01 AUGUST 2026

Welcome!

Unlock your personalized experience.
Sign Up

କାର୍ବନ କ୍ରେଡିଟ୍ ଓ ଗୋଷ୍ଠୀମାନଙ୍କ ସମ୍ଭାବ୍ୟ ରୋଜଗାର

Aug 01, 2026 - 15:07
କାର୍ବନ କ୍ରେଡିଟ୍ ଓ ଗୋଷ୍ଠୀମାନଙ୍କ ସମ୍ଭାବ୍ୟ ରୋଜଗାର

ସର୍ବପ୍ରଥମେ ଆପଣଙ୍କୁ ବିନୀତ ଅନୁରୋଧ, ଉପରୋକ୍ତ ଶବ୍ଦ ଦେଖି ମନରେ ଭୟ ସଞ୍ଚାର କରିବେ ନାହିଁ । ଏଇଟା ସାଧାରଣ କିନ୍ତୁ ଆଖି ଖୋଲିଲା ଭଳି । ଆମ ରୋଷେଇଘରେ ହୁଏ କ'ଣ? ଶସ୍ୟ, ପନିପରିବା ଆସେ ଆଉ ରୋଷେଇ ହେଲା ପରେ ଆମେ ଖାଉ । ଠିକ ସେପରି ଆମ ଚାରିପଟରେ ଥିବା ଗଛ ପତ୍ରସବୁ ସୂର୍ଯ୍ୟାଲୋକ ଉପସ୍ଥିତିରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ସହ ମାଟିରୁ ପାଣି, ଖଣିଜ ଲବଣ ନେଇ ପତ୍ରରେ ଖାଦ୍ୟ ତିଆରି କରନ୍ତି । ଏହି ପ୍ରକ୍ରିୟାରେ ପ୍ରକାରାନ୍ତରେ ବାୟୁମଣ୍ଡଳ ଆମର ଦୂଷିତରୁ ଶୁଦ୍ଧ ହୁଏ । ସଂସ୍କୃତି ଦୃଷ୍ଟିକୋଣରୁ ସେଥିପାଇଁ ଆମେ ଗଛ ଲଗାଉ, ଜଙ୍ଗଲର ସୁରକ୍ଷା ଇତ୍ୟାଦି କରୁ । ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ ମାଧ୍ୟମରେ ଅଙ୍ଗାର ବା ଇଂରାଜୀରେ କାର୍ବନ ଶୋଷିତ ହୋଇ ପତ୍ରଦ୍ୱାରା ଖାଦ୍ୟ ପ୍ରସ୍ତୁତିକୁ କାର୍ବନ ସଂଶ୍ଳେଷଣ କୁହାଯାଏ । ଆପଣ ଜାଣନ୍ତି, ୨୦୨୫ ମସିହାରେ ପୃଥିବୀର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ଗତ ୮ ଲକ୍ଷ ବର୍ଷ ମଧ୍ୟରେ ସର୍ବୋଚ୍ଚ ସୀମା ଅତିକ୍ରମ କରିଛି ? ତେଣୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ କମିବା ନିତାନ୍ତ ଜରୁରି, ନଚେତ୍ ଜଳବାୟୁର ପରାକ୍ରମ ଆହୁରି ଅଧିକ ଦେଖିବାକୁ ପଡ଼ିବ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ କମିବା ନିମନ୍ତେ ଚମକଦାର କଥା, କାର୍ବନ ସଂଶ୍ଳେଷଣକୁ କାର୍ବନ କ୍ରେଡିଟ ନାମକ ଏକ ମୁଦ୍ରା ସାହାଯ୍ୟରେ ବିଶ୍ୱ ବଜାରରେ ଆଜି ଦିନରେ ହାରାହାରି ଭାରତୀୟ ମୁଦ୍ରାରେ ୭୫ ଲକ୍ଷ କୋଟି ଟଙ୍କାର କିଣାବିକା ଚାଲିଛି ଏବଂ ଏଥିରେ ଆମ ତଳସ୍ତରର ବିଭିନ୍ନ ଗୋଷ୍ଠୀ ମଧ୍ୟ ସାମିଲ ହୋଇପାରିବେ, ଯଦିଓ ପ୍ରକ୍ରିୟାଟି ଜଟିଳ ।

