ଆହ୍ୱାନ- ମା’ ରମାଦେବୀଙ୍କର
"ସମସ୍ତେ ଦେଶକୁ ବଡ଼ କରିବା ପାଇଁ ଚିନ୍ତା କଲେ ଓ କାମ କଲେ ଯାଇ ଦେଶ ବଡ଼ ହେବ । ମୁଁ ବଡ଼ ହେବି, ମୁଁ ସମ୍ମାନିତ ହେବି ଭାବିଲେ ମୁଁ ମଧ୍ୟ ବଡ଼ ହୋଇପାରିବି ନାହିଁ । ଦେଶକୁ ବଡ଼ କରିବା ପାଇଁ କାମ କଲେ ମୁଁ ବି ବଡ଼ ହେବି । ମୁଁ ଦେଶର କଲ୍ୟାଣରେ ଲାଗିଲେ ମୋର ବି କଲ୍ୟାଣ ହେବ । ଜାଣି ରଖନ୍ତୁ- ଦେଶ ସମ୍ମାନ ନପାଇଲେ ବ୍ୟକ୍ତି ସମ୍ମାନ ପାଇପାରେନାହିଁ । ଏଥିପାଇଁ ଆପଣମାନେ ଭାବନ୍ତୁ ଓ ପିଲାମାନଙ୍କୁ ମଧ୍ୟ ଏହି ଶିକ୍ଷା ଦିଅନ୍ତୁ ଯେ ଆଗ ଦେଶ, ପଛେ ମୁଁ । ଦେଶକୁ ବଡ଼ କରିବା, ଦେଶ ମାତୃକାର ସେବା କରିବା ପ୍ରତ୍ୟେକଙ୍କର ପରମ ଧର୍ମ'- ଲବଣ ସତ୍ୟାଗ୍ରହର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଇଞ୍ଚୁଡ଼ିଠାରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଏକଥା କହିଥିଲେ ମା' ରମାଦେବୀ ।
୧୮୯୯ ଡିସେମ୍ବର ୩ ତାରିଖରେ ମା' ରମାଦେବୀଙ୍କ ଜନ୍ମ । ତାଙ୍କ ବାପା-ମା' ହେଲେ ଗୋପାଳ ବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀ । ଉତ୍କଳ ଗୌରବ ମଧୁସୂଦନ ହେଉଛନ୍ତି ରମାଦେବୀଙ୍କ ନିଜ ବଡ଼ବାପା । ଗୋକୁଳାନନ୍ଦ ଚୌଧୁରୀଙ୍କ ସୁପୁତ୍ର ଗୋପବନ୍ଧୁ ଚୌଧୁରୀଙ୍କୁ ସେ ବିବାହ କରିଥିଲେ ମାତ୍ର ୧୪ବର୍ଷ ବୟସରେ । ୧୯୨୧ରେ ଗୋପବନ୍ଧୁ ଚୌଧୁରୀ ସମ୍ମାନଜନକ ଡେପୁଟି ମାଜିଷ୍ଟ୍ରେଟ ଚାକିରିରୁ ଇସ୍ତଫା ଦେଇ ଗାନ୍ଧୀଙ୍କ ବାଟରେ ଚାଲିଲେ । ଏହି ଯାତ୍ରାରେ ତାଙ୍କର ସହଯାତ୍ରୀ ଥିଲେ ପତ୍ନୀ ରମାଦେବୀ । ୧୯୨୧ ମାର୍ଚ୍ଚ ମାସରେ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତରେ କଟକ ଅନୁଷ୍ଠିତ ଏକ ମହିଳା ସମାବେଶରେ ମା' ରମାଦେବୀ ତାଙ୍କୁ ଭେଟି ନିଜ ହାତକଟା ସୂତା ମୋଡ଼ାଟିଏ ଭେଟି ଦେଇଥିଲେ । ସେହିଦିନୁ ତାଙ୍କ ଜୀବନର ମୋଡ଼ ବଦଳିଗଲା ଏବଂ ୧୯୮୫ ଜୁଲାଇ ୨୨ରେ ଇହଲୀଳା ସମ୍ବରଣ କରିବା ପର୍ଯ୍ୟନ୍ତ ତାଙ୍କ ଚିନ୍ତା ଓ ଚେତନାରେ ଗାନ୍ଧୀ ହିଁ ଛାଇ ହୋଇ ରହିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ମା' ରମାଦେବୀ ସପରିବାର ବାରମ୍ବାର କାରାବରଣ କରିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ଦ୍ୱାରା ଆକର୍ଷିତ ହୋଇ ଅନେକ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମୁକ୍ତିଯଜ୍ଞରେ ଝାସ ଦେଇଛନ୍ତି । ଓଡ଼ିଶାରେ ଗାନ୍ଧୀଜୀଙ୍କ ପଦଯାତ୍ରା, ବେରବୋଇରେ ସେବା ସଂଘ ଅଧିବେଶନ ଆଦି କାର୍ଯ୍ୟକ୍ରମରେ ସେ ଥିଲେ ଅନ୍ୟତମ ସଂଚାଳିକା । ସେବାଗ୍ରାମରେ ତାଙ୍କ ରହଣି କଥା ଗାନ୍ଧୀ ବୁଝୁଥିଲେ ଓ କସ୍ତୁରବା ତାଙ୍କୁ ଝିଅ ଭଳି ସ୍ନେହ କରୁଥିଲେ । ହରିଜନ ସେବକ ସଂଘ, କସ୍ତୂରବା ଗାନ୍ଧୀ ସ୍ମାରକ ନିଧି ଆଦି ସଂଗଠନର ପ୍ରମୁଖ ଦାୟିତ୍ୱ ନିଜେ ଗାନ୍ଧୀଜୀ ମା' ରମାଦେବୀଙ୍କୁ ଦେଇଥିଲେ ।
ଅସହଯୋଗ ଆନ୍ଦୋଳନରେ ଝାସ ଦେଇଥିବାରୁ ମା' ରମାଦେବୀ ତାଙ୍କ ପୁଅ ଓ ଝିଅଙ୍କୁ ସରକାରୀ ସ୍କୁଲ ପାଠପଢ଼ାରୁ ବଞ୍ଚିତ କରିଥିଲେ ମଧ୍ୟ ସେମାନେ ସ୍ୱଧ୍ୟାୟ ଓ ସାଧନା ବଳରେ କେବଳ ସ୍ୱାଧୀନତା ସଂଗ୍ରାମ କି ରଚନାତ୍ମକ କାର୍ଯ୍ୟକ୍ରମ ନୁହେଁ, ସାହିତ୍ୟ, ସଂସ୍କୃତି, ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରମାଣିତ କରିଯାଇଛନ୍ତି । ୧୯୩୪ ମଇ ୯ ତାରିଖରେ ଗାନ୍ଧୀଜୀ ପୁରୀରୁ ତାଙ୍କର ଐତିହାସିକ ହରିଜନ ପଦଯାତ୍ରା ଆରମ୍ଭ କଲାବେଳେ ପାଖରେ ଚାଲୁଥିଲେ ମା' ରମାଦେବୀ । ପଦଯାତ୍ରା ପରେ ୧୯୩୪ ଅଗଷ୍ଟ ମାସରେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ବରୀକୁ ସେମାନଙ୍କ କାର୍ଯ୍ୟକ୍ଷେତ୍ର ଭାବେ ବାଛିନେଇ ତିଆରି କଲେ ଏକ ଆଶ୍ରମ । ଗାନ୍ଧୀଜୀ ତାହାର ନାମ ରଖିଲେ ସେବାଘର । ବଖୁରିକିଆ ଚାଳଘରେ ଚାଲୁଥିଲା ଏହି ଆଶ୍ରମ । ମୂଲିଆ ମୂଲିଆଣୀଙ୍କ ଭଳି ଗୋପବାବୁ ଓ ରମାଦେବୀ ବିଲରେ କାମ କରୁଥିଲେ । ଏହାରି ଭିତରେ ବରୀ ପାଲଟିଗଲା ସ୍ୱାଧୀନତା ସଂଗ୍ରାମୀ ଓ ରଚନାତ୍ମକ କର୍ମୀ ତିଆରି କାରଖାନାରେ । ଯାହାର ପ୍ରତିଫଳନ ୧୯୪୨ର ଭାରତ ଛାଡ଼ ଆନ୍ଦୋଳନ, ସ୍ୱାଧୀନୋତ୍ତର ଭାରତବର୍ଷରେ ଭୂଦାନ ଆନ୍ଦୋଳନ ଓ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ବେଳେ ଦେଖାଦେଇଥିଲା । ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମା' ରମାଦେବୀଙ୍କ ବାର୍ତ୍ତା ହେଉଛି- ଶିକ୍ଷକମାନେ ମନେରଖନ୍ତୁ ଯେ ସେହିମାନଙ୍କ ଛାତ୍ରଙ୍କ ମଧ୍ୟରୁ ଦେଶକୁ ଶାସନ କରିବାର ଲୋକ ବାହାରିବେ । ତେଣୁ ସେମାନଙ୍କୁ ପିଲାଦିନୁ ଭଲଭାବରେ ଗଢ଼ିବା ଦରକାର । କଠୋର ଶ୍ରମର, ଅକୁଣ୍ଠିତ ସେବାର ଓ ଗଭୀର ଜ୍ଞାନର ମହତ୍ତ୍ୱ ଶିକ୍ଷକମାନେ ଛାତ୍ରମାନଙ୍କୁ ବୁଝାଇବେ । ତାହାଫଳରେ ଶ୍ରମ, ସେବା, ଜ୍ଞାନର ମୂଳଦୁଆ ଉପରେ ଆମ ଦେଶର ନୂଆ ସମାଜ ଗଢ଼ା ହୋଇପାରିବ ।
ମା' ରମାଦେବୀଙ୍କ ମତରେ ପ୍ରକୃତ ନେତା ଭୋଟ ମାଗେନାହିଁ । ନେତା ଲୋକଙ୍କ କଥାରେ, ଲୋକଙ୍କ ମର୍ଜିରେ ଚାଲେନାହିଁ । ଲୋକଙ୍କର କଲ୍ୟାଣ ପାଇଁ ଲୋକଙ୍କୁ ଅପ୍ରିୟବୋଧ ହେଉଥିବା କଥା ମଧ୍ୟ ନେତା କହେ । ତେଣୁ ମନ୍ତ୍ରୀମାନେ ନେତା ହୋଇନପାରନ୍ତି । କାରଣ, ମନ୍ତ୍ରୀ ଲୋକଙ୍କ ମଧ୍ୟରେ ଥିବା ଦୋଷ ଦୁର୍ବଳତା ଦୂର କରିବା ପାଇଁ ଦୃଢ଼ତାର ସହିତ ଲୋକମତର ବିରୋଧ କରିପାରନ୍ତି ନାହିଁ । ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନତା ପ୍ରାପ୍ତିର ସୁଖ ନ’ ମନାଇ ଉପବାସ ଓ ମନସ୍ତାପ ଭିତରେ ମୌନତାର ସହ ଗାନ୍ଧୀ କଲିକତାର ବେଲିଆଘାଟ ଅଞ୍ଚଳରେ କାଟିଥିଲେ ବିନିଦ୍ର ରଜନୀ । ସେଦିନ ବି ବରୀରେ ମା' ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ଉପବାସରେ ରହିଥିଲେ । ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଓ ଲକ୍ଷ ଲକ୍ଷଙ୍କ କାରା ଓ ନିର୍ଯାତନା ବରଣ ପରିପ୍ରେକ୍ଷୀରେ ଯେଉଁ ସ୍ୱାଧୀନତା ଆସିଛି ତାହା ସେମାନଙ୍କ କଳ୍ପିତ ସ୍ୱରାଜ ନୁହେଁ ଏବଂ ବାସ୍ତବ ସ୍ୱରାଜ ହାସଲ ଲାଗି ପୁଣି ଲମ୍ବା ଲଢ଼େଇ ଲଢ଼ିବାକୁ ସେତେବେଳେ ଗାନ୍ଧୀଜୀ ଯେଉଁ ଆହ୍ୱାନ ଦେଇଥିଲେ ତାହାର ଅନୁପାଳନ ଲାଗି ମା' ରମାଦେବୀ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ କାମ କରିଯାଇଛନ୍ତି । ଏମିତିକି ସ୍ୱାଧୀନୋତ୍ତର ଭାରତରେ ସାଧାରଣ ଲୋକଙ୍କ ପାଇଁ ଓ ଦେଶମାତୃକା ଲାଗି ସ୍ୱର ଉଠାଇ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ଜେଲ୍ ଯାଇଛନ୍ତି । ସ୍ରୋତର ପ୍ରତିକୂଳ ଦିଗରେ ସମାଜ ପାଇଁ ସମର୍ପିତ ଭାବେ ମା' ରମାଦେବୀ ଯେଭଳି କାମ କରିଯାଇଛନ୍ତି ତାହାର ଅନୁସରଣ ଓ ଅନୁକରଣ କରାଯାଇପାରିଲେ ଆମ ଆଗରେ ଛିଡ଼ା ହୋଇଥିବା ସମସ୍ୟାର ପାହାଡ଼କୁ ଆମେ ସହଜରେ ଅତିକ୍ରମ କରିପାରିବା ଓ ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତିଗୁଡ଼ିକୁ ମଧ୍ୟ ସାକାର କରିପାରିବା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।