CJPର ଆନ୍ଦୋଳନ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ: NEET ପେପର ଲିକ୍‌ ଉପରେ କହିଲେ-ଦୋଷୀଙ୍କୁ…

Jul 21, 2026 - 11:28
CJPର ଆନ୍ଦୋଳନ ପରେ ଆସିଲା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ: NEET ପେପର ଲିକ୍‌ ଉପରେ କହିଲେ-ଦୋଷୀଙ୍କୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟିର ସଂସଦ ମାର୍ଚ୍ଚ ପରେ ନିଟ୍‌ (NEET) ପେପର ଲିକ୍‌ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏନଡିଏ (NDA) ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯୁବବର୍ଗଙ୍କ ଭବିଷ୍ୟତ ସହିତ ଖେଳିବାକୁ ଦିଆଯିବ ନାହିଁ। ପେପର ଲିକ୍‌ ଦୋଷୀମାନଙ୍କୁ କଠିନରୁ କଠିନତମ ଦଣ୍ଡ ଦିଆଯିବ।

ଏହା ସହିତ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ‘ମହାପାପ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି, ମାମଲାରେ ଏ ପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଛାତ୍ରଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ବେଦନଶୀଳ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।ଭବିଷ୍ୟତରେ ପ୍ରଶ୍ନପତ୍ର ଲିକ୍‌ ନ ହେବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ସହଯୋଗ ଲୋଡ଼ିଛନ୍ତି ପିଏମ୍‌ ମୋଦି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ‘ଭୁଲ ରାସ୍ତାରେ ଚାଲିବା ସହଜ ଅଟେ, କିନ୍ତୁ ସଠିକ୍‌ ରାସ୍ତାରୁ ଫେରିଆସିବା ବହୁତ କଷ୍ଟକର, ଏବଂ ଆମକୁ ସେମାନଙ୍କୁ ସଠିକ୍‌ ରାସ୍ତାରୁ ଆଣିବାକୁ ପଡ଼ିବ। ଏହା ଆମର ଦାୟିତ୍ୱ ଅଟେ।’

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ନିଟ-ୟୁଜି (NEET-UG 2026) ପେପର ଲିକ୍‌ ପ୍ରସଙ୍ଗରେ ବିରୋଧୀଙ୍କ ଜୋର୍‌ଦାର ହଙ୍ଗାମା କାରଣରୁ ଲୋକ ସଭା ଏବଂ ରାଜ୍ୟ ସଭା ବାରମ୍ବାର ବାଧାପ୍ରାପ୍ତ ହୋଇଛି। ବିରୋଧୀ ସାଂସଦମାନେ ପରୀକ୍ଷାରେ କଥିତ ଅନିୟମିତତା, ଛାତ୍ରୀଛାତ୍ରଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଉଭୟ ଗୃହରେ ନାରାବାଜି କରିଥିଲେ। ସେପଟେ ସଂସଦ ପରିସର ବାହାରେ ମଧ୍ୟ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ଧସ୍ତିଧାସ୍ତି ଓ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଲୋକ ସଭାର କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ନାରାବାଜି କରିବାକୁ ଲାଗିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବାକ୍ଷଣି ହୋହଲ୍ଲା ବଢ଼ିବାରୁ ବାଚସ୍ପତି ଓମ ବିର୍ଲା ଗୃହର କାର୍ଯ୍ୟାନୁଷ୍ଠାନ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହାପରେ ମଧ୍ୟ ହଙ୍ଗାମା ଜାରି ରହିଥିଲା ଏବଂ ଗୃହକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିଥିଲା। ଶେଷରେ ପ୍ରାୟ ତିନିଟା ସମୟରେ ଦିନକ ପାଇଁ କାର୍ଯ୍ୟ ଶେଷ କରାଯାଇଥିଲା। ସାରା ଦିନରେ ଲୋକ ସଭାର କାର୍ଯ୍ୟାନୁଷ୍ଠାନ ଛଅ ଥର ସ୍ଥଗିତ ହୋଇଥିଲା।

ରାଜ୍ୟସଭାରେ ମଧ୍ୟ ପରିସ୍ଥିତି ଭିନ୍ନ ନଥିଲା। ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ନିଟ-ୟୁଜି (NEET-UG 2026) ପେପର ଲିକ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହା ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ସେ ଅଭିଯୋଗ କରିଥିଲେ ଯେ ଜନ୍ତର-ମନ୍ତରରେ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ଲାଠିଚାର୍ଜ କରାଯାଇଛି ଏବଂ ସରକାର ଏହି ପ୍ରସଙ୍ଗକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି। ବିରୋଧୀ ସଦସ୍ୟମାନେ ଛାତ୍ରୀଛାତ୍ରଙ୍କ ସମର୍ଥନରେ ଏବଂ ଅଯୋଧ୍ୟା ରାମ ମନ୍ଦିରରେ କଥିତ ଦାନ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ନାରାବାଜି କରିଥିଲେ। ଉପସଭାପତି ହରିବଂଶ ସଦସ୍ୟମାନଙ୍କୁ ଗୃହର ଗରିମା ବଜାୟ ରଖିବାକୁ ଏବଂ ଆଲୋଚନା ମାଧ୍ୟମରେ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ହଙ୍ଗାମା ଥମି ନଥିଲା। ରାଜ୍ୟ ସଭାର କାର୍ଯ୍ୟ ମଧ୍ୟ ପାଞ୍ଚ ଥର ସ୍ଥଗିତ ହେବା ପରେ ସାରା ଦିନ ପାଇଁ ସାମାପ୍ତ କରାଯାଇଥିଲା।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।