ସରଳରେ, ବାୟୁମଣ୍ଡଳରୁ ଯେକୌଣସି ମାଧ୍ୟମରେ ଏକ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ଗ୍ୟାସ କିମ୍ବା ଏହାର ସମତୁଲକୁ ଶୋଷିନେବା କିମ୍ବା ନିର୍ଗମନକୁ ରୋକାଗଲେ ଏକ କାର୍ବନ କ୍ରେଡିଟ ହେବ । କାର୍ବନ କ୍ରେଡିଟ୍ ପରିବେଶ ସଂରକ୍ଷଣ, ପୁନରୁଦ୍ଧାର ଏବଂ ସ୍ଥାୟୀ ପରିଚାଳନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ମଧ୍ୟ।ସୂଚନାଯୋଗ୍ୟ, ଜଙ୍ଗଲ, ହେନ୍ତାଳବଣ, ଆର୍ଦ୍ରଭୂମି, ଘାସଭୂମି, ସମୁଦ୍ର ଘାସ ଆଦି ସମାନ ଭାବରେ କାର୍ବନକୁ ସଂଗୃହୀତ କରନ୍ତି ନାହିଁ ତଥା ସେମାନଙ୍କ ମୋଟ କାର୍ବନ ସଂରକ୍ଷଣ, ସ୍ଥାୟୀତ୍ୱ ଏବଂ ସ୍ଥିରତା ମଧ୍ୟ ଯଥେଷ୍ଟ ଭିନ୍ନ । କାର୍ବନ କ୍ରେଡିଟ୍ ବନୀକରଣ ଏବଂ ପୁନଃବନୀକରଣ, ଜଙ୍ଗଲ କ୍ଷୟର ରୋକ, ହେନ୍ତାଳବଣର ପୁନରୁଦ୍ଧାର, ଆର୍ଦ୍ରଭୂମି ସଂରକ୍ଷଣ, କୃଷି ବନୀକରଣ, ମୃତ୍ତିକାର ସଦୁପଯୋଗ, ସମୁଦ୍ରର ସନ୍ତସନ୍ତିଆ ଅଞ୍ଚଳ ତଥା ନବୀକରଣୀୟ ଶକ୍ତି କାର୍ଯ୍ୟକଳାପ ମାଧ୍ୟମରେ ମାଧ୍ୟମରେ ସୃଷ୍ଟି ହୁଏ । ଏଥିମଧ୍ୟରୁ ପ୍ରକୃତି-ଭିତ୍ତିକ କାର୍ବନ କ୍ରେଡିଟ୍କୁ ଅଧିକ ପସନ୍ଦ କରାଯାଉଛି କାରଣ ଏହା ଏକକାଳୀନ ଜୈବବିବିଧତା ସଂରକ୍ଷଣ, ଜୀବିକାର ଉନ୍ନତି, ଜଳବିଭାଜିକାର ସୁରକ୍ଷା ଏବଂ ଜଳବାୟୁର ସ୍ଥିରତା ପ୍ରଦାନ କରେ । କାର୍ବନ ସଂଶ୍ଳେଷଣ ପରିସଂସ୍ଥାନୀୟ ପ୍ରକାର, ବର୍ଷା, ତାପମାତ୍ରା, ମୃତ୍ତିକାର ଗୁଣବତ୍ତା, ଜଳବାୟୁ, ଉଦ୍ଭିଦର ବୟସ, ବିଗତ ଦିନର ବିଭ୍ରାଟ ଇତିହାସ ତଥା ପରିଚାଳନା ଆଦି ଉପରେ ନିର୍ଭର କରେ । ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ ପ୍ୟାନେଲର ଷଷ୍ଠ ମୂଲ୍ୟାଙ୍କନ ରିପୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛି ଯେ ସ୍ଥଳଜ ପରିସଂସ୍ଥାନ ମାଧ୍ୟମରେ ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ ଅପସାରଣ ସମ୍ଭବକୁ ୩୦ ୩୭% ଯୋଗଦାନ କରିପାରିବ । ଉଦାହରଣ ସ୍ୱରୂପ, ହେକ୍ଟର ପିଛା ବିଷୁବମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲ ସାଧାରଣତଃ ୫ ରୁ ୧୫ ଟନ୍, ହେନ୍ତାଳବନ ୬ ରୁ ୮ ଟନ କାର୍ବନ ସଂରକ୍ଷଣ କରିଥାଏ। ଭାରତ ୨୦୭୦ ମସିହା ସୁଦ୍ଧା ନେଟ୍-ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ହାସଲ କରିବାକୁ ସଂକଳ୍ପବଦ୍ଧ ତଥା ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦନ ମାଧ୍ୟମରେ ଅତିରିକ୍ତ ୨.୫ ରୁ ୩ ନିୟୁତ ଟନ୍ ଅଙ୍ଗାରକାମ୍ଳକୁ ଅବଶୋଷଣ କରିବାର ଲକ୍ଷ୍ୟ ରଖିଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରକୃତି-ଭିତ୍ତିକ କାର୍ବନ କ୍ରେଡିଟ୍ ପାଇଁ ଅସାଧାରଣ ସୁଯୋଗ ରହିଛି । ଶିମିଳିପାଳ ଜୈବମଣ୍ଡଳ, ଭିତରକନିକା ହେନ୍ତାଳବଣ, ଚିଲିକା ଭଳି ଆର୍ଦ୍ରଭୂମି, ସାତକୋଶିଆ ଗଣ୍ଡ, ପୂର୍ବଘାଟ ଜଙ୍ଗଲ ଓ ସର୍ବୋପରି ଗୋଷ୍ଠୀ-ପରିଚାଳିତ ଜଙ୍ଗଲ ରାଜ୍ୟର ଅଧିବାସୀମାନଙ୍କ ବ୍ୟାପକ ଜୀବିକା ବୃଦ୍ଧି, ଜୈବବିବିଧତା ସଂରକ୍ଷଣ ଏବଂ ଜଳବାୟୁ ଅନୁକୂଳନ ସହିତ କାର୍ବନ ସଂଶ୍ଳେଷଣ ସୁଯୋଗ ଯୋଗୁଁ ବିପୁଳ ଆର୍ଥିକ ସୁଯୋଗ ଦେଇଛି । ସାମୁଦାୟିକ ଅନୁଷ୍ଠାନର ଦୃଢ଼ତା ଯୋଗୁଁ ଗୋଷ୍ଠୀଭିତ୍ତିକ କାର୍ବନ ସଂରକ୍ଷଣରେ ଦେଶରେ ଏକ ପ୍ରମୁଖ ସ୍ଥାନ ନେଇପାରିବ । ଗ୍ରାମ ପଞ୍ଚାୟତ, ବନ ସୁରକ୍ଷା କମିଟି, ଯୁଗ୍ମ ବନ ପରିଚାଳନା କମିଟି, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ପରିବେଶ-ବିକାଶ କମିଟି ଏବଂ ଜୈବ ବିବିଧତା ପରିଚାଳନା କମିଟି ଆଦି ମିଳିତ ଭାବରେ କାର୍ବନ ପ୍ରକଳ୍ପ ଗୁଡ଼ିକର ବିକାଶ କରିପାରିବେ । ଏହି ପ୍ରୟାସଗୁଡ଼ିକୁ ଦେଶର ସମସ୍ତ କାର୍ଯ୍ୟକ୍ରମ ସହିତ ସମନ୍ୱିତ କରିବା ଦ୍ୱାରା ଜୀବିକା ନିର୍ବାହରେ ଉନ୍ନତି, ପରିବେଶ ପ୍ରଣାଳୀର ପୁନରୁଦ୍ଧାର ଏବଂ ଜଳବାୟୁର ସ୍ଥିରତାକୁ ସୁଦୃଢ଼ କରିବା ସହ ଜଳବାୟୁ ଭିତ୍ତିକ ଆର୍ଥିକ ସୁଯୋଗ ସୃଷ୍ଟି ହୋଇପାରିବ । ଗୋଟିଏ ଗାଁର ଉଦାହରଣ ନିଆଯାଉ । ଧରିନିଆଯାଉ ଓଡ଼ିଶାର ଗୋଟିଏ ବିଷୁବମଣ୍ଡଳୀୟ ପର୍ଣ୍ଣମୋଚୀ ଜଙ୍ଗଲରେ ଶାଳ, ପିଆଶାଳ, ଅସନ, କୁସୁମ, କେନ୍ଦୁ, ବାଉଁଶ ଆଦି ବୃକ୍ଷଥିବା ୫୦୦ ହେକ୍ଟର ଉଜୁଡ଼ା ଜଙ୍ଗଲର ବିଗତ ୨୫ ବର୍ଷ ଧରି ଗ୍ରାମବାସୀଙ୍କ ଦ୍ୱାରା ସୁରକ୍ଷା କରାଯାଉଛି ।

ବୃକ୍ଷମାନଙ୍କ ହାରାହାରି ଗୋଲେଇ ୬୫ ରୁ ୯୫ ସେଣ୍ଟିମିଟର ତଥା ଜଙ୍ଗଲ ଉପର ହାରାହାରି ୭୦% ସବୁଜିମାରେ ଭରା ଏବଂ ହେକ୍ଟର ପିଛା ୪୫୦ ରୁ ୬୫୦ ବୃକ୍ଷ ଉପସ୍ଥିତ ଅଛି । ମୃତ୍ତିକା ସ୍ଥିତି ମଧ୍ୟମରୁ ଭଲ ଏବଂ ବାର୍ଷିକ ବୃଷ୍ଟିପାତ ୧୨୦୦ ରୁ ୧୬୦୦ ମିଲିମିଟର । ତେବେ ଏହି ଜଙ୍ଗଲ ହାରାହାରି ହେକ୍ଟର ପିଛା ବାର୍ଷିକ ୮ ଟନ୍ ଶୋଷଣ କରିବା କ୍ଷମତାରେ ସମୁଦାୟ ୪୦୦୦ ଟନ ଅଙ୍ଗାରକାମ୍ଳ ସଂରକ୍ଷଣ କରିପାରିବ । ଯେହେତୁ ଗୋଟିଏ ଟନ କାର୍ବନ ଗୋଟିଏ କାର୍ବନ କ୍ରେଡିଟ ସହ ସମାନ ଏବଂ ଜଙ୍ଗଲରୁ ଉତ୍ପନ୍ନ ଗୋଟିଏ କାର୍ବନ କ୍ରେଡିଟକୁ ଅନ୍ତର୍ଜାତୀୟ ବଜାରରେ ୧୫ ଡଲାର ହିସାବରେ ବିକାଯାଇପାରିବ, ଭାରତୀୟ ମୁଦ୍ରା ହିସାବରେ ସେହି ଗ୍ରାମବାସୀ ବାର୍ଷିକ ୫୧ ଲକ୍ଷ ଟଙ୍କା ଆଦାୟ କରିପାରିବେ । ସୂଚନାଯୋଗ୍ୟ, ଏହି ହିସାବ ସେହି ଜଙ୍ଗଲରୁ ପତ୍ରଟିଏ ବି ନ ତୋଳି ସମ୍ଭବ ହୋଇପାରିବ । ବାକି ଜଙ୍ଗଲରୁ କ'ଣ ସବୁ ଆଦାୟ ହୁଏ, ଆପଣ ସହଜେ ଅବଗତ ଏବଂ ସେ ଆର୍ଥିକ ହିସାବ ଉପରୋକ୍ତ କଳନାର ବାହାରେ ।

