୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ…
ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଇଣ୍ଡୋ-ପ୍ୟାସିଫିକ (ଭାରତ-ପ୍ରଶାନ୍ତ ମହାସାଗରୀୟ) କ୍ଷେତ୍ରର ୩ଟି ପ୍ରମୁଖ ଦେଶ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତରେ ଯିବେ। ଏହି ୬ ଦିନିଆ ଗସ୍ତ କାଳରେ ଦ୍ୱିପାକ୍ଷିକ ଆଲୋଚନା, ବାଣିଜ୍ୟିକ ଚୁକ୍ତି ଏବଂ ପ୍ରବାସୀ ଭାରତୀୟମାନଙ୍କ ସହ ସାକ୍ଷାତକାର ଉପରେ ମୁଖ୍ୟ ନଜର ରହିବ। ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପ୍ରଥମେ ଇଣ୍ଡୋନେସିଆରୁ ଆରମ୍ଭ ହେବ, ଯାହା ଏସିଆନ (ASEAN) ଦେଶଗୁଡ଼ିକ ମଧ୍ୟରେ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଭାଗିଦାରୀ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପିଏମ ମୋଦୀ ରାଜଧାନୀ ଜାକର୍ତ୍ତାରେ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ଏହାପରେ ସେ ସେଠାକାର ଐତିହାସିକ ତଥା ସାଂସ୍କୃତିକ ସହର ’ଯୋଗ୍ୟାକାର୍ତ୍ତା’ (Yogyakarta) ପରିଦର୍ଶନ କରିବେ। ଏଠାରେ ସେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ’ପ୍ରମ୍ବାନନ ମନ୍ଦିର ପରିସର’ ବୁଲି ଦେଖିବେ। ଏହି ମନ୍ଦିରର ସଂରକ୍ଷଣ ଏବଂ ବିକାଶ ପାଇଁ ଭାରତ ଓ ଇଣ୍ଡୋନେସିଆ ମିଳିତ ଭାବେ କାର୍ଯ୍ୟ କରିବାକୁ ଯୋଜନା କରୁଛନ୍ତି।
ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ନ ସହରରେ ପହଞ୍ଚିବେ। ସେଠାରେ ସେ ତୃତୀୟ ’ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ’ରେ ଭାଗ ନେବେ। ଭାରତ ଏବଂ ଅଷ୍ଟ୍ରେଲିଆ ଦୁହେଁ ’କ୍ୱାଡ୍’ (Quad) ର ଶକ୍ତିଶାଳୀ ସଦସ୍ୟ। ଏହି ବୈଠକରେ ପ୍ରତିରକ୍ଷା ସହଯୋଗ, ଶକ୍ତି ଏବଂ ନିବେଶ ଉପରେ ବିସ୍ତୃତ ଆଲୋଚନା ହେବ।
ଭାରତ ପାଇଁ ଏହି ଗସ୍ତ ଏଥିପାଇଁ ବିଶେଷ ଗୁରୁତ୍ୱ ବହନ କରେ, କାରଣ ଅଷ୍ଟ୍ରେଲିଆ ହେଉଛି ଲିଥିୟମ ଏବଂ କୋବାଲ୍ଟ ଭଳି ’କ୍ରିଟିକାଲ ମିନେରାଲ୍ସ’ (ଜଟିଳ ଖଣିଜ ପଦାର୍ଥ)ର ଏକ ବଡ଼ ଉତ୍ସ। ଏଗୁଡ଼ିକ ଭାରତର ଇଲେକ୍ଟ୍ରିକ ଭେହିକିଲ (EV) ଏବଂ ସେମିକଣ୍ଡକ୍ଟର ମିଶନ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ।
ଏହି ଗସ୍ତର ଶେଷ ଏବଂ ସବୁଠାରୁ ଐତିହାସିକ ପଡ଼ା ହେଉଛି ନ୍ୟୁଜିଲ୍ୟାଣ୍ଡ। ଦୀର୍ଘ ପ୍ରାୟ ୪ ଦଶନ୍ଧି (୪୦ ବର୍ଷ) ପରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ନ୍ୟୁଜିଲ୍ୟାଣ୍ଡକୁ ଆଧିକାରୀକ ଗସ୍ତରେ ଯାଉଛନ୍ତି।
ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ମରିସସ ଏବଂ ସେଶେଲ୍ସ ଭଳି ଗସ୍ତ ଜରିଆରେ ପଶ୍ଚିମ ଭାରତ ମହାସାଗର ଉପରେ ଧ୍ୟାନ ଦେବା ପରେ, ଏବେ ଭାରତ ନିଜର ’ଆକ୍ଟ ଇଷ୍ଟ’ (Act East) ନୀତି ଅଧୀନରେ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ପ୍ରମୁଖ ଗ୍ଲୋବାଲ ପାର୍ଟନରମାନଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ପୂରା ଧ୍ୟାନ ଦେଉଛି।
Dharitri – Odisha’s No.1 Odia Daily
The post ୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… appeared first on Dharitri Odia News.