ଓଡ଼ିଶା ହାତରୁ ଖସିଯାଇଛି ଶଙ୍ଖାମେଦି ଗାଁ,ଏସ୍ଆଇଆର୍ରେ ୨୭୨ ଭୋଟର୍ ପଶ୍ଚିମବଙ୍ଗରେ ପଞ୍ଜିକୃତ; ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ
ଚନ୍ଦନେଶ୍ୱର/ଭୋଗରାଇ,୦୯/୦୭: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନଳିଆ ପଞ୍ଚାୟତ ଅଧୀନ ଶଙ୍ଖାମେଦି ଗାଁ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗ କବ୍ଜାକୁ ଚାଲିଯାଇଛି । ଦୀର୍ଘ ବର୍ଷ ହେଲା ଏହି ଗାଁକୁ ନେଇ ଓଡ଼ିଶା ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗିରହିଥିଲା । ହେଲେ ଓଡ଼ିଶା ହାତରୁ ଏହି ଗାଁ ଖସିଯାଇଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ରେ ଗାଁର ୨୭୨ ଭୋଟର୍ ପଶ୍ଚିମବଙ୍ଗରେ ପଞ୍ଜିକୃତ ହୋଇଛନ୍ତି।
ଓଡ଼ିଶାର ଅନ୍ୟତମ ସୀମାନ୍ତ ଗାଁ ହେଉଛି ଶଙ୍ଖାମେଦି । ଏହି ଗାଁକୁ ନେଇ ୪ ଦଶନ୍ଧିରୁ ଅଧିକ ବର୍ଷ ହେଲା ବିବାଦ ଲାଗି ରହିଥିଲେ ମଧ୍ୟ ସରକାର କେବଳ ନିଦାବିଷ୍ଣୁ ପାଲଟିଥିଲେ । ୧୯୨୭-୨୮ରେ ଏହି ଗାଁଟି ଓଡ଼ିଶାର ଥିଲା । ମାତ୍ର ୧୯୮୪ ମେଜର୍ ସେଟଲମେଣ୍ଟ୍ରେ ଏହା ପଶ୍ଚିମବଙ୍ଗ ଅଧୀନକୁ ଚାଲିଯାଇଥିବା ଜଣାପଡ଼ିଛି । ହେଲେ ଏହି ଗାଁର ଭୋଟର୍ମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଧାନସଭା, ସାଧାରଣ ନିର୍ବାଚନରେ ଉଭୟ ରାଜ୍ୟରେ ମତଦାନ କରିଆସୁଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଗାଁକୁ ରାସ୍ତା, ସର୍ବଶିକ୍ଷା ଅଭିଯାନରେ ବିଦ୍ୟାଳୟ, ପାନୀୟ ଜଳ, ରାସନ କାର୍ଡ, ଭତ୍ତା ସହ ବିଭିନ୍ନ ସରକାରୀ ସୁବିଧା ମିଳୁଛି । ଅନ୍ୟପଟେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମଧ୍ୟ ଗ୍ରାମବାସୀ ବିଭିନ୍ନ ସୁବିଧା ସୁଯୋଗ ହାତେଇ ଚାଲିଛନ୍ତି । ତେବେ ପ୍ରଥମେ ପଶ୍ଚିମବଙ୍ଗରେ ଏସ୍ଆଇଆର୍ ହୋଇଥିବା ବେଳେ ଗାଁର ପ୍ରାୟ ସମସ୍ତ ଭୋଟର୍ ପଞ୍ଜିକୃତ ହୋଇଥିଲେ । ମାତ୍ର ଏକ ମାସ ପୂର୍ବରୁ ଭୋଗରାଇରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବିରୋଧ କରି କୌଣସି ସହଯୋଗ କରି ନ ଥିଲେ । ଏବେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଶଙ୍ଖାମେଦି ଗାଁର ୨୭୨ ଭୋଟର୍ ପଶ୍ଚିମବଙ୍ଗ ରାଜ୍ୟ ଅଧୀନରେ ଥିବା ସ୍ପଷ୍ଟ ହୋଇଛି ।
ଓଡ଼ିଶା ହାତରୁ ଏହି ଗାଁ ପଶ୍ଚିମବଙ୍ଗକୁ ଖସି ନ ଯାଉ ବୋଲି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଶାଣିତ ସ୍ୱର ଉଠାଇଛନ୍ତି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଭୋଗରାଇ ବିଧାୟକ ଶ୍ରୀ ଦାସ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମନ୍ତ୍ରୀ ଘଟଣାକୁ ଗୁରୁତ୍ୱ ଦେଇ ତତ୍କ୍ଷଣାତ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଏହାର ସମସ୍ତ ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏନେଇ ଖୁବ୍ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ତ୍ୱରିତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଦାସ ରାଜସ୍ୱ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ଅନ୍ୟପଟେ ଭୋଗରାଇ ତହସିଲଦାର ସୂର୍ଯ୍ୟକୁମାର ନାୟକଙ୍କୁ ପଚାରିବାରୁ, ଶଙ୍ଖାମେଦି ଓଡ଼ିଶାର ରାଜସ୍ୱ ଗାଁ ନୁହେଁ ବୋଲି କହିଛନ୍ତି । ୧୯୭୮ରୁ ଏହା ପଶ୍ଚିମବଙ୍ଗ ଅଧୀନକୁ ଚାଲିଯାଇଛି । ୧୯୭୨ରୁ ସେମାନେ ଆମକୁ ଖଜଣା ଦେଉନାହାନ୍ତି । ଏହି ଗାଁ ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗ ଅଧୀନରେ ରହିଥିଲେ ମଧ୍ୟ ଗାଁର ଅଧିକାଂଶ ଲୋକ ଉଭୟ ରାଜ୍ୟର ଭୋଟର୍ ପରିଚୟପତ୍ର ରଖିବା ସହ ଉଭୟ ରାଜ୍ୟର ନିର୍ବାଚନରେ ଭାଗ ନେଉଥିଲେ । କେବଳ ଭୋଟ୍ ସମୟରେ ଉଭୟ ରାଜ୍ୟରୁ କିଛି ସୁବିଧା ସୁଯୋଗ ନିଅନ୍ତି । ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ରେଭିନ୍ୟୁ ସମ୍ପର୍କିତ କୌଣସି ସୁବିଧା ଏହି ଗାଁକୁ ମିଳେନି ବୋଲି ଶ୍ରୀ ନାୟକ କହିଛନ୍ତି ।
ଏନେଇ ଭୋଗରାଇ ବିଧାୟକ ଶ୍ରୀ ଦାସ କହିଛନ୍ତି, ‘ଶଙ୍ଖାମେଦି’ ଓଡ଼ିଶାର । ଏହା ଆମ ହାତରୁ ଚାଲିଯାଉଛି । ଯାହା ଉଦ୍ବେଗର ବିଷୟ । ତେଣୁ ଏ ନେଇ ତଦନ୍ତ ହେଉ । ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯଦି ଦୀର୍ଘବର୍ଷ ହେଲା ଶଙ୍ଖାମେଦି ଗାଁ ପଶ୍ଚିମବଙ୍ଗ ଅଧୀନକୁ ଚାଲିଯାଇଛି, ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରାମବାସୀଙ୍କୁ ସରକାରୀ ଯୋଜନାର ସୁବିଧା କେମିତି ମିଳୁଥିଲା । ଭତ୍ତା, ରାସନ ପ୍ରଦାନ ବେଳେ କ’ଣ ଅଧିକାରୀ ଜାଣିନଥିଲେ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।