25 JULY 2026

Welcome!

Unlock your personalized experience.
Sign Up

ଓଡ଼ିଶା ଆୟକର ବିଭାଗ ପକ୍ଷରୁ ମହାସମାରୋହରେ ୧୬୭ତମ ଆୟକର ଦିବସ ପାଳିତ

Jul 24, 2026 - 21:05
ଓଡ଼ିଶା ଆୟକର ବିଭାଗ ପକ୍ଷରୁ ମହାସମାରୋହରେ ୧୬୭ତମ ଆୟକର ଦିବସ ପାଳିତ

ଭୁବନେଶ୍ୱର: ଭାରତରେ ୧୮୬୦ ମସିହା ଜୁଲାଇ ୨୪ ତାରିଖରେ ଆୟକର ବ୍ୟବସ୍ଥାର ଐତିହାସିକ ପ୍ରଚଳନକୁ ସ୍ମରଣ କରି ଶୁକ୍ରବାର ଦିନ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ୧୬୭ତମ ଆୟକର ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଭୁବନେଶ୍ୱର ଏଜି ଛକ ସ୍ଥିତ ଜୟଦେବ ଭବନ ଅଡିଟୋରିୟମଠାରେ ଆୟୋଜିତ ଏହି ମହାସମାରୋହରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଜେ. ବି. ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ଶରତ କୁମାର ପାତ୍ର ଏବଂ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ଉପସ୍ଥିତ ଥିବା ବେଳେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ (Pr. CCIT) ଡକ୍ଟର ଡି. ସୁଧାକର ରାଓ ଏଥିରେ ଅଧ୍ୟକ୍ଷତା କରିଥିଲେ ।

ଉପସ୍ଥିତ ଜନଗହଳିକୁ ଉଦ୍ବୋଧନ ଦେଇ ଅତିଥିମାନେ ଦେଶ ଗଠନରେ ଆୟକର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଦକ୍ଷ ଟିକସ ପ୍ରଶାସନ, ସ୍ୱେଚ୍ଛାକୃତ ଟିକସ ପ୍ରଦାନକୁ ପ୍ରୋତ୍ସାହନ ଏବଂ ଟିକସଦାତାଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ବିଭାଗର ସ୍ୱଚ୍ଛତା, ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଏବଂ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ଦିଗରେ ନିରନ୍ତର ଉଦ୍ୟମକୁ ସେମାନେ ଭୂୟସୀ ପ୍ରଶଂସା କରିଥିଲେ।

ଆୟକର ଦିବସ ଉପଲକ୍ଷେ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଫିଟନେସ୍, ଟିମ୍ ୱାର୍କ, ସୃଜନଶୀଳତା ତଥା ଟିକସର ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କୁଇଜ୍, ୱାକାଥନ୍ (Walkathon) ଏବଂ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାବ୍ୟତୀତ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରୁଥିବା ଏକ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଧାନ ମୁଖ୍ୟ ଆୟୁକ୍ତଙ୍କ ପ୍ରମାଣପତ୍ର (Certificate of Merit & Excellence) ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଆମନ୍ତ୍ରିତ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଶେଷରେ, ଓଡ଼ିଶା ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟର ଆୟକର ଆୟୁକ୍ତ (ପ୍ରଶାସନ) ଶ୍ରୀ ମୋହିତ ମୃଣାଳ ଧନ୍ୟବାଦ ଅର୍ପଣ କରିଥିଲେ। ସେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରତିଯୋଗୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଏହି ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସମାରୋହ ମାଧ୍ୟମରେ ସ୍ୱେଚ୍ଛାକୃତ ଟିକସ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଏକ ସ୍ୱଚ୍ଛ, ଦକ୍ଷ ତଥା ଟିକସଦାତା-ଅନୁକୂଳ ପ୍ରଶାସନ ଗଠନ ପାଇଁ ଆୟକର ବିଭାଗ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।