେ ମହାପ୍ରଭୁ ବଂଶୀ ଧରିଛନ୍ତି । ଠାକୁରଙ୍କ ଏହା ନିଆରା ରୂପ । ଦୁଇ ପାଶ୍ୱର୍ରେ ରହିଛନ୍ତି ଦୁଇ ଜଣ ଦେବଦାସୀ । ଚିନ୍ତାମଣିଙ୍କୁ ପୂଜାର୍ଚ୍ଚନା କଲେ ମନୁଷ୍ୟ ଜୀବନରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।
ପଞ୍ଚମୂଖୀ ମହାବୀର
ମହାପ୍ରଭୁଙ୍କ ରଥରେ ବିଜେ ପଞ୍ଚମୂଖୀ ମହାବୀର । ଠାକୁରଙ୍କ ଶ୍ରୀଅଙ୍ଗରେ ପଞ୍ଚ ଦେବତା ବିଦ୍ୟମାନ । ସଭିଏଁ ଉଗ୍ର ମୂତ୍ତି ର୍ । ତଥା ରୁଦ୍ର ମିଶା । ହଇଗ୍ରୀବ ହେଉଛନ୍ତି ଧବଳ ବର୍ଣ୍ଣ, ଶ୍ରୀବିଷ୍ଣୁ ଓ ମହେଶ୍ୱରଙ୍କ ଅଂଶ । ନୃସିଂହ ହେଉଛନ୍ତି ମହାଦେବଙ୍କ ଅଂଶ । ପରକୁ ରହିଲେ ମହାବୀର ରୁଦ୍ର ଅବତାର । ଶ୍ରୀଅଙ୍ଗରେ ବରାହ ତଥା ମୂଷଳଧାରୀ ଓ ଗରୁଡ଼ ବିଦ୍ୟମାନ ।
ଜୟ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦ୍ୱାରପାଳ ହେଉଛନ୍ତି ଜୟ ଓ ବିଜୟ । ବୈକୁଣ୍ଠାଧିପତି ସ୍ୱୟଂ ଭଗବାନ ଶ୍ରୀଜଗନ୍ନାଥ ଏଠାରେ ବିଜେ କରିଛନ୍ତି । ତେଣୁ ଜଗତାଧିପତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରପାଳ ଭାବେ ଜୟ ନନ୍ଦିଘୋଷ ରଥରେ ବିଜେ କରିଛନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଜୟ ବିଜୟଙ୍କ ନାମରେ ଏକ ମୁଖ୍ୟ ଦ୍ୱାର ରହିଛି ।
ବିଜୟ
ନନ୍ଦିଘୋଷର ଅନ୍ୟତମ ଦ୍ୱାରପାଳ ହେଉଛନ୍ତି ବିଜୟ । ଶ୍ରୀମନ୍ଦିରରେ ଥିବା ଜୟ ବିଜୟ ଦ୍ୱାରର ଦୁଇ ପାଶ୍ୱର୍ରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଜୟ ବିଜୟ ଦ୍ୱାରପାଳ ଭାବେ ବିରାଜମାନ କରିଛନ୍ତି । ଚର୍ତୁଭୁଜ ଧାରଣ କରିଛନ୍ତି । ଭଗବାନ ନାରାୟଣ ରଥରେ ବିଜେ କରିଥିବାରୁ ଜୟ ବିଜୟ ଉଭୟ ପାଶ୍ୱର୍ରେ ଦ୍ୱାରପାଳ ଭାବେ ରହିଛନ୍ତି ।
ମା’ମଙ୍ଗଳା
ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ ମା’ମଙ୍ଗଳା । ଜଗତର ମାଆ ରୂପେ ମା’ମଙ୍ଗଳାଙ୍କୁ ଗ୍ରହଣ କରାଯାଏ । ମହାପ୍ରଭୁଙ୍କ ନବକଳେବର ଅବସରରେ ଦାରୁ ଅନ୍ୱେଷଣ ସମୟରେ ମା’ଙ୍କ ସ୍ୱପ୍ନାଦେଶ ତଥା ମାର୍ଗଦର୍ଶନରେ ଠାକୁରଙ୍କ ଦାରୁ ମିଳିଥାଏ । ତନ୍ତ୍ର ସାଧନାର ମୁଖ୍ୟ ଠାକୁରାଣୀ । ଚାରି ହସ୍ତରେ ଠାକୁରାଣୀ ଅଭୟ, ବର, ପାଶ ଓ ଅଙ୍କୁଶ ଧାରଣ କରିଛନ୍ତି ।
ମା’ବିମଳା
ମା’ବିମଳାଙ୍କ ହସ୍ତରେ ରହିଛି ସନ୍ତାନ । ସନ୍ତାନ ହେଉଛି ମା’ଙ୍କ ଆୟୁଧ । ଯେଉଁଠି ଧର୍ମ ହାରିଯାଏ ସେଠାକୁ ମା’ ଏହି ବିଜୟ ପୁତ୍ରଙ୍କୁ ପଠାଇ ବିଜୟ ପ୍ରାପ୍ତି କରାନ୍ତି । ଅନ୍ୟ ହସ୍ତରେ ଅଙ୍କୁଶ ଓ ଅମୃତ କଳସ ଧାରଣ କରିଛନ୍ତି । ଦୁଇ ପାଶ୍ୱର୍ରେ ସିଂହ ଓ କନ୍ୟା ଶୋଭା ପାଉଛନ୍ତି । ସିଂହ ବାହନ ରୂପେ ବିଦ୍ୟମାନ ।
ଦେବୀ ବନଦୁର୍ଗା
ଶ୍ରୀକ୍ଷେତ୍ରରେ ଦେବୀ ବନଦୁର୍ଗାଙ୍କ ଉପାସନା ଅତି ପ୍ରାଚୀନ । ମା’ଜଙ୍ଗଲରେ ଭ୍ରମଣ କରିବା ସମୟରେ ତାଙ୍କ ପାଦରେ କଣ୍ଟା ଫୁଟିଯାଏ । ଏହା ଦେଖି ଶ୍ରୀବିଷ୍ଣୁ ତାଙ୍କ ପାଦରୁ କଣ୍ଟା କାଢ଼ି ଦିଅନ୍ତି । ଏଡ଼େ ବଡ଼ ଠାକୁର ହୋଇ ଜଣେ ମହିଳାଙ୍କ ପାଦ ଧରିଲେ କହି ମହାଦେବ ଶ୍ରୀବିଷ୍ଣୁଙ୍କୁ ଉପହାସ କରନ୍ତି । ବ୍ରହ୍ମା ମଧ୍ୟ ଭିନ୍ନ ରୂପରେ ସେଠାରେ ପ୍ରକଟ ହୋଇ ଏସବୁ ଦୃଶ୍ୟ ଦେଖୁଥିବାର କଥା ଜନମାନସରେ ରହିଛି । ଶାରଦୀୟ ପୂଜା ଅବସରରେ ବନଦୁର୍ଗାଙ୍କ ମନ୍ତ୍ରରେ ଗୋସାଣୀ ଓ ନାଗା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରାଯାଏ ।
ମା’ ଜୟଦୁର୍ଗା
ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜମାନ କରିଛନ୍ତି ମା’ ଜୟଦୁର୍ଗା । ଆଶ୍ୱିନ ମାସରେ ଗୁପ୍ତ ଗୁଣ୍ଡିଚା ଅବସରରେ ମା’ଜୟଦୁର୍ଗା ମାଧବଙ୍କ ସହ ଯାତ୍ରା କରିଥାନ୍ତି । ଏହା ଶ୍ରୀମନ୍ଦିରରେ ଅନନ୍ୟ ଦେବୀ ପୂଜାର ବିଧିବିଧାନ । ଜୟଦୁର୍ଗା ନାରାୟଣୀଙ୍କ ରୂପରେ ଉଦ୍ଧ୍ୱର୍ ହସ୍ତରେ ଶଙ୍ଖ, ଚକ୍ର ଓ ନିମ୍ନ ହସ୍ତ ତ୍ରିଶୁଳ ଧାରଣ କରି ରାକ୍ଷସକୁ ବଧ କରୁଛନ୍ତି ।
ମା’ହରଚଣ୍ଡୀ
ଭଗବତୀ ଅଷ୍ଟଭୁଜା ମା’ହରଚଣ୍ଡୀ । ମହିଂଷାମର୍ଦ୍ଦିନୀ ମା ଦୁର୍ଗା । ବାମ ହସ୍ତରେ ମଇଁଷି ପାଟିକୁ ମାଡ଼ି ବସିଥିବେ । ଡ଼ାହାଣ ହସ୍ତରେ ତ୍ରିଶୁଳ ଧରି ରାକ୍ଷସକୁ ବଧ କରୁଥିବେ । ଅନ୍ୟ ହସ୍ତରେ ଖଣ୍ଡା, ଚକ୍ର, ଧନୁ, ଶର, ଢ଼ାଲ ଓ ଶଙ୍ଖ ଧାରଣ କରିଥାନ୍ତି । ଦେବୀ ରଥରେ ଠାକୁରାଣୀ ବିଜେ କରିଥାନ୍ତି ।
ମା’ଭୁବନେଶ୍ୱରୀ
ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ ହୋଇଛନ୍ତି ମା’ଭୁବନେଶ୍ୱରୀ । ଭାରି ଶାନ୍ତ ଶିଷ୍ଟ ଠାକୁରାଣୀ । ହେଲେ ଅନୀତି ଦେଖିଲେ ଭୟଙ୍କର ରୂପ ମଧ୍ୟ ଧାରଣ କରିଥାନ୍ତି । ଅଣସର ସମୟରେ ମା’ଭୁବନେଶ୍ୱରୀ ପଟିଦିଅଁ ରୂପେ ଶ୍ରୀମନ୍ଦିର ଜଗମୋହନରେ ପୂଜା ପାଇଥାନ୍ତି ।
ମା’ ବାହାରୀ
ତନ୍ତ୍ର ସାଧନାର ମୁଖ୍ୟ ଠାକୁରାଣୀ ମା’ ବାହାରୀ । ଦେବୀ ଭୂମି ଓ ଜଳର ଅଧିଶ୍ୱରୀ । ଭୂମି ପୂଜାରେ ବାରାହୀଙ୍କୁ ଆବାହନର ସ୍ୱତନ୍ତ୍ରତା ରହିଛି । ହିନ୍ଦୁ ସଂସ୍କୃତି ଅନୁସାରେ ଶୁଭର ସଙ୍କେତ ମାଛ ଧରିଛନ୍ତି ଡ଼ାହାଣ ହସ୍ତରେ । ନିମ୍ନ ହସ୍ତରେ ଝାଡ଼ୁ ଅର୍ଥାତ୍ ଶୁଦ୍ଧତାର ପ୍ରତୀକ । ଅନ୍ୟ ୨ ହାତରେ ଶିଶୁ ପୁତ୍ର ଓ ପାନ ବଟା ।
ଦେବୀ ଚାମୁଣ୍ଡା
ଲୋକ ତୁଣ୍ଡରେ କେହି କେହି ଚାମୁଣ୍ଡା ଠାକୁରାଣୀଙ୍କୁ ଚାମଡ଼ା ମଧ୍ୟ କୁହନ୍ତି । କ୍ଷୀଣ ଶ୍ରୀଅଙ୍ଗ କିନ୍ତୁ ପ୍ରଚଣ୍ଡ କ୍ରୋଧି । କଙ୍କାଳ ସଦୃଶ ଶରୀର ଧାରଣ କରିଥାନ୍ତି ଦେବୀ । ସେ ହେଉଛନ୍ତି ତନ୍ତ୍ରର ସାଧନାର ମୂଳ ଦେବୀ । ଠାକୁରାଣୀ ହେଉଛନ୍ତି ଦଶଭୁଜା । ହସ୍ତରେ ଧାରଣ କରିଛନ୍ତି ଖଡ୍ଗ, ଖପୁରୀ, ପାଶ ଅଙ୍କୁଶ, ମାଳି, ଘଣ୍ଟି, ଭଗବତୀ ଧରିଛି ଡ଼ଙ୍କି(ଅଗ୍ନିରେ ଆହୁତି ଦେବା ଜିନିଷ) ଅନ୍ୟ ହସ୍ତରେ ଆଶୀର୍ବାଦ ।
ମା’ ଭଦ୍ରକାଳୀ
ପନିକି ସିଂହାସନରେ ବସିଛନ୍ତି ମା’ । ଏକ ଶିଶୁକୁ କାଟିଦେଇଥିବା ଜାଣିବା ପରେ ଠାକୁରାଣୀ ନିଜ ଆଙ୍ଗୁଳିକୁ ଦାନ୍ତରେ କାମୁଡ଼ି ଦେଇ ଛାନିଆଁ ହୋଇଥିବା ରୂପକାର କୁହନ୍ତି । ପୁଣି କୁହାଯାଏ ଦୁଷ୍ଟ ସଂହାର ଅବସରରେ ଭଗବତୀ ରକ୍ତ ମାଂସ ଭକ୍ଷଣ କରିବା ସମୟରେ ତାଙ୍କ ଦାନ୍ତରେ ମାଂସ ଲାଗିଥିବାରେ କଳନା କରି ଏଭଳି ମୂର୍ତ୍ତି କରାଯାଇଥାଏ । ମହାଦେବଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଠାକୁରାଣୀ ପନିକି ଆସନରେ ବସି ଦାନ୍ତ ସଫା କରୁଥିବେ ।
ଗଙ୍ଗା
ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଦ୍ୱାରପାଳ ହେଲେ ଗଙ୍ଗା ଓ ଯମୁନା । ଦୁଇ ପବିତ୍ର ନଦୀ ଦୁଇ ରୂପ ଧାରଣ କରି ରଥରେ ମା’ଙ୍କ ଦ୍ୱାରପାଳ ଭାବେ ଅବସ୍ଥାନ କରୁଛନ୍ତି । ଦେବୀ ସୁଭଦ୍ରା ହେଉଛନ୍ତି ସ୍ୱୟଂ ଭୁବନେଶ୍ୱରୀ । ଦେବୀ ଭୁବନେଶ୍ୱରୀଙ୍କ ସମ୍ମୁଖ ଭାଗରେ ପବିତ୍ରତମା ନଦୀ ଗଙ୍ଗା ଯମୁନା ଦ୍ୱାରପାଳ ଭାବେ ସେବା ପ୍ରଦାନ କରୁଛନ୍ତି ।
ଯମୁନା
ଶ୍ରୀମନ୍ଦିରରେ ମଧ୍ୟ ଗଙ୍ଗା ଯମୁନା କୂଅ ରହିଛି । ଏହି କୂପରୁ ପାଣି ଗଲେ ଠାକୁରଙ୍କ ମହାପ୍ରସାଦ ରନ୍ଧନ ହୋଇଥାଏ । ଶହ ଶହ ବର୍ଷ ହେଲା ପ୍ରଭୁଙ୍କ ପାଖେ ଜଳଦାନ କରି ମଧ୍ୟ ଦୁଇ କୂଅ କେବେ ସୁସ୍କ ହୋଇଯାଇନାହାନ୍ତି । ଦ୍ୱାର ରକ୍ଷିକା ଭାବେ ନିଜେ ରହି ଠାକୁରାଣୀଙ୍କ ରଥର ଶୋଭା ବର୍ଦ୍ଧନ କରୁଛନ୍ତି ମାତା ଯମୁନା ।
କୋଣଗୁଜ
ରଥର କୋଣ ମାନଙ୍କରେ କୋଣଗୁଜ ସ୍ଥାପନ କରାଯାଇଛି । ଏଥିରେ ନୃସିଂହ ମହାପ୍ରଭୁଙ୍କ ମୁଖ ଭଳି ସିଂହବିରାଳ ମୂର୍ତ୍ତି ଖୋଦନ କରାଯାଇଛି । ଏସବୁକୁ ରଥର ସୁରକ୍ଷା କବଚ ଭାବେ ଧରାଯାଏ । ନୃସିଂହ ଚତୁର୍ଦ୍ଦଶୀରେ ରୂପକାରସେବକମାନେ ଅନୁକୂଳ କରିବା ପରେ କୋଣଗୁଜରେ ସିଂହବିରାଳ ରୂପ ଖୋଦ କରିଥାନ୍ତି ।
କନ୍ୟାପଟା
ରଥର ବିଭିନ୍ନ ଅଂଶରେ କନ୍ୟାପଟା ଲାଗିଥାଏ । ତିନି ରଥରେ ମୋଟ ୩୨ଟି କନ୍ୟା ପଟା ଲଗାଯାଏ । ନନ୍ଦିଘୋଷ ରଥ, ତାଳଧ୍ୱଜ ରଥରେ ୧୨ଟି ଲେଖାଁଏ ଓ ଦେବୀ ରଥରେ ୮ଟି କନ୍ୟା ପଟା ଲଗାଯାଏ । ଏହାକୁ ବିଶ୍ୱକର୍ମା କାଠ ପ୍ରସ୍ତୁତ କଲାପରେ ରୂପକାର ମୂର୍ତ୍ତି ଖୋଦେଇ କଲେ ଓ ଚିତ୍ରକର ରଙ୍ଗ କରିଥାନ୍ତି ।
ପଟାଗୁଜ
ରଥର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶର ନାମ ପଟାଗୁଜ । ଏଥିରେ ଯେଉଁ ମୂର୍ତ୍ତି ଦୃଶ୍ୟମାନ ହୁଅନ୍ତି ତାହା ଅନ୍ୟ କେଉଁ ସ୍ଥାନରେ ପ୍ରାୟତଃ ଦୃଷ୍ଟିକୁ ଆସେ ନାହିଁ । ସିଂହର ଶରୀର ଦଣ୍ଡାୟମାନ ଭଳି ରହିଥାଏ । କିନ୍ତୁ ମସ୍ତକ ମନୁଷ୍ୟ ଭଳି । ଏଭଳି ମୂର୍ତ୍ତି ସବୁ କାହିଁ କେଉଁ କାଳରୁ ରଥରେ ଶୋଭା ବର୍ଦ୍ଧନ କରୁଥିବା କୁହନ୍ତି ନିର୍ମାଣକାରୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।