ଏହି ରାଶିର ବ୍ୟକ୍ତିଙ୍କ ଆୟ ଠାରୁ ବ୍ୟୟ ଅଧିକ ହେବ
ମେଷ : ନବମ ଚନ୍ଦ୍ର, ମଙ୍ଗଳବାର ଓ ଅପରାହ୍ଣ ୧ଟା ୧୧ ମିନିଟ୍ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା, ଜନ ସମ୍ପର୍କ ବୃଦ୍ଧି ପାଇବ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଭାଗ୍ୟ, କର୍ମ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ନୂତନ କର୍ମାରମ୍ଭ, ବ୍ୟବସାୟାରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ । ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟାରେ ରହିବେ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ର୍ରୟ କରିବେ । କର୍ମରେ ସଫଳତା ଓ ପଦୋନ୍ନତି ମିଳିପାରେ । ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ ।
ବୃଷ : ଅଷ୍ଟମ ଚନ୍ଦ୍ର ମଙ୍ଗଳବାର ଚତୁର୍ଦ୍ଦଶୀ ତିଥି ଓ ବିଷକୁମ୍ଭ ଯୋଗ ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ଉଚ୍ଚସ୍ଥାନ ଆରୋହଣ ଏବଂ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ପରିବାରରେ ଅଶାନ୍ତିର ବାତାବରଣ ରହିବ ଏବଂ ସ୍ୱଜନ, ପରିଜନଙ୍କ ସହ ବିବାଦ ଦେଖାଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୪, ଆରାଧନା : ଭଗବାନ ବିଷ୍ଣୁ ।
ମିଥୁନ : ସପ୍ତମ ଚନ୍ଦ୍ର, ଅପରାହ୍ଣ ୧ଟା ୧୧ ମିନିଟ୍ ପର୍ଯ୍ୟନ୍ତ ଶୁକ୍ରଙ୍କର ନକ୍ଷତ୍ର ଭୋଗ ହେଉଥିବାରୁ ମାନସିକ, ପାରିବାରିକ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଏବଂ ପୁତ୍ର, କନ୍ୟା, ଭ୍ରାତୃ, ଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ । ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆମୋଦପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ପୁନର୍ବସୁ ମିଥୁନ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୧୨, ଆରାଧନା : ମା’ ଛିନ୍ନମସ୍ତା ।
କର୍କଟ : ଷଷ୍ଠ ଚନ୍ଦ୍ର, ମଙ୍ଗଳବାର ଓ ଅପରାହ୍ଣ ୧ଟା ୧୧ ମିନିଟ୍ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ ଏବଂ ଦେହ, ମନ ସୁସ୍ଥ ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ସ୍ୱଜନ, ପରିଜନଙ୍କ ସାହାଯ୍ୟ, ସହଯୋଗ ମିଳିବ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଋଣମୁକ୍ତି ହେବାର ସୁଯୋଗ ଜୁଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ କୃପାଲାଭ କରିବେ । ଯେଉଁମାନଙ୍କର ପୁନର୍ବସୁ ଓ ପୁଷ୍ୟା କର୍କଟ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଧଳା, ସଂଖ୍ୟା : ୫, ଆରାଧନା : ଭଗବାନ ଶିବ ।
ସିଂହ : ପଞ୍ଚମ ଚନ୍ଦ୍ର, ମଙ୍ଗଳବାର ଓ ଅପରାହ୍ଣ ୧ଟା ୧୧ ମିନିଟ୍ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ପଦସ୍ଥ ଅଧିକାରୀଙ୍କ କୃପାଲାଭ କରିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ବିକାଶ ଘଟିବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ଓ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଗୋଲାପୀ, ସଂଖ୍ୟା : ୩, ଆରାଧନା : ମା’ ମାତଙ୍ଗୀ ।
କନ୍ୟା : ଚତୁର୍ଥ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିବେ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ଅନ୍ୟଠାରୁ ଆଣିଥିବା ଧନ ଫେରେଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ । ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ ଏବଂ ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : କଫି, ସଂଖ୍ୟା : ୦୮, ଆରାଧନା : ମା’ ଛିନ୍ନମସ୍ତା ।
ତୁଳା : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ଭାଇଭଉଣୀଙ୍କ ସହ କଥାବାର୍ତ୍ତା ବେଳେ ବାକ୍ ସଂଯମତା ରକ୍ଷା କରିବେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ ଏବଂ ଭାଇଭଉଣୀଙ୍କ ସହ ବିବାଦ ଉଗ୍ରରୂପ ଧାରଣ କରିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା, ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଚିତ୍ରା ତୁଳା, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୬, ଆରାଧନା : ମା’ କମଳା ।
ବିଛା : ଶୁକ୍ଳପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଖର୍ଚ୍ଚ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବେ ଏବଂ ଆୟର ସିଂହଭାଗ କୌଣସି ଆର୍ଥିକ ସଂସ୍ଥାରେ ସ୍ଥାୟୀ ଜମା ରଖିବେ । ଆର୍ଥିକ ସ୍ଥିତିରେ ଉନ୍ନତି, ବ୍ୟବସାୟରେ ପ୍ରଗତି ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ । କର୍ମରେ ସଫଳତା ମିଳିଲେ ମଧ୍ୟ ଚତୁର୍ଦ୍ଦଶୀ ତିଥି ଯୋଗୁ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ମିଳିବ ନାହିଁ । ଯେଉଁମାନଙ୍କର ବିଶାଖା ଓ ଅନୁରାଧା ବିଛା, ସେମାନେ ସୁଫଳ ପାଇବେ ।
ଶୁଭ ରଙ୍ଗ : ଲାଲ୍, ସଂଖ୍ୟା : ୧୧, ଆରାଧନା : ମା’ ବଗଳାମୁଖୀ ।
ଧନୁ : ଶ୍ରୀଚନ୍ଦ୍ର, ମଙ୍ଗଳବାର ଯୋଗୁ ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଆମୋଦପ୍ରମୋଦରେ ଅଧିକ ଧନ ବ୍ୟୟ କରିବେ । ସମସ୍ତ ଆଶା, ଆକାଂକ୍ଷା, ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଈପ୍ସିତ ପଦାର୍ଥ ହାତପାଆନ୍ତାରେ ଉପଲବ୍ଧ ହେବ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ଚାଲିଚଳନ, ବ୍ୟବହାର ମାର୍ଜିତ ହେବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଅତୁଟ ରହିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
ମକର : ଶୁକ୍ଳପକ୍ଷର ଦ୍ୱାଦଶ ଚନ୍ଦ୍ର ଘାତବାର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ ଏବଂ ଏକାକୀ ଦୂରଯାତ୍ରା କରିବେ ନାହିଁ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା, ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଖର୍ଚ୍ଚଭାରରେ ଅତିଷ୍ଠ ହୋଇ ଋଣଗ୍ରସ୍ତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଦ୍ୱିଗୁଣ ହେବ । କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ବିମଳା ।
କୁମ୍ଭ : ଘାତଚନ୍ଦ୍ର ଯୋଗୁ ଆୟ ୫ଟଙ୍କା ହେଲେ ବ୍ୟୟ ୨୫ ଟଙ୍କା ହେବ ଏବଂ ଅଯଥା ଖର୍ଚ୍ଚ, ବଦ୍ଖର୍ଚ୍ଚ, ପରିବରର ଖର୍ଚ୍ଚଭାର ବୃଦ୍ଧି ପାଇବ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିବେ ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ଅପବ୍ୟୟ, ଅପବାଦ, ଅପଯଶର ଶିକାର ହେବେ ଏବଂ ଆର୍ଥିକ ସ୍ଥିତିରେ ବିପର୍ଯ୍ୟୟ ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ସମସ୍ତ କର୍ମ ବିବାଦୀୟ ହେବ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ, ସେମାନେ ସତର୍କ ହେବେ ।
ଶୁଭ ରଙ୍ଗ : କଫି, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।
ମୀନ : ଦଶମ ଚନ୍ଦ୍ର, ମଙ୍ଗଳବାର ଓ ଅପରାହ୍ଣ ୧ଟା ୧୧ ମିନିଟ୍ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ କର୍ମରେ ଉନ୍ନତି, ନୂତନ କର୍ମାରମ୍ଭର ସୁଯୋଗ ଜୁଟିବ । ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ । ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ବ୍ୟବସାୟ କର୍ମରେ କୌଣସି ଦୂରସ୍ଥାନର ଯାତ୍ରା କରିବେ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଯୋଜନା କରିବେ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।
ଜ୍ୟୋତିର୍ବିଦ୍: କୈଳାସ ଦାଶ
ଯୋଗାଯୋଗ.: ୯୪୩୭୧୩୩୪୭୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।