ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ

Aug 02, 2026 - 19:03
ମୃତ୍ୟୁ ପରେ ମଧ୍ୟ ମିଳିଲାନି  ସମ୍ମାନ

ଥୁଆମୂଳ ରାମପୁର, ୨।୮ : ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ କରିବାକୁ ପଡ଼ିଥିଲା। ଏଥିସହ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଦୌଡ଼ିବାକୁ ମଧ୍ୟ ବାଧ୍ୟ ହେବାକୁ ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା ଏବଂ ପ୍ରଶାସନିକ ଅବହେଳାର ଏଭଳି ଏକ ଚିନ୍ତାଜନକ ଚିତ୍ର କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତର ବାର୍ଷିକନା ଗ୍ରାମର କାଲୁଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀ ମାଝୀଙ୍କୁ ଗୁରୁବାର ରାତିରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଶୁକ୍ରବାର ପରିବାର ଲୋକେ ତାଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

କଲମପୁରରେ ଶବ ବ୍ୟବଚ୍ଛେଦ ସୁବିଧା ନ ଥିବାରୁ ଥୁଆମୂଳ ରାମପୁର ପୋଲିସ ମୃତଦେହକୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ପୋଲିସ ସୂଚନା ଅନୁସାରେ, ପ୍ରଥମେ ସେଠାର ଡାକ୍ତର ନୀତିଶ କୁମାର ଝା ଏବଂ ଅନ୍ୟାନ୍ୟ ଡାକ୍ତରଙ୍କ ସହ ଆଲୋଚନା କରି ଶବ ବ୍ୟବଚ୍ଛେଦ କରିବେ ବୋଲି କହିଥିବାରୁ ମୃତଦେହକୁ ରାତିସାରା ସେଠାରେ ରଖାଯାଇଥିଲା।

କିନ୍ତୁ ଶନିବାର ସକାଳେ ମୃତ୍ୟୁ କଲମପୁରରେ ଘଟିଥିବା ଦର୍ଶାଇ ଡା. ଝା ଶବ ବ୍ୟବଚ୍ଛେଦ କରିବାକୁ ସିଧାସଳଖ ମନା କରିଦେଇଥିଲେ। ଫଳରେ ନିରୁପାୟ ହୋଇ ଗରିବ ଆଦିବାସୀ ପରିବାର ମୃତଦେହକୁ ନେଇ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ବାଧ୍ୟ ହୋଇଥିଲେ।

ଏ ସମ୍ପର୍କରେ ଜୟପାଟଣା ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁବ୍ରଜିତ ବିଶ୍ୱାଳ କହିଛନ୍ତି, “ଥୁଆମୂଳ ରାମପୁରରେ ଶବ ବ୍ୟବଚ୍ଛେଦ ପାଇଁ ସମସ୍ତ ସୁବିଧା ରହିଛି। ସେମାନେ କାହିଁକି ଜୟପାଟଣାକୁ ପଠାଇଲେ, ତାହା ମୁଁ କହିପାରିବି ନାହିଁ। ଆମ ପାଖକୁ ମୃତଦେହ ଆସିଥିବାରୁ ଆମେ ସମ୍ପୂର୍ଣ୍ଣ ସମ୍ମାନର ସହ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛୁ।”

ତେବେ ଏ ସମ୍ପର୍କରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ କିମ୍ବା ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଗୋଟିଏ ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ ୩୬ ଘଣ୍ଟା ଧରି ୩ଟି ମେଡିକାଲ ବୁଲିବାକୁ ପଡ଼ିବା ଏବଂ ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।