ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ବାଣ ସହ ଏକ ଡାଲା ଅଟୋ
ଜଗନ୍ନାଥ ପ୍ରସାଦ: ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ବାଣ ସହ ଏକ ଡାଲା ଅଟୋ OD25D2062 କୁ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡ଼ି ସଙ୍ଗେ ବାଣ ମାଲିକଙ୍କୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା ଜାରି ରଖିଛି । ଅଟକ ଥିବା ବାଣ ବ୍ୟବସାୟୀ ଏସ ମୃତୁଞ୍ଜୟ ଚୌଧୁରୀ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତି ୨.୩୦ ସମୟରେ ପୋଲିସର ଏକ ସ୍ପେଶାଲ ପାଟ୍ରୋଲିଂ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଯାଞ୍ଚ ଚଳାଇଥିଲା। ଏହି ସମୟରେ କରଡ଼ାବଣି ଛକ ଏକ ଡାଲା ଅଟୋ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଗାଡ଼ିଟିକୁ ଅଟକାଇଥିଲା। ଗାଡ଼ିର ପଛପଟ ଡାଲା ଯାଞ୍ଚ କରିବା ପରେ ସେଥିରୁ ୪୧ଟି ଅଖା ପେଟିରେ ଭର୍ତ୍ତି ହୋଇଥିବା ବେଆଇନ ବାଣ ଉଦ୍ଧାର କରାଯାଇଥିଲା। ବାଣ ପରିବହନ ସମ୍ପର୍କିତ କୌଣସି ବୈଧ ଲାଇସେନ୍ସ କିମ୍ବା ଆନୁଷଙ୍ଗିକ ସୁରକ୍ଷା ସମ୍ବନ୍ଧୀୟ କାଗଜପତ୍ର ଚାଳକ ତଥା ମାଲିକ ଜଣକ ଦେଖାଇପାରି ନଥିଲେ । ଜନଗହଳିପୂର୍ଣ୍ଣ ରାସ୍ତାରେ ଅତି ବିପଦପୂର୍ଣ୍ଣ ଭାବେ ଏଭଳି ବିସ୍ଫୋରକ ସାମଗ୍ରୀ ଚୋରା ଚାଲାଣ କରାଯାଉଥିବାରୁ, ପୋଲିସ ତତ୍କାଳ ବାଣ ସହ ଡାଲା ଅଟୋକୁ ଜବତ କରି ଥାନାକୁ ଆଣିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।
ପୋଲିସ ଏହି ମାମଲାରେ ବିସ୍ଫୋରକ ଆଇନ ଅନୁଯାୟୀ କେଶ ନମ୍ବର ୨୯୯ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି। ଏହି ବାଣ ସବୁ କେଉଁଠାରୁ ଅଣାଯାଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେ ନେଇ ପୋଲିସ ଅଭିଯୁକ୍ତଙ୍କୁ ଅଧିକ ଜେରା କରୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।