ତେବେ, କାଗଜ କଲମରେ ଗଣିତ କଷିଦେବା ସହଜ । ଏହା ଅସମ୍ଭବ ନୁହଁ, ପ୍ରକୃତପକ୍ଷେ ବହୁତ ଜଟିଳ ଏବଂ ଆହ୍ୱାନ ଯୁକ୍ତ । ଅତି ନିଖୁଣ ଭାବରେ କାର୍ବନର ସଂଶ୍ଳେଷଣ ତଥା ଦୀର୍ଘକାଳୀନ ହିସାବ, କାର୍ବନ ସଂରକ୍ଷଣର ସ୍ଥାୟୀତ୍ୱ, ମିଥ୍ୟା ଦାବିରୁ ମୁକ୍ତି, ଗ୍ରାମଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ଉଚିତ୍ ଭାଗବଣ୍ଟା, ଯାଞ୍ଚରେ ସ୍ୱଚ୍ଛତା, ଜଳବାୟୁର ବିପଦ ଯଥା ଜଙ୍ଗଲ ନିଆଁ, ଘୂର୍ଣ୍ଣିଝଡ଼ ଏବଂ ମରୁଡ଼ି ଆଦିର ପ୍ରଭାବକୁ ବିଚାର କରାଯାଏ। ଯେହେତୁ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ବିକ୍ରିର ପ୍ରସ୍ତାବ ଥାଏ ତେଣୁ କାର୍ବନ କ୍ରେଡିଟ କ୍ରେତାମାନେ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ପ୍ରଣାଳୀ ଉପରେ ନିର୍ଭର କରନ୍ତି । ପ୍ରମାଣପତ୍ର ନିଶ୍ଚିତ କରେ ଯେ କାର୍ବନ କ୍ରେଡିଟ୍ ସ୍ୱଚ୍ଛ ଏବଂ କଠୋର ପଦ୍ଧତି ଅନୁଯାୟୀ ହୋଇଛି । କାର୍ବନ କ୍ରେଡିଟକୁ ଶିଳ୍ପ, ବିମାନ ସେବା, ସଫ୍ଟୱେୟାର କମ୍ପାନୀ, ସିମେଣ୍ଟ ପ୍ଲାଣ୍ଟ, ଇସ୍ପାତ ଶିଳ୍ପ, ତୈଳ କମ୍ପାନୀ, ଅନ୍ତର୍ଜାତୀୟ ନିଗମ, ସରକାର ଆଦି ଦେଶ ଓ ବିଦେଶରେ କିଣନ୍ତି ଯେହେତୁ ସେମାନେ ନିଜର କାର୍ଯ୍ୟକଳାପ ଯୋଗୁଁ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ କିମ୍ବା ସମତୁଲ ଜଳବାୟୁକୁ ପରିବର୍ତ୍ତନ କରୁଥିବା ବାଷ୍ପ ନିର୍ଗମନ କରନ୍ତି । ଏହା ଯୋଗୁଁ ଜଳବାୟୁର ପରିବର୍ତ୍ତନ ସହ କୁପରଣାମ ପୁରା ଜୀବଜନ୍ତୁ, ବୃକ୍ଷଲତା ଆଦି ଭୋଗିବା ସହ ପୃଥିବୀର ସୁରକ୍ଷା ମଧ୍ୟ ପ୍ରଶ୍ନବାଚୀ ହୋଇପଡେ ।

କାର୍ବନ କ୍ରେଡିଟ୍ ମୂଲ୍ୟ ମଧ୍ୟ ବଜାର ଚାହିଦା ଅନୁସାରେ ପରିବର୍ତ୍ତନଶୀଳ ହୁଏ । ଯେକୌଣସି ବଜାର ପରି, ଯୋଗାଣ ଏବଂ ଚାହିଦା ମଧ୍ୟରେ ସନ୍ତୁଳନ ଦ୍ୱାରା କାର୍ବନ କ୍ରେଡିଟ୍ର ମୂଲ୍ୟ ପ୍ରଭାବିତ ହୁଏ । କାର୍ବନ ବଜାରର ମୌଳିକ ନୀତି ହେଉଛି ଅତିରିକ୍ତତା । ପ୍ରକଳ୍ପଟିଏ ସେତେବେଳେ କାର୍ବନ କ୍ରେଡିଟ୍ ପାଇଁ ଯୋଗ୍ୟତା ହାସଲ କରେ ଯଦି ଏହା ଅଙ୍ଗାରକାମ୍ଳର ନିର୍ଗମନ ହ୍ରାସ କିମ୍ବା ବର୍ଜନ ପ୍ରଦାନ କରେ ଯାହା କାର୍ବନ ଫାଇନାନ୍ସ ବିନା ଘଟିନଥାନ୍ତା । ଉଦାହରଣ ସ୍ୱରୂପ,ଗୋଟିଏ ଉଜୁଡା ଜଙ୍ଗଲକୁ ପୁନଃସ୍ଥାପିତ କରିବା, ଯାହା ଅନ୍ୟଥା ସେପରି ଉନ୍ନତି ନ କରି ପଡ଼ିରହିଥାନ୍ତା ଏବଂ ସୁରକ୍ଷା ଯୋଗୁଁ ଜଙ୍ଗଲର ବୃଦ୍ଧି ସହ କାର୍ବନ ସଂଶ୍ଳେଷଣ ମଧ୍ୟ ହେଲା । ଜଙ୍ଗଲଟି ଯଦି ପୂର୍ବରୁ ଘଞ୍ଚଥାନ୍ତା ଏବଂ ଏହାର କୌଣସି ଉନ୍ନତି ପାଇଁ ପଦକ୍ଷେପର ଆବଶ୍ୟକତା ନଥାନ୍ତା, ତେବେ ଏହା କାର୍ବନ କ୍ରେଡିଟ ପାଇଁ ଉପଯୋଗୀ ନୁହଁ ।

ଦେଶ ସ୍ତରରେ ଗୋଷ୍ଠୀଭିତ୍ତିକ କାର୍ବନ କ୍ରେଡିଟ ପାଇଁ ଏକ ଜାତୀୟ ମିଶନ୍ର ଆବଶ୍ୟକତା ରହିଛି । ଭାରତ ଏକ ଜାତୀୟ ସାମୁଦାୟିକ କାର୍ବନ ମିଶନ୍ ପ୍ରତିଷ୍ଠା କରିପାରିବ, ଯାହା ଅଧୀନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗ୍ରାମ ସ୍ତରୀୟ କାର୍ବନ ବଜେଟ୍ ପ୍ରସ୍ତୁତ କରିବେ । ବାର୍ଷିକ କାର୍ବନ ସଂଶ୍ଳେଷଣ ସାଟେଲାଇଟ୍ ମାନଚିତ୍ର ଏବଂ କ୍ଷେତ୍ର ଯାଞ୍ଚ ବ୍ୟବହାର କରି ମାପ କରାଯିବ । କାର୍ବନ ସଂଶ୍ଳେଷଣରୁ ଉତ୍ପନ୍ନ ରାଜସ୍ୱ ସ୍ୱଚ୍ଛ ସାମୁଦାୟିକ ଅନୁଷ୍ଠାନ ମାଧ୍ୟମରେ ପ୍ରାପ୍ତହେବ । ଏପରି ଏକ କାର୍ଯ୍ୟକ୍ରମ ଜଳବାୟୁର ପ୍ରଭାବ ହ୍ରାସ ସହ ଗ୍ରାମୀଣ ବିକାଶ ସହିତ ତାଳ ଦେବ ତଥା ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ । ତତ୍ସହିତ ଜଙ୍ଗଲ, ଆର୍ଦ୍ରଭୂମି, ହେନ୍ତାଳବନ ଏବଂ କୃଷି ମୃତ୍ତିକାକୁ ସୁରକ୍ଷା ମଧ୍ୟ ଦେବ ।

ଯେହେତୁ ଗୋଷ୍ଠୀ ବନ ପରିଚାଳନାରେ ଆମ ଓଡ଼ିଶା ଦେଶରେ ଅଗ୍ରଣୀ, ସୁତରାଂ ଆମେ ଗୋଷ୍ଠୀଭିତ୍ତିକ କାର୍ବନ ମିଶନରେ ମଧ୍ୟ ସର୍ବାଗ୍ର ଭୂମିକା ନେବା ଉଚିତ୍ ମନେ ହେଉନାହିଁ କି?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।