ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ , ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ
ବାଲେଶ୍ବର, ୧୪।୭ : ବାଲେଶ୍ଵର ସଦର ଥାନା ଅନ୍ତର୍ଗତ ରସାଳପୁର ଛକରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ । ବନ୍ଧୁକ ଦେଖାଇ ଗ୍ରାହକ ଓ କର୍ମଚାରୀଙ୍କୁ ଭୟଭୀତ କରାଇ କାଉଣ୍ଟରରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ମଙ୍ଗଳବାର ଅପରାହ୍ନରେ ୩ଟି ବାଇକରେ ମୋଟ ୬ ଜଣ ଲୁଟେରା ଆସିଥିବା ବେଳେ ୨ ଜଣ ବାହାରେ ଜଗି ରହିଥିଲେ ଏବଂ ୪ ଜଣ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରି ଆତଙ୍କ ଖେଳାଇଥିଲେ। ବ୍ୟାଙ୍କ ଭିତରକୁ ପଶି ସେମାନେ ପ୍ରଥମେ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କ ମୋବାଇଲ୍ ଫୋନ୍ ଜବତ କରି ଏକ ସ୍ଥାନରେ ରଖିବାକୁ ଧମକ ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଏକ କଟର ସାହାଯ୍ୟରେ କାଟି ନେଇଯାଇଥିଲେ। ଏହାପରେ ଲୁଟେରାମାନେ ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଷ୍ଟ୍ରଙ୍ଗ ରୁମ୍ ବା କ୍ୟାସ୍ ରୁମ୍ର ଚାବି ମାଗିବା ସହ ତାଙ୍କୁ ଆକ୍ରମଣ କରିଥିଲେ, ଯାହାଫଳରେ ମ୍ୟାନେଜରଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ସେ ଗୁରୁତର ଆହତ ହୋଇଛନ୍ତି। ଏହି ସମୟରେ ବ୍ୟାଙ୍କ କର୍ମଚାରୀ କୌଶଳକ୍ରମେ ଜରୁରୀକାଳୀନ ସାଇରେନ୍ ବଜାଇ ଦେଇଥିଲେ, ଯାହାର ଜୋରଦାର ଶବ୍ଦ ଶୁଣି ଲୁଟେରାମାନେ ଭୟଭୀତ ହୋଇପଡ଼ିଥିଲେ। ବ୍ୟାଙ୍କର ପିଅନ ମଧ୍ୟ ଜଣେ ଲୁଟେରାକୁ ଅଟକାଇବା ପାଇଁ ପାଣି ବୋତଲ ଫିଙ୍ଗିଥିଲେ, ଯାହା ତାର ହେଲମେଟ୍ରେ ବାଜିଥିଲା। ଶେଷରେ ଧରାପଡ଼ିବା ଭୟରେ ଲୁଟେରାମାନେ କାଉଣ୍ଟରରେ ଥିବା ଲକ୍ଷାଧିକ ଟଙ୍କା ଧରି ବାହାରକୁ ଆସି ବାଇକ୍ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ।
ଆହତ ବ୍ୟାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ, ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। ବ୍ୟାଙ୍କରୁ ମୋଟ କେତେ ପରିମାଣର ଟଙ୍କା ଏବଂ ସୁନା ଅଳଙ୍କାର ଲୁଟ୍ ହୋଇଛି, ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ତରଫରୁ ହିସାବ ଚାଲିଥିବାରୁ ଏହାର ସଠିକ୍ ଆକଳନ ଏପର୍ଯ୍ୟନ୍ତ ହୋଇପାରିନାହିଁ।
ଆହୁରି ପଢନ୍ତୁ : ରାଜ୍ୟ କ୍ୟାବିନେଟରେ ୧୩ ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ନିଆଗଲା ବଡ ନିଷ୍ପତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।