ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲା

Jul 14, 2026 - 20:42
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲା

ନୂଆଦିଲ୍ଲୀ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାକୁ ନେଇ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚି ଓ ବିଚାରପତି ଭି. ମୋହନ ରାଓଙ୍କ ଖଣ୍ଡପୀଠରେ ଆରମ୍ଭ ହୋଇଛି। ଏହି ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର ପାଇଁ ଆବେଦନ କରାଯାଇଥିବା ବେଳେ ସୋମବାର ଖଣ୍ଡପୀଠ ଜବାବ ରଖିବାକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍‌ ଜାରି କରିଛନ୍ତି।ଏଥିସହ ଏହି ମାମଲାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତର ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
ସିବିଆଇ ତଦନ୍ତ ଦାବି କରି ଆଇନଜୀବୀ ଅଜୟ କୁମାର ରାୟ ଓ ଦିନେଶ କୁମାର ଯାଦବଙ୍କ ତରଫରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନ ଜରୁରୀ। ଏକ ସାର୍ବଜନୀନ ମନ୍ଦିରକୁ ପ୍ରଦାନ କରାଯାଉଥିବା ଦାନ ହେଉଛି ଟ୍ରଷ୍ଟ ସମ୍ପତ୍ତି। ଦାନ ଅର୍ଥ ଆତ୍ମସାତ୍‌ ଘଟଣାର ତଦନ୍ତ ଏସ୍‌ଆଇଟି କରୁଥିବା ବେଳେ ଏଭଳି ଆର୍ଥିକ ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ନିକଟରେ ଆବଶ୍ୟକ ସାଧନର ଅଭାବ ରହିଛି। ତେଣୁ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯିବା ଆବଶ୍ୟକ। ଏହିସହ ମନ୍ଦିରକୁ ମିଳିଥିବା ଦାନ ବାବଦ ସମସ୍ତ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଡିଜିଟାଲ୍ ପ୍ରମାଣ ସଂରକ୍ଷିତ କରି ରଖିବାକୁ ନିର୍ଦେଶ ପ୍ରଦାନ ନିମନ୍ତେ ଆବେଦନ କରାଯାଇଛି। ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ମନ୍ଦିରରେ ସାର୍ବଜନୀନ ଦାନର ସ୍ୱଚ୍ଛ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଏବଂ ସୁରକ୍ଷା ଉପାୟ ସ୍ଥାପନ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି। ସେହିପରି ରାଷ୍ଟ୍ରୀୟ ଜନତା ଦଳର ସାଂସଦ ସୁଧାକର ସିଂହଙ୍କ ତରଫରୁ ମଧ୍ୟ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ଆଉ ଏକ ମାମଲା ରୁଜୁ କରାଯାଇଛି। ରାମ ମନ୍ଦିର ଅର୍ଥ ଆତ୍ମସାତ୍‌ ଘଟଣାର ତଦନ୍ତ ସିବିଆଇ ଦ୍ବାରା କରାଯିବାକୁ ସେ ଆବେଦନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।