ଆସୁଛି ଲଘୁଚାପ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର, ୩୦।୬ : ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ରହିଛି। ଏହା ଫଳରେ ଆସନ୍ତା ଜୁଲାଇ ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର (ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ପାଖାପାଖି ଅଞ୍ଚଳ)ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।
ଏହି ଲଘୁଚାପଟି ଧୀରେ ଧୀରେ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।ବର୍ତ୍ତମାନ ଏହା କୌଣସି ଅବପାତ ବା ଗଭୀର ଅବପାତର ରୂପ ନେବାର ସମ୍ଭାବନା ନାହିଁ, ବରଂ ଏକ ସାଧାରଣ ଲଘୁଚାପ ହିସାବରେ ଗତି କରିବ। ଯଦି ଅଧିକ ଧୀର ଗତି କରିବ ବର୍ଷା ଅଧିକ ହେବ। ଆସନ୍ତା ୭ ଦିନ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହେବ । ବିଶେଷ କରି ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜୁନ୍ ମାସରେ ଓଡ଼ିଶାରେ ସ୍ୱାଭାବିକଠାରୁ ପ୍ରାୟ ୪୭ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି।
ସମଗ୍ର ଜୁଲାଇ ମାସର ପୂର୍ବାନୁମାନ ଅନୁଯାୟୀ, ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ବିଶେଷ କରି କେନ୍ଦ୍ରୀୟ ଅଞ୍ଚଳ (ମଧ୍ୟ ଓଡ଼ିଶା)ରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ।ଓଡ଼ିଶାର ଉଚ୍ଚଭୂମି ଓ ପୂର୍ବଘାଟ ପର୍ବତମାଳା ଭଳି ଭୌଗୋଳିକ ସ୍ଥିତି ମୌସୁମୀ ବାୟୁ ସହ ପ୍ରତିକ୍ରିୟା କରୁଥିବାରୁ, ଆଭ୍ୟନ୍ତରୀଣ ଓଡ଼ିଶାରେ ଉପକୂଳ ଅପେକ୍ଷା ଅଧିକ ବର୍ଷାର ସମ୍ଭାବନା ରହିଛି। ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହର ବର୍ଷା ଓଡ଼ିଶାର ଧାନ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ଏହି ଲଘୁଚାପ ସହାୟକ ହେବ।
ଗ୍ଲୋବାଲ୍ ପାଣିପାଗ ସ୍ଥିତିକୁ ଦେଖିଲେ, ଜୁନ୍ ୧୦ ତାରିଖରେ ଏକ ଦୁର୍ବଳ ଏଲ୍ନିନୋ ସ୍ଥିତି ସୃଷ୍ଟି ହୋଇଥିବା ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାର ତୀବ୍ରତା ଧୀରେ ଧୀରେ ବଢୁଛି। ଜୁଲାଇ ଏବଂ ଅଗଷ୍ଟରେ ଏହା 'ମଧ୍ୟମ' (Moderate) ସ୍ଥିତିରେ ରହିବ ଏବଂ ସେପ୍ଟେମ୍ବର ବେଳକୁ ଏହା ଏକ 'ଶକ୍ତିଶାଳୀ' (Strong) ଏଲ୍ନିନୋରେ ପରିଣତ ହେବ, ଯାହା ପାଣିପାଗ ଉପରେ କୁ ପ୍ରଭାବ ପକାଇପାରେ।
ତେବେ ଏହାର ପ୍ରତିକାର ସ୍ୱରୂପ ଭାରତ ମହାସାଗରରେ 'ଇଣ୍ଡିଆନ୍ ଓସେନ୍ ଡାଇପୋଲ୍' (IOD) ସେପ୍ଟେମ୍ବର ମାସ ଆଡ଼କୁ ନିଉଟ୍ରାଲ୍ରୁ 'ପଜିଟିଭ୍' (Positive IOD) ସ୍ଥିତିକୁ ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି। ପଜିଟିଭ୍ ଆଇଓଡି ପ୍ରଭାବରେ ସୋମାଲିଆ ଓ ଆରବ ସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ। ଯାହା ଦକ୍ଷିଣ ଗୋଲାର୍ଦ୍ଧରୁ ମୌସୁମୀ ବାୟୁକୁ ଭାରତ ଆଡ଼କୁ ଅଧିକ ସକ୍ରିୟ ଭାବେ ପ୍ରବାହିତ କରାଏ। ଏହା ଏଲ୍ନିନୋର ପ୍ରଭାବକୁ ରୋକିବାରେ ସମର୍ଥ ହେବ, ଯାହା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଚାଷ କାର୍ଯ୍ୟ ପାଇଁ ବେଶ୍ ସହାୟକ ହେବ।
ରାଜ୍ୟରେ ଏବେ କୌଣସି ହୀଟ୍ୱେଭ୍ ବା ଗ୍ରୀଷ୍ମ ପ୍ରବାହର ସ୍ଥିତି ନାହିଁ। ବର୍ଷା ଯୋଗୁଁ ପ୍ରଥମ ସପ୍ତାହରେ ତାପମାତ୍ରା ନିୟନ୍ତ୍ରଣରେ ରହିବ।କିନ୍ତୁ ମୌସୁମୀ ପ୍ରବାହ ଯୋଗୁଁ ବାୟୁମଣ୍ଡଳରେ ଆଦ୍ରତା (Humidity) ଅଧିକ ରହିବ, ତେଣୁ ଜୁଲାଇ ମାସରେ ଯେଉଁ ସମୟରେ ବର୍ଷା ନହେବ, ସେହି ଦିନଗୁଡ଼ିକରେ ପ୍ରବଳ ଗୁଳୁଗୁଳି ସହ ଅସହ୍ୟ ପାଗ ଅନୁଭୂତ ହେବ।
ଆହୁରି ପଢନ୍ତୁ : ଅଟୋକୁ ପିଟିଲା ଟ୍ରକ : ମହିଳାଙ୍କ କଟିଲା ହାତ , ୬ ଗୁରୁତର