ଇତିହାସ ରଚିବ ଦେଶର ସବୁଠୁ ବଡ଼ ପ୍ରୋଜେକ୍ଟ; ବୁର୍ଜ ଖଲିଫାକୁ ପଛରେ ପକାଇଲା ଏହି ମେଗା ପ୍ରକଳ୍ପ, ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ !

Jul 04, 2026 - 12:09
ଇତିହାସ ରଚିବ ଦେଶର ସବୁଠୁ ବଡ଼ ପ୍ରୋଜେକ୍ଟ; ବୁର୍ଜ ଖଲିଫାକୁ ପଛରେ ପକାଇଲା ଏହି ମେଗା ପ୍ରକଳ୍ପ, ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ !
ରାଜସ୍ଥାନ, ୪।୭: ରାଜସ୍ଥାନର ବାଲୋତ୍ରା ଜିଲ୍ଲା ପଚପଦ୍ରାଠାରେ ନିର୍ମିତ 'ଏଚପିସିଏଲ୍ ରାଜସ୍ଥାନ ରିଫାଇନାରୀ' (HRRL) କେବଳ ଦେଶର ଶକ୍ତି ଆବଶ୍ୟକତାକୁ ପୂରଣ କରିବ ନାହିଁ, ବରଂ ଏହା ଆଧୁନିକ ଇଞ୍ଜିନିୟରିଂ ଏବଂ ନିର୍ମାଣ ଶୈଳୀର ଏକ ଅନନ୍ୟ ଉଦାହରଣ ପାଲଟିଛି । ପ୍ରାୟ ୭୯,୪୫୯ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶରେ ପ୍ରସ୍ତୁତ ଏହି ମେଗା ପ୍ରୋଜେକ୍ଟକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବାକୁ ଯାଉଛନ୍ତି । ଏହି ବିଶାଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମସ୍ତଙ୍କୁ ଚକିତ କଲାଭଳି ହୋଇଛି । ପ୍ରୋଜେକ୍ଟ ନିର୍ମାଣ ସମୟରେ ପ୍ରାୟ ୧.୫ କୋଟି ଘନ ମିଟର ମାଟି କଢ଼ାଯାଇଛି, ଯାହା ପ୍ରାୟ ୧୫ ହଜାର ଅଲିମ୍ପିକ୍ ଆକାରର ସ୍ୱିମିଂ ପୁଲ୍ ଭରିବା ସହ ସମାନ । ସରକାରୀ ତଥ୍ୟ ଅନୁସାରେ, ଏହି ଖୋଦେଇ ଇଜିପ୍ଟର ପ୍ରସିଦ୍ଧ 'ଗିଜାର ପିରାମିଡ୍' ନିର୍ମାଣଠାରୁ ପ୍ରାୟ ୬ ଗୁଣ ଅଧିକ । ଏଥିରେ ୧୬ ଲକ୍ଷ ଘନ ମିଟର କଂକ୍ରିଟ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା 'ବୁର୍ଜ ଖଲିଫା' ନିର୍ମାଣରେ ଲାଗିଥିବା କଂକ୍ରିଟ୍ ଠାରୁ ପ୍ରାୟ ୫ ଗୁଣ ଅଧିକ । ପ୍ରାୟ ୩ ଲକ୍ଷ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହାର ହୋଇଛି, ଯାହା ଆଇଫେଲ୍ ଟାୱାରର ୪୦ ଗୁଣା । ସେହିପରି ପୂରା ପରିସରରେ ୨୮ ହଜାର କିଲୋମିଟର ଲମ୍ବର କେବୁଲ୍ ବିଛାଯାଇଛି, ଯାହା ପୃଥିବୀର ବ୍ୟାସଠାରୁ ଦୁଇ ଗୁଣରୁ ଅଧିକ । ରିଫାଇନାରୀରେ ନିର୍ମିତ ୧୨୫ ମିଟର ଉଚ୍ଚ 'କୋକ୍ ଡୋମ୍' ଏହାର ସବୁଠାରୁ ବଡ଼ ଆକର୍ଷଣ, ଯାହା ପ୍ରସିଦ୍ଧ ଗୋଲ ଗୁମ୍ବଜଠାରୁ ପ୍ରାୟ ତିନି ଗୁଣ ବଡ଼ । ଏହା ବି ପଢ଼ନ୍ତୁ... Ram Mandir Donation Theft Case: ରାମ ମନ୍ଦିର ଚୋରି ମାମଲାରେ ସାଂଘାତିକ ସତ, ସିସିଟିଭି ଫୁଟେଜ୍ ଡିଲିଟ୍ କରିବାକୁ ହୋଇଥିଲା ମାଷ୍ଟରପ୍ଲାନ ! ରୋଜଗାର ଓ ଶିଳ୍ପ କ୍ଷେତ୍ରରେ ନୂଆ ବିପ୍ଳବ: ଏହି ପ୍ରକଳ୍ପ ଦ୍ୱାରା ନିର୍ମାଣ କାର୍ଯ୍ୟ ସମୟରେ ପ୍ରାୟ ୩୫ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ରୋଜଗାର ମିଳିଥିବା ବେଳେ ପରିବହନ, ମେସିନାରୀ ଓ ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ ପରୋକ୍ଷ ରୋଜଗାର ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପଶ୍ଚିମ ରାଜସ୍ଥାନରେ ପେଟ୍ରୋକେମିକାଲ୍ ଏବଂ ପ୍ଲାଷ୍ଟିକ୍ ଶିଳ୍ପର ଏକ ନୂଆ ଇକୋସିଷ୍ଟମ୍ ଗଢ଼ିଉଠିବ । ଏହାଦ୍ୱାରା MSME, ପ୍ୟାକେଜିଂ, ଟେକ୍ସଟାଇଲ୍, ଅଟୋ ପାର୍ଟସ୍ ଏବଂ ଏଗ୍ରି-ଫିଲ୍ମସ୍ ଭଳି ଶିଳ୍ପଗୁଡ଼ିକୁ ବଡ଼ ପ୍ରୋତ୍ସାହନ ମିଳିବ । ଅନ୍ୟପଟେ, ଏହି ବହୁ ପ୍ରତୀକ୍ଷିତ ରିଫାଇନାରୀର ଉଦଘାଟନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମ ସ୍ଥଳରେ ପ୍ରବଳ ଝଡ଼-ତୋଫାନ ଯୋଗୁଁ ସମସ୍ତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେଠାରେ ଲାଗିଥିବା ଅନେକ ବଡ଼ ବଡ଼ ହୋର୍ଡିଂ ଏବଂ ବ୍ୟାନର ଭାଙ୍ଗି ନଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ୨୧ ତାରିଖରେ ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା, ମାତ୍ର ରିଫାଇନାରୀ ପରିସରରେ ନିଆଁ ଲାଗିଯିବା କାରଣରୁ ତାହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ତେବେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁଣି ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଉଛି ।