ବେଲପାହାଡ଼ ପୌରପାଳିକାରେ ବିଜୁ ଜନତା ଦଳକୁ ଏକ ବଡ଼ ଝଟକା
ବ୍ରଜରାଜନଗର: ବେଲପାହାଡ଼ ପୌରପାଳିକାରେ ବିଜୁ ଜନତା ଦଳକୁ ଏକ ବଡ଼ ଝଟକା ଲାଗିଛି। ପୌରପାଳିକାର ଦୁଇ-ତୃତୀୟାଂଶରୁ ଅଧିକ ନିର୍ବାଚିତ କର୍ପୋରେଟର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଉଦ୍ଦେଶ୍ୟ କରି ଏବଂ ଝାରସୁଗୁଡ଼ାଜିଲ୍ଲା ସଭାପତିଙ୍କ ମାଧ୍ୟମରେ ଏହି ଇସ୍ତଫା ପତ୍ର ପ୍ରଦାନ କରାଯାଇଛି। ଏହାସହିତ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ତୋସିଫ ଆଲମ ମଧ୍ୟ ଇସ୍ତଫା ଦେଇଥିଲେ। ଏନେଇ ଆଜି ବେଲପାହାଡ଼ ପୌର କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନେ ଘୋଷଣା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ନିଲମ୍ବିତ ବରିଷ୍ଠ ସଦସ୍ୟ ହିତେଶ ଠକ୍କର ମଧ୍ୟ ଉପସ୍ଥିତ ଥିଲେ।
ଇସ୍ତଫା ପତ୍ରରେ କାଉନସିଲରମାନେ ଉଲ୍ଲେଖ କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ସେମାନଙ୍କର ଗଭୀର ସମ୍ମାନ ରହିଛି। ଓଡ଼ିଶାର ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଏବଂ ଜନସେବା ପ୍ରତି ନିଷ୍ଠା ସେମାନଙ୍କୁ ସର୍ବଦା ପ୍ରେରଣା ଦେଇଛି। କିନ୍ତୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମଧ୍ୟରେ ଦେଖାଦେଇଥିବା ପରିସ୍ଥିତି ଯୋଗୁଁ ସେମାନେ ଦଳରେ କାର୍ଯ୍ୟ ଜାରି ରଖିପାରୁ ନାହାନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ତୃଣମୂଳ ସ୍ତର ନିର୍ବାଚିତ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଛି ଏବଂ ସମ୍ମାନ ଦିଆଯାଉ ନାହିଁ। ଦଳକୁ ମଜଭୁତ କରିବା ଏବଂ ଲୋକଙ୍କ ସେବା କରିବା ପାଇଁ ସେମାନେ ଆନ୍ତରିକ ପ୍ରୟାସ କରିଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉ ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।