16 JULY 2026

Welcome!

Unlock your personalized experience.
Sign Up

'ଟାହିଆ'ଶୂନ୍ୟ ମହାପ୍ରଭୁଙ୍କ ମସ୍ତକ, ଓଡ଼ିଆ ଜାତିର ଭାବାବେଗକୁ ଆଘାତ

Jul 16, 2026 - 17:18
'ଟାହିଆ'ଶୂନ୍ୟ ମହାପ୍ରଭୁଙ୍କ ମସ୍ତକ, ଓଡ଼ିଆ ଜାତିର ଭାବାବେଗକୁ ଆଘାତ

ପୁରୀ, ୧୬।୭ : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି। ପହଣ୍ଡି ସମୟରେ ଅଧା ବାଟରୁ ଖୋଲିଗଲା ମହାପ୍ରଭୁଙ୍କ ଟାହିଆ। ପହଣ୍ଡି ବେଳେ ମହାପ୍ରଭୁଙ୍କ ମସ୍ତକରେ 'ଟାହିଆ' ନ ଥିବା ଘଟଣା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି।  ଯାହା ପ୍ରଥମ ଥର ପାଇଁ ଘଟିଛି। ପୂର୍ବରୁ କେବେ ଏପରି ଘଟି ନ ଥିଲା।

ଶ୍ରୀଜଗନ୍ନାଥଙ୍କ ପହଣ୍ଡି କଥା ଉଠିଲେ ସର୍ବପ୍ରଥମେ ମନକୁ ଆସେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ପବିତ୍ର ଟାହିଆ। ଏହା କେବଳ ଏକ ଅଳଙ୍କାର ନୁହେଁ; ଏହା ଶତାବ୍ଦୀ ପୁରୁଣା ପରମ୍ପରା, ସେବାପଦ୍ଧତି, ଆସ୍ଥା ଓ ଓଡ଼ିଆ ଅସ୍ମିତାର ଏକ ଅମୂଲ୍ୟ ପ୍ରତୀକ। ପହଣ୍ଡି ସମୟରେ ଟାହିଆ ମହାପ୍ରଭୁଙ୍କ ଦିବ୍ୟ ରୂପକୁ ଅଧିକ ଗୌରବମୟ କରିଥାଏ। ଏପରି ପବିତ୍ର ପରମ୍ପରାରେ ବ୍ୟତିକ୍ରମ ଘଟିବାକୁ ନେଇ ଭକ୍ତମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି।

ପହଣ୍ଡିର ଅଧା ବାଟରୁ ଟାହିଆ ଖୋଲିଯିବା ପରେ ମହାପ୍ରଭୁଙ୍କ ପହଣ୍ଡି ଆଗକୁ ବଢ଼ିଥିବା ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଏହି ଘଟଣା କେବଳ ଏକ ସାଧାରଣ ତ୍ରୁଟି ନୁହେଁ ବୋଲି ଅନେକ ଭକ୍ତ ମତ ପ୍ରକାଶ କରିଛନ୍ତି; ବରଂ ମହାପ୍ରଭୁଙ୍କ ନୀତି, ପରମ୍ପରା ଓ ସେବାପଦ୍ଧତି ପ୍ରତି ଗୁରୁତର ଅବହେଳାର ପ୍ରଶ୍ନ ଉଠିଛି।

ଏହି ଘଟଣା ପଛରେ କାହାର ଅବହେଳା ରହିଛି, ଟାହିଆ ବାନ୍ଧିବା ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇଥିଲା କି, ନା ସେବାରେ କୌଣସି ଅସାବଧାନତା ଘଟିଥିଲା—ଏହାକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି। ଭକ୍ତମାନେ ଦାବି କରିଛନ୍ତି ଯେ ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ନୁହେଁ, ବିଶ୍ୱବ୍ୟାପୀ କୋଟି କୋଟି ଭକ୍ତଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ। ତେଣୁ ମହାପ୍ରଭୁଙ୍କ ନୀତି, ପରମ୍ପରା ଓ ମର୍ଯ୍ୟାଦା ସହ କୌଣସି ପ୍ରକାରର ଆପୋଷ କିମ୍ବା ଅବହେଳାକୁ ଓଡ଼ିଆ ଜାତି କେବେ ବି ଗ୍ରହଣ କରିବ